ବରଗଡ଼ : ଚାଷୀ ବିଭିନ୍ନ କାରଣରୁ କେବଳ କ୍ଷତି ହିଁ ସହିଚାଲିଛି । ଚାଷୀର ଦୁଃଖ ଲାଘବ କରିବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ରହିଛି । କିନ୍ତୁ ଏହି ବୀମା ଚାଷୀଙ୍କ ଦୁଃଖ ଆହୁରି ବଢ଼ାଇ ଦେଇଛି । କମ୍ପାନିଗୁଡ଼ିକ ଏଥିରେ ପ୍ରଚୁର ଲାଭ ପାଉଥିବାବେଳେ ଚାଷୀ ହାତରେ କିଛି ଲାଗୁନାହିଁ । ବରଂ ବର୍ଷ ତମାମ ଚାଷୀ ବୀମା ଟଙ୍କା ପାଇବାକୁ ଆନ୍ଦୋଳନରେ ସମୟ କାଟୁଛି ।

୨୦୧୬ ଫେବ୍ରୁଆରି ମାସରେ ବରଗଡ଼ ମୋଦୀ ପଡ଼ିଆଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ପ୍ରଧାନମନ୍ତ୍ରୀ ଫସଲ ବୀମାର ଶୁଭାରମ୍ଭ କରିଥିଲେ । ଏହା ଏକ ତ୍ରୁଟିବିହୀନ ବୀମା ଏବଂ କମ୍ ପ୍ରିମିଅମ୍ ଦେଇ ଚାଷୀ ବେଶୀ ଟଙ୍କା ପାଇବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଯଦି ଜାତୀୟ ପରିସଂଖ୍ୟାନ ଦେଖାଯାଏ, ତେବେ ଗତ ୫ବର୍ଷ ଭିତରେ ଦେଶରେ ବୀମା ପ୍ରିମିଅମ୍ ବାବଦକୁ ଚାଷୀ, ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ୧ ଲକ୍ଷ ୨୭ ହଜାର କୋଟି ଟଙ୍କାର ପ୍ରିମିଅମ୍ ଦାଖଲ କରିଛନ୍ତି । କମ୍ପାନି ଚାଷୀଙ୍କୁ ଏହି ଅବଧିରେ କ୍ଷତିପୂରଣ ବାବଦକୁ ୮୭ ହଜାର କୋଟି ଟଙ୍କା ଦେଇଛି । ଅର୍ଥାତ କମ୍ପାନି ସିଧା ୪୦ ହଜାର କୋଟି ଟଙ୍କାର ଲାଭ ଉଠାଇଛି । ଓଡ଼ିଶାରେ ବି ସମାନ ଅବସ୍ଥା। ଗତ ୫ ବର୍ଷ ଭିତରେ ରାଜ୍ୟରେ ୬ ହଜାର ୪୦ କୋଟି ଟଙ୍କାର ପ୍ରିମିଅମ ଦାଖଲ ହୋଇଛି ।
କିନ୍ତୁ ଚାଷୀଙ୍କୁ ୫ ହଜାର କୋଟି ଟଙ୍କାର କ୍ଷତିପୂରଣ ମିଳିଛି । ବୀମା କମ୍ପାନି ପକେଟ୍କୁ ସିଧା ହଜାରେ କୋଟି ଟଙ୍କା ଉପରେ ଲାଭ ଯାଇଛି । ଚଳିତ ବର୍ଷ ରାଜ୍ୟରେ ପାଖାପାଖି ୧୧ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ହୋଇଛନ୍ତି । କିନ୍ତୁ କମ୍ପାନି ଚାଷୀଙ୍କ ଟଙ୍କାରୁ ଲାଭ ପାଇବା ପାଇଁ ଭରପୂର ଉଦ୍ୟମ କରିଛି । ବରଗଡ଼ ଜିଲ୍ଲାକୁ ଏହାର ଉଦାହରଣ ଭାବେ ନିଆଯାଇପାରେ । ଜିଲ୍ଲାରେ ଏଥର ୨ ଲକ୍ଷ ଚାଷୀ ବୀମାଭୁକ୍ତ ଅଛନ୍ତି । କିନ୍ତୁ ଚାଷୀଙ୍କ ଆବଦେନକୁ ବିଚାରାଧୀନ, ବାତିଲ୍ ଏବଂ ଆବେଦନପତ୍ର ଫେରସ୍ତ ଆଳ ଦେଖାଇ କମ୍ପାନି ଶହଶହ କୋଟି ଟଙ୍କା ହଡପ୍ କରିବାକୁ ଯୋଜନା କରୁଥିବା ଚାଷୀମାନେ ଖୋଲା ଅଭିଯୋଗ କରୁଛନ୍ତି । ଜିଲ୍ଲାର ୯ଟି ବ୍ଳକ୍ ସଂପୂର୍ଣ୍ଣ ମରୁଡ଼ି ପ୍ରଭାବିତ ଏବଂ ଏଗୁଡ଼ିକରେ ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିବା ଖୋଦ୍ ଜିଲ୍ଲାପାଳ ରିପୋର୍ଟ ପଠାଇଥିଲେ । କିନ୍ତୁ ଚାଷୀଙ୍କୁ ବୀମା ଟଙ୍କା ନଦେବା ଚକ୍ରାନ୍ତରେ କମ୍ପାନି ଲାଗିପଡ଼ିଛି । ଫଳରେ ଲକ୍ଷାଧିକ ଚାଷୀଙ୍କ ଭବିଷ୍ୟତ ଏବେ ଲଟକି ରହିଛି ।
