ବରଗଡ଼ : ମହାନଦୀ କୂଳରେ ଥିଲେ ବି ଅମ୍ବାଭୋନା ବ୍ଳକରେ ପ୍ରାକ୍ ମରୁଡି ସ୍ଥିତି ସୃଷ୍ଟି ହୋଇଛି । ମରୁଡ଼ି ଦାଉରୁ ଅମ୍ବାଭୋନାକୁ ବଞ୍ଚାଇବା ପାଇଁ ଚିଖିଲି, ଜାମପାଲି (ଅନ୍ତରାଡି), ତାମଦେଇଠାରେ ଜଳସମ୍ପଦ ବିଭାଗ ପକ୍ଷରୁ ବୃହତ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି । ୨୦୧୮ ମସିହା ସେପ୍ଟେମ୍ବର ୯ ତାରିଖ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସ ଜରିଆରେ ଏହାର ଉଦ୍ଘାଟନ କରିଥିଲେ । କିନ୍ତୁ ମହାନଦୀରେ ଜଳାଭାବ ଏବଂ ଲୋ-ଭୋଲ୍ଟେଜ୍ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପଗୁଡ଼ିକ ଠପ୍ ରହିଛି ।
ସୂଚନା ଅନୁସାରେ, ମହାନଦୀ ତଟସ୍ଥ ୪୧ଟି ଗ୍ରାମର ୪୭୨୦ ହେକ୍ଟର ଚାଷ ଜମିକୁ ଏହି ପ୍ରକଳ୍ପ ଗୁଡ଼ିକ ଜରିଆରେ ଜଳସେଚନର ସୁବିଧା କରାଯିବ ବୋଲି ଆକଳନ କରାଯାଇଥିଲା । ଜମିକୁ ପାଣି ଯୋଗାଣ ଲକ୍ଷ୍ୟନେଇ ୯୯.୬୯ କୋଟି ଟଙ୍କାରେ ପ୍ରକଳ୍ପ ଛିଡ଼ା ହୋଇଛି । କିନ୍ତୁ, ମହାଦନୀରେ ପାଣି ଅଭାବ ଯୋଗୁଁ ପ୍ରତି ବର୍ଷ ତିନି ପ୍ରକଳ୍ପର ପମ୍ପ୍ହାଉସ ନିକଟସ୍ଥ ଜଳସ୍ତର ଶୁଖିଲା ପଡ଼ିଛି । ସେଚପ୍ରକଳ୍ପ କାର୍ଯ୍ୟକ୍ଷମ ନହେବାରୁ ହଜାର ହଜାର ଏକର ଜମିରେ ଚାଷ ଉଜୁଡ଼ି ଯାଉଛି । ଅମ୍ବାଭୋନା ବ୍ଳକର ତାମଦେଇ, ଅମ୍ବାଭୋନା, କଣ୍ତପଳା ଠାରେ ଉଚ୍ଚ କ୍ଷମତା ସଂପନ୍ନ ଗ୍ରିଡ ସ୍ଥାପନ ହୋଇଥିଲେ ହେଁ ବିଦ୍ୟୁତ ସମସ୍ୟା ଲାଗି ରହୁଛି । ଚିଖିଲି ଠାରେ ୨ ହଜାର ହେକ୍ଟର ଚାଷ ଜମି ପାଇଁ ୪ଟି ପମ୍ପ୍ସେଟ ଜରିଆରେ ୧୪ଟି ପୋଖରୀରେ ଜଳ ଭର୍ତି କରିବାକୁ ଯୋଜନା ଥିଲା । ଜାମପାଲି( ଅନ୍ତରାଡି)ଠାରେ ୧୩୨୦ ହେକ୍ଟର ଚାଷ ଜମି ପାଇଁ ୩ଟି ପମ୍ପରେ ୧୪ ପୋଖରୀ ଏବଂ ତାମଦେଇରେ ୧୪୦୦ ହେକ୍ଟର ଜମି ପାଇଁ ୪ଟି ପମ୍ପ ସେଟରେ ୧୧ଟି ପୋଖରୀକୁ ପାଣି ଭର୍ତ୍ତି କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ମାତ୍ର, ଖରା ହେଲେ ପୋଖରୀ ଏବଂ ଚାଷଜମି ଉଭୟ ଶୁଷ୍କ ରହୁଛି । ପାଖରେ ମହାନଦୀ ଥିଲେ ବି ବାରମ୍ବାର ମରୁଡ଼ିର ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଜଳସେଚନ ପ୍ରକଳ୍ପର ନିର୍ମାଣ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି ।
