କଟକ : ଅବକାରୀ ବିଭାଗରେ ଆଇନ ଜାଣନ୍ତି ନାହିଁ କନଷ୍ଟେବଳରୁ ଏଏସ୍ଆଇ ପାହ୍ୟାର ଅଧିକାରୀ । ବିଭାଗରେ କାମ କରୁଥିବା କନଷ୍ଟେବଳରୁ ଏଏସଆଇ(ଆସିଷ୍ଟାଣ୍ଟ ସବ୍-ଇନସ୍ପେକ୍ଟର) ପାହ୍ୟା ଯାଏ କର୍ମଚାରୀଙ୍କ କୌଣସି ପ୍ରକାର ତାଲିମ୍ ବ୍ୟବସ୍ଥା ବିଭାଗ ଆରମ୍ଭରୁ ହିଁ ନାହିଁ । ତାଲିମ୍ ବ୍ୟବସ୍ଥା ନଥିବାରୁ ସିଆରପିସି, ଆଇପିସି ସଂକ୍ରାନ୍ତରେ ଦକ୍ଷତା ହାସଲରୁ ଏମାନେ ବଞ୍ଚିତ ହେଉଛନ୍ତି । ଏସ୍ଆଇଙ୍କ ପାଇଁ ତାଲିମ ବ୍ୟବସ୍ଥା ଥିଲେ ବି ୪ ବର୍ଷ ହେବ ସେମାନଙ୍କର ବି ତାଲିମ୍ କାର୍ଯ୍ୟକ୍ରମ ହୋଇନାହିଁ । ୧୨ ବର୍ଷ ତଳେ ଅବକାରୀ ବିଭାଗର ସ୍ବତନ୍ତ୍ର ତାଲିମ କଲେଜ ଖୋଲିବା ପ୍ରସ୍ତାବ ଆଜି ବି ଅନିଶ୍ଚିତତାରେ । ତାଲିମ ନହେବାରୁ ଆଇନ କାନୁନ ସମ୍ପର୍କିତ ମୌଳିକ ଜ୍ଞାନ ହାସଲରୁ ବଞ୍ଚିତ ଥିବାରୁ ବିଭାଗରେ କାମ କରୁଥିବା ୧୬୬୧ ରୁ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଏବେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଛି ।
ପୁଲିସ ବିଭାଗରେ କନଷ୍ଟେବଳ ଚାକିରି ସମୟରେ ୯ ମାସିଆ ତାଲିମ ଦିଆଯାଏ । କନଷ୍ଟେବଳରୁ ଏଏସ୍ଆଇ ପାହ୍ୟାକୁ ପଦୋନ୍ନତି ସମୟରେ ଲିଖିତ ପରୀକ୍ଷା ଉତ୍ତୀର୍ଣ୍ଣ ପରେ ପୁଣି ୪ ମାସିଆ ତାଲିମ ଦିଆଯାଏ । ଏଏସଆଇରୁ ଏସଆଇକୁ ପଦୋନ୍ନତି ସମୟରେ ପୁଣି ୪ ମାସିଆ ତାଲିମ ହୁଏ । ତାଲିମ କଲେଜରେ ସର୍ବାଧିକ ସମୟ ଆଇନ କାନୁନ ସମ୍ପର୍କିତ ପାଠ ପଢ଼ାଯାଏ । ଅବକାରୀ ବିଭାଗରେ କନଷ୍ଟେବଳ ଚାକିରି ସମୟରେ କୌଣସି ତାଲିମ ବ୍ୟବସ୍ଥା ନଥିବା ବେଳେ କନଷ୍ଟେବଳରୁ ଏଏସଆଇ ପାହ୍ୟାକୁ ପଦୋନ୍ନତି କେବଳ ବରିଷ୍ଠତା ଭିତ୍ତିରେ ଚୟନ କରାଯାଏ । ଏଥିପାଇଁ ବି କୌଣସି ପ୍ରକାର ତାଲିମ ଏବଂ ଲିଖିତ ପରୀକ୍ଷା ବ୍ୟବସ୍ଥା ନାହିଁ । ବିନା ତାଲିମ୍ ଓ ଲିଖିତ ପରୀକ୍ଷାରେ ପଦୋନ୍ନତି କରାଯାଏ । ଏଏସଆଇରୁ ଏସଆଇ ପାହ୍ୟାକୁ ପଦୋନ୍ନତି ପାଇଁ ତାଲିମ ବ୍ୟବସ୍ଥା ଥିବା ବେଳେ ୨୦୧୮ ପରଠାରୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିରେ କୌଣସିପ୍ରକାର ତାଲିମ ହୋଇ ନଥିବା କୁହାଯାଉଛି ।
୨୦୦୬-୦୭ରେ କନଷ୍ଟେବଳ ନିଯୁକ୍ତି ଓ ଏଏସଆଇକୁ ପଦୋନ୍ନତି ପାଇଁ ତାଲିମ ବ୍ୟବସ୍ଥା ଲାଗୁ ପାଇଁ ଅବକାରୀ ବିଭାଗକୁ ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତାବ ଯାଇଥିଲା । ଏଥିରେ ପୁଲିସ ଭଳି ଶାରୀରିକ ଯୋଗ୍ୟତା(ପିଟି) ସହିତ ଅବକାରୀ ଚଢ଼ଉ ସମୟରେ ସତର୍କତା ଅବଲମ୍ବନ, ଗୁଇନ୍ଦା ତଥ୍ୟ ସଂଗ୍ରହ କୌଶଳ, ଅବକାରୀ ଆଇନ, ସିଆରପିସି, ଆଇପିସି ସଂକ୍ରାନ୍ତରେ ତାଲିମ୍ ଦିଆଯାଇଥାନ୍ତା । କିନ୍ତୁ ଏହି ପ୍ରସ୍ତାବ ଅଧାରେ ଅଟକିଗଲା । ବ୍ରିଟିସ୍ ଅମଳରୁ ଏଭଳି ବିଚିତ୍ର ନିୟମରେ ପରିବର୍ତ୍ତନ ହୋଇନଥିବାରୁ ଏବେ ଅବକାରୀ ବିଭାଗରେ କାମ କରୁଥିବା ୩୨୪ ଏଏସଆଇ ଏବଂ ୧୩ ଶହ ୩୭ କନଷ୍ଟେବଳଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ୨୦୧୮ ପରଠାରୁ ଏସଆଇ ତାଲିମ ହୋଇନଥିବା କୁହାଯାଉଥିବାରୁ ଏବେ ରାଜ୍ୟରେ ଥିବା ମୋଟ ଏସଆଇ ୨୭୮ ରୁ ପଦୋନ୍ନତି ଓ ସିଧାସଳଖ ନିଯୁକ୍ତ ପାଇଥିବା ଅଧିକାରୀ ବି ଅଛନ୍ତି । ୪୦ ପ୍ରତିଶତ କେବଳ କନଷ୍ଟେବଳରୁ ପଦୋନ୍ନତି ପାଇ ଆସିଛନ୍ତି । ସେମାନଙ୍କୁ କୌଣସି ପ୍ରକାର ତାଲିମ୍ ଆଜି ସୁଦ୍ଧା ମିଳିନାହିଁ । ତାଲିମରୁ ବଞ୍ଚିତ ସଂଖ୍ୟା ୧୬ ଶହ ୬୧ ରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି ।
ଅବକାରୀ ବିଭାଗର ନିଜସ୍ବ ତାଲିମ କଲେଜ ନଥିବାରୁ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି ଓ ଅନୁଗୁଳ ପୁଲିସ ତାଲିମ କଲେଜରେ ଅବକାରୀ ଅଧିକାରୀ ଓ କର୍ମଚାରୀଙ୍କ ତାଲିମ ପାଇଁ ଏକ ଚୁକ୍ତି ସ୍ବାକ୍ଷର ହେଇଥିଲା । ଅଦୃଶ୍ୟ କାରଣ ପାଇଁ ଅବକାରୀ ବିଭାଗକୁ ତାଲିମ ପାଇଁ ଅନୁମତି ମିଳୁ ନଥିବା କୁହାଯାଉଛି । ୨୦୧୦ରେ ଭୁବନେଶ୍ବରରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମି ନିକଟରେ ଅବକାରୀ ବିଭାଗର ତାଲିମ କଲେଜ ଖୋଲିବା ପାଇଁ ପ୍ରସ୍ତାବ ଯାଇଥିଲା । ଏହି କଲେଜ ପାଇଁ କର୍ମଚାରୀ ପଦବି ସଂଖ୍ୟା ବି ଚୂଡ଼ାନ୍ତ ହୋଇଥିଲା । ଏକକାଳୀନ ୧୦୦ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯିବାର ଯୋଜନା ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ତାଲିମ କଲେଜ ପ୍ରକଳ୍ପ ଆଗକୁ ବଢ଼ିପାରିଲା ନାହିଁ । ବିନା କୌଣସି ପ୍ରକାର ତାଲିମରେ ଅବକାରୀ ଅଧିକାରୀ ଓ କର୍ମଚାରୀ କାମ କରୁଥିବାରୁ ବିଭିନ୍ନ ସମୟରେ ଅଡ଼ୁଆ ସ୍ଥିତି ସୃଷ୍ଟିହେଉଛି । ତେବେ, ବିନା ଆଇନଗତ ଦକ୍ଷତାରେ ଏଭଳି କେତେଦିନ ଅବକାରୀ କର୍ମଚାରୀ ରାଜ୍ୟରେ କାମ କରିବେ ତାହାକୁ ନେଇ ପ୍ରଶ୍ନ ଉଠୁଛି ।
