ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ; କେତେ ପିଲା ଅଛନ୍ତି, କେତେ ଖାଉଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ରହୁନାହିଁ

ବରଗଡ଼ : ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । କେତେ ପିଲା ଅଛନ୍ତି, କେତେ ପିଲା ଖାଉଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ରହୁନାହିଁ । ସେହିପରି ଚାଉଳ ଯୋଗାଣରେ ମଧ୍ୟ ଅନିୟମିତା ଅଭିଯୋଗ ହୋଇଛି ।

ବରଗଡ଼ ଜିଲା ଶିକ୍ଷାଧିକାରୀଙ୍କ ଅଧୀନରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଓ ଷଷ୍ଠ ରୁ ଅଷ୍ଟମ ମିଶି ୧,୨୫,୬୦୮ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରେ ଅନ୍ତର୍ଭୁକ୍ତ ଅଛନ୍ତି । ସେଥି ମଧ୍ୟରୁ ପ୍ରଥମ ରୁ ପଞ୍ଚମ ୭୫ ହଜାର ଜଣ ଓ ଷଷ୍ଠ ରୁ ଅଷ୍ଟମ ୫୦,୬୦୪ ଜଣ ଛାତ୍ରଛାତ୍ରୀ ଅଛନ୍ତି । ପ୍ରଥମ ରୁ ପଞ୍ଚମ ପାଇଁ ପ୍ରତି ଛାତ୍ର ପାଇଁ ୫.୪୨ ପଇସା ଓ ଷଷ୍ଠ ରୁ ଅଷ୍ଟମ ପାଇଁ ୮.୧୦ ପଇସା ମଧ୍ୟାହ୍ନ ଭୋଜନ ପାଇଁ ଧାର୍ଯ୍ୟ କରାଯାଇଛି । ସେହିପରି ଚାଉଳ ମଧ୍ୟ ସରକାର ଯୋଗାଇ ଦେଉଛନ୍ତି । ପ୍ରଥମ ରୁ ପଞ୍ଚମ ପାଇଁ ୧୦୦ ଗ୍ରାମ ହିସାବରେ ଓ ଷଷ୍ଠ ରୁ ଅଷ୍ଟମ ପାଇଁ ୧୫୦ ଗ୍ରାମର ହିସାବରେ ଛାତ୍ରଙ୍କୁ ଚାଉଳ ଦିଆଯାଏ । ହିସାବ କଲେ ଦିନକ ପାଇଁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ୪,୦୬,୫୦୦ ଓ ଷଷ୍ଠ ରୁ ଅଷ୍ଟମ ପାଇଁ ୪,୦୯,୮୯୦ ଟଙ୍କା ଖର୍ଚ୍ଚ ହେଉଛି ଏବଂ ମୋଟ ଖର୍ଚ୍ଚ ହେଉଛି ୮,୧୬,୩୯୦ ଟଙ୍କା । ସେହିପରି ଚାଉଳ ଖର୍ଚ୍ଚ ହେଉଛି ପ୍ରଥମ ରୁ ପଞ୍ଚମ ୧୦୦ ଗ୍ରାମ ହିସାବରେ ୭,୫୦୦ କେଜି ଓ ଷଷ୍ଠ ରୁ ଅଷ୍ଟମ ଯାଏଁ ୭,୫୯୦ କେଜି ।

ଜିଲାରେ ଯଦି ଗୋଟାଏ ଦିନ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ବନ୍ଦ ହୋଇଯାଏ ତା’ହେଲେ ୧୫,୦୯୦.୬ କେଜି ଚାଉଳ ଓ ୮୧,୬୩୯ ଟଙ୍କା ବଳୁଛି । ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ପୂର୍ବରୁ କେତେଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଲେ ଓ କେତେ ଦିନ ବନ୍ଦ ରହିଲା ତାହା ପୂର୍ବରୁ ଏସଏମଏସ ମାଧ୍ୟମରେ ଶିକ୍ଷକମାନଙ୍କୁ ଜଣାଉଥିଲେ ଓ ସମସ୍ତେ ଜାଣି ପାରୁଥିଲେ । ମାତ୍ର ଏବେ ଶିକ୍ଷକମାନେ କ୍ଳଷ୍ଟରରେ ଗ୍ରୁପ କରି ସିଆରସିସିମାନଙ୍କୁ ଜଣାଉଛନ୍ତି; ଅନ୍ୟ ଶିକ୍ଷକମାନେ ତାହା ଯେପରି ଜାଣି ନପାରିବେ । ଚାଉଳ ଯୋଗାଣକାରୀ ସଂସ୍ଥା ଓଜନ ମାପ କରି ଚାଉଳ ଦେବେ ଓ ପ୍ରଧାନ ଶିକ୍ଷକ ମାପ କରି ଚାଉଳ ରଖିବେ । ଏହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦେଶ ରହିଛି । ମାତ୍ର ଚାଉଳ ଯୋଗାଣକାରୀ ସଂସ୍ଥା ବି ମାପ କରି ଦେଉନାହାନ୍ତି କି ପ୍ରଧାନ ଶିକ୍ଷକମାନେ ମଧ୍ୟ ଓଜନ କରି ଚାଉଳ ନେଉନାହାନ୍ତି ।

ଗତ କରୋନା କାଳରେ ସ୍କୁଲ ବନ୍ଦ ଥିବା ବେଳେ ଶୁଖିଲା ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ଏହି ସମୟରେ ମଧ୍ୟାହ୍ନ ଚାଉଳ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିଲା । ଏବେ କରୋନା ସମାପ୍ତ ହେବା ପରେ ମଧ୍ୟ ଚାଉଳ ଯୋଗାଣ ଓ ପିଲାଙ୍କୁ ଚାଉଳ ବଣ୍ଟନରେ ଅନିୟମିତତା ଦେଖାଦେଉଛି । ଗତ ଏପ୍ରିଲ ମାସରେ ପଦ୍ମପୁରର ଚାରପାଲି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଚାଉଳ ଦେବା ପରିବର୍ତ୍ତେ ବିସ୍କୁଟ ଦିଆଯାଇ ପିଲାଙ୍କୁ ଭୂତାଇ ଦିଆଯାଇଥିଲା । ଏହି ଘଟଣା ଖବର ପ୍ରକାଶିତ ହେବା ପରେ ଶିକ୍ଷା ବିଭାଗରେ ହଲ୍‍ଚଲ୍‍ ସୃଷ୍ଟି ହୋଇଥିଲା । ଯେଉଁ ସମୟରେ ପିଳାଙ୍କୁ ଚାଉଳ ଜାଗାରେ ବିସ୍କୁଟ ଦିଆଯାଉଛି ତାହାର ଭରଣା କରିବା ପାଇଁ ଯେତେବେଳେ ଚାଉଳ ଆସୁଛି ତାହା କାହାକୁ ଦିଆଯାଉ ନାହିଁ । ଯେଉଁ ଶିକ୍ଷକମାନେ ଏହା ବିରୋଧରେ କିଛି ପାଟି ଖୋଲୁଛନ୍ତି ସେମାନଙ୍କୁ ହତୋତ୍ସାହିତ କରିବା ପାଇଁ ଅନ୍ୟତ୍ର ବଦଳି କରାଯାଉଛି ।

ଏପରିକି ଚାଉଳ ଦୁର୍ନୀତିରେ ଯେଉଁ ଶିକ୍ଷକମାନେ ସହଯୋଗ କରୁଛନ୍ତି ସେମାନଙ୍କୁ ଶିକ୍ଷା ବିଭାଗ ପୁରସ୍କୃତ କରୁଛି । ଏନେଇ ଜିଲା ଶିକ୍ଷାଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଦୁର୍ନୀତି ବଢ଼଼ି ବଢ଼଼ି ଚାଲିଛି । ପିଲାମାନଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ଦିଆଯାଉନଥିବାରୁ ଏନେଇ ପ୍ରଚୁର ଟଙ୍କା ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି । ସରକାର ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଦେଉଥିବା ବେଳେ ଏହା କିଛି ଲୁଟେରାଙ୍କ ପାଇଁ ଆୟର ଉତ୍ତମ ପନ୍ଥା ହୋଇଛି ।

Leave a Reply

Your email address will not be published. Required fields are marked *