ଶ୍ରୀଜିଉଙ୍କ ଆଗରେ ସେବାୟତ, ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ପୁରୀ : ରଥଯାତ୍ରା ଭକ୍ତଙ୍କର । ଦୁଇବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ଦେଖି ନଥିବାରୁ ଅଧିକ ଭକ୍ତ ବି ବଡ଼ଦାଣ୍ଡରେ ଭିଡ଼ ଲଗାଇଥିଲେ । କିନ୍ତୁ ଶ୍ରୀଜିଉଙ୍କ ଆଗରେ ସେବାୟତମାନେ ଛିଡ଼ା ହୋଇଥିବାରୁ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହୋଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭକ୍ତ । ସେପଟେ ସଂଖ୍ୟା ଠାରୁ ବି ଅଧିକ ସେବାୟତ ରଥ ଉପରେ ଚଢ଼ି ରଥଯାତ୍ରା ବ୍ୟବସ୍ଥାବଳୀକୁ ଭାଙ୍ଗିବାକୁ ବି ପଛାଇ ନାହାନ୍ତି । ଗଜପତିଙ୍କ ଅନୁରୋଧକୁ ବି ମାନିନାହାନ୍ତି ।

ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ତିଆରି କରିଛି । ଛତିଶାନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ବି ଏଥିରେ ସହମତି ଜଣାଇବା ପରେ ବ୍ୟବସ୍ଥାବଳୀ ଚୂଡ଼ାନ୍ତ ହୋଇଛି । ବ୍ୟବସ୍ଥାବଳୀ ଅନୁଯାୟୀ, ଛେରା ପହଁରା ପରେ ରଥ ସଂପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ମିଶାଇ ବଳଭଦ୍ରଙ୍କ ରଥରେ ୭୦ ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୫୦ ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୭୦ ଜଣ ମଧ୍ୟରେ ରହିବେ । ତିନି ରଥର ବାଡ଼ରେ କୌଣସି ସେବକ ବସି ପାରିବେନି କି ଠିଆ ହୋଇପାରିବେନି । ତଳକୁ ଫୁଲ, ତୁଳସୀ ପକାଇ ପାରିବେନି । ସେହିଭଳି ଛେରା ପହଁରା ପୂର୍ବରୁ ଘଣ୍ଟୁଆଙ୍କୁ ରଥ ଉପରକୁ ଚଢ଼ାଇବାରେ ବାରଣ କରାଯାଇଛି । ପ୍ରତି ରଥରେ ସମାନ ସଂଖ୍ୟକ ପୁରୀ ଓ ଭଟିମୁଣ୍ଡା ଘଣ୍ଟୁଆ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା । ତାଳଧ୍ବଜ ରଥରେ ୧୪ ଜଣ, ଦେବଦଳନ ରଥରେ ୧୨ ଜଣ ଓ ନନ୍ଦିଘୋଷ ରଥରେ ୧୬ ଜଣ ଘଣ୍ଟୁଆ ରହିବେ ବୋଲି ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହି ନିୟମକୁ ମାଡ଼ି ମକଚି ଦିଆଯାଇଛି । ଶତାଧିକ ସଂଖ୍ୟକ ସେବକ ଆଜି ରଥ ଉପରେ ଚଢ଼ିଛନ୍ତି । ଠେକେରା ବାଡ଼ରେ ବି ବସିଛନ୍ତି, ତୁଳସୀ, ଫୁଲ ପକାଇଛନ୍ତି । ଯେଉଁଥିପାଇଁ ଦର୍ଶନରେ ବିଶୃଙ୍ଖଳା ଦେଖାଦେଇଛି ।

ସେପଟେ ରଥଯାତ୍ରା ପୂର୍ବରୁ ଗଜପତି ମହାରାଜ ବାରମ୍ବାର ନିବେଦନ କରିଥିଲେ, ଠାକୁର ରଥଯାତ୍ରାରେ ଯିବା ସମୟରେ ଆଗରେ କେହି ସେବାୟତ ବସିବେନି । ନିୟମ ଭିତରେ ରହି କାମ କରିବେ । ବିଶୃଙ୍ଖଳା କରିବେନି । ସ୍ନାନଯାତ୍ରାରେ ବିଶୃଙ୍ଖଳା ଘଟିଥିଲା । ସ୍ନାନ ନକରିବା ସେବାୟତ ଶ୍ରୀଜିଉଙ୍କ ସ୍ନାନ କରାଇଥିଲେ । ରଥଯାତ୍ରାରେ ସେଭଳି ପୁନରାବୃତ୍ତି ନ ଘଟୁ ବୋଲି ନିବେଦନ କରିଥିଲେ । କିନ୍ତୁ କେହି ବି ଏହି ନିୟମକୁ ମାନି ନାହାନ୍ତି । ଶ୍ରୀଜିଉଙ୍କ ଆଗରେ ଅଢ଼ୁଆଳ କରି ବସିବାରୁ ଭକ୍ତମାନେ ଦୁର୍ଲ୍ଲଭ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *