ହିସାବ ଦିଆଯାଉଛି ୨ଟି ହେଲେ ମିଳୁଛି ଗୋଟିଏ ଅଣ୍ଡା

ସାରନଗରୀ : ଜଲଦା ‘ସି’ ବ୍ଲକ୍‌ ଛକ ନିକଟରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ପିଲାଙ୍କ ଖାଦ୍ୟପାନୀୟକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ସେଠାରେ ଛାତ୍ରୀମାନଙ୍କୁ ସପ୍ତାହରେ ୨ଟି ବଦଳରେ ଗୋଟିଏ ଅଣ୍ଡା ଦିଆଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଏହି ଛାତ୍ରୀନିବାସରେ ଅଛନ୍ତି ୧୫୦ ଅନ୍ତେବାସୀ । ପିଲାମାନଙ୍କ ପୌଷ୍ଟିକତାକୁ ଆଖିରେ ରଖି ଏହି ଛାତ୍ରୀନିବାସରେ ପ୍ରତି ସପ୍ତାହରେ ଖାଦ୍ୟରେ ମଙ୍ଗଳବାର ୨ଟି ଅଣ୍ଡା, ବୁଧବାର କୁକୁଡ଼ାମାଂସ, ଶୁକ୍ରବାର ମାଛ, ରବିବାର ମାଛ ଦେବାର ନିୟମ ରହିଛି ।

ମାତ୍ର ସେମାନଙ୍କୁ ମିଳୁଛି ଗୋଟିଏ ଲେଖାଏଁ ଅଣ୍ଡା । ଖାତାରେ ୨ଟି ଅଣ୍ଡାର ହିସାବ ଦେଖାଉଥିବା ବେଳେ ବଳକା ୬୦୦ ଅଣ୍ଡା ଖାଉଛି କିଏ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଖାଲି ଏତିକି ନୁହେଁ ରୋଷେଇରେ ବ୍ୟବହାର ହେଉଥିବା ଖାଇବା ତେଲ ମଧ୍ୟ ଅତି ନିମ୍ନମାନର ବୋଲି ମଧ୍ୟ ଅଭିଯୋଗ ହେଉଛି । ଏ ନେଇ ଛାତ୍ରୀନିବାସ ୱାର୍ଡେନଙ୍କୁ ପଚାରିବାରୁ ସବୁକିଛି ଠିକ୍‌ଠାକ୍ ଚାଲିଥିବା ସଫେଇ ଦେଇଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ସୁମିତା ସାହୁ ଖରାଦିନ ପାଇଁ ଗୋଟିଏ ଲେଖାଏଁ ଅଣ୍ଡା ଦିଆଯାଉଛି ଓ ଅନ୍ୟ ଅଣ୍ଡା ବଦଳରେ ପାଉଁରୋଟି, ନୁଡୁଲ୍‌ସ କିଂବା ଅନ୍ୟ ଖାଦ୍ୟସାମଗ୍ରୀ ଦିଆଯାଉଛି ବୋଲି କହିଥିଲେ । ଲାଠିକଟା ବ୍ଲକ୍‌ ଶିକ୍ଷାଧିକାରୀ ଦେବେନ୍ଦ୍ର ସାହାଙ୍କୁ ପଚାରିବାରୁ ଏନେଇ କୌଣସି ଅଭିଯୋଗ ଆସିନାହିଁ । ଯଦି ଏଭଳି ଦୁର୍ନୀତି ହେଉଥାଏ ତାହା ହେଲେ ନିଶ୍ଚିତ କାର୍ଯାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *