କୂଳ ଖାଉଛି ସମୁଦ୍ର, ଉଜୁଡ଼ି ଯାଉଛି ହେନ୍ତାଳ ବଣ

ଭଦ୍ରକ : ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳ ଚାନ୍ଦବାଲି ବ୍ଲକର ଧାମରା ଓ ବାସୁଦେବପୁର ବ୍ଲକର ତଟବର୍ତ୍ତୀ ଅଞ୍ଚଳ ପାଇଁ ସୁରକ୍ଷା କବଚ ଥିଲା ହେନ୍ତାଳ ବଣ ଓ ବନି ଜଙ୍ଗଲ । ଏହି ଜଙ୍ଗଲର ସୁରକ୍ଷା ପ୍ରତି ବନ ବିଭାଗ ଆଖି ବୁଜି ଦେଇଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦିଗରେ ଆଦୌ ତତ୍ପରତା ପ୍ରକାଶ କରୁନାହିଁ । ଗତ ଦୁଇ ବର୍ଷ ତଳେ ସାମୁଦ୍ରିକ ଝଡ଼ବାତ୍ୟା ‘ୟ‌ାସ’ ପ୍ରଭାବରେ ସଂପୃକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହେନ୍ତାଳ ବଣ ନଷ୍ଟ ହୋଇଥିବା ଯୋଗୁଁ ଉପକୂଳବର୍ତ୍ତୀ ଗାଁ’ଗଣ୍ଡାକୁ ସମୁଦ୍ର ଜୁଆର ପାଣି ମାଡ଼ିଆସୁଛି । ଚାଷଜମିରେ ଲୁଣି ପାଣି ମାଡ଼ିଯିବା ଫଳରେ ଫସଲ ଉଧୋଉ ନାହିଁ ।

ବନି ଜଙ୍ଗଲ ଓ ହେନ୍ତାଳ ବଣ ପ୍ରକୃତିକ ଉପାୟରେ ସମୁଦ୍ର କୂଳରେ ସୃଷ୍ଟି ହେଉଥିଲେ ମଧ୍ୟ ଏହାର ସୁରକ୍ଷା ବନ ବିଭାଗ କରିଥାଏ । ମାତ୍ର ଲୋକମାନ‌େ ଚିଙ୍ଗୁଡି ଚାଷ ପାଇଁ ଏସବୁ ଅଞ୍ଚଳରେ ଥିବା ବନି ଜଙ୍ଗଲକୁ ନଷ୍ଟ କରି ଦେଉଛନ୍ତି । ଏମାନଙ୍କ ଉପରେ ଅଙ୍କୁଶ ଲଗାଯାଉନାହିଁ । ରାଜ୍ୟର ସମୁଦ୍ର ଉପକୂଳରେ ଥିବା ୨୫୧ ବର୍ଗ କିଲୋମିଟର ପରିବ୍ୟାପ୍ତ ହେନ୍ତାଳ ବଣ ଧୀରେ ଧୀରେ ଲୋପ ପାଇବାକୁ ବସିଛି । ୨୦୧୧ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୨୧ ବର୍ଗ କିଲୋମିଟର ହେନ୍ତାଳ ବଣ ନଷ୍ଟ ହୋଇଛି । ରାଜ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ୧୮୩ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଥିବା ବେଳେ ଭଦ୍ରକ ଜିଲ୍ଲାରେ ୨୧ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି । ସେହିପରି ଜଗତସିଂହପୁର ଜିଲ୍ଲାରେ ୭ ବର୍ଗ କିଲୋମିଟର ଓ ବାଲେଶ୍ବର ଜିଲ୍ଲାରେ ୨ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି । ଯେଉଁ ବଣରେ ପ୍ରାୟ ୧୬୦ ପ୍ରଜାତିର ଗୁଳ୍ମଳତା ଓ ଜୀବଜନ୍ତୁ ଦେଖାଯାଇଥାନ୍ତି । ସମୁଦ୍ର କୂଳବର୍ତ୍ତୀ ଏହି ସବୁ ଜଙ୍ଗଲକୁ କାଟି ବସତି ସ୍ଥାପନ କରାଯିବା ସହ ଚିଙ୍ଗୁଡି ଚାଷ କରି କିଛି ବେପାରୀ ମାଲେମାଲ‌ ହେଉଛନ୍ତି । ଏହାର ସୁରକ୍ଷା କରାଯାଉନଥିବାରୁ ଉପକୂଳର ପ୍ରାକୃତିକ ଜଙ୍ଗଲ ବିଭବ କ୍ରମଶଃ ନଷ୍ଟ ହୋଇଚାଲିଛି ।

ଚିଙ୍ଗୁଡ଼ି ମାଫିଆଙ୍କ ଉପରେ ରୋକ୍ ନ ଲାଗିଲେ ଆଉ କିଛି ବର୍ଷ ପରେ ଭଦ୍ରକ ସମୁଦ୍ର ଉପକୂଳ ଅଞ୍ଚଳରେ ହଜାର ହଜାର ଏକର ବନି ଜଙ୍ଗଲ ଉପରେ କେବଳ ଚିଙ୍ଗୁଡି ଘେରି ଠିଆ ହୋଇଥିବ । ବନି ଜଙ୍ଗଲ ଓ ହେନ୍ତାଳ ବଣର ସୁରକ୍ଷା ପାଇଁ ୨୦୧୦ ମସିହାରେ ଜଳ ସଂପଦ ବିଭାଗ ସାଳନ୍ଦୀ କେନାଲ ଡିଭିଜନ୍ ଓ ଓସ୍‌ଡମା ମାଧ୍ୟମରେ ସୁନାମୀ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ୧୭ କିମି ପରିବ୍ୟାପ୍ତ ଉପକୂଳରେ ସୁଉଚ୍ଚ ଲୁଣାବନ୍ଧ ନିର୍ମାଣର ପରିକଳ୍ପନା କରାଯାଇଥିଲା । ହେଲେ ଏହି ପ୍ରକଳ୍ପ ସରକାରୀ ଫାଇଲ ଭିତରେ ବନ୍ଧା ପଡ଼ିଥିବା ବେଳେ ପୁରୁଣାକାଳରୁ ନିର୍ମାଣ ହୋଇଥିବା ଲୁଣାବନ୍ଧ ଏବେ ଅବକ୍ଷୟମୁଖୀ ଅବସ୍ଥାରେ ରହିଛି ।

ଅଧିକାଂଶ ଲୁଣାବନ୍ଧ ଭାଙ୍ଗି ମାଟିରେ ମିଶିଯାଇଥିବା ବେଳେ କିଛି କିଛି ସ୍ଥାନରେ ଚିଙ୍ଗୁଡି ମାଫିଆ ବନ୍ଧ କାଟି ଦେଇଛନ୍ତି । ଯାହାଫଳରେ ସମୁଦ୍ର ଜୁଆର କୂଳ ଲଂଘି ଉପକୂଳ ଅଞ୍ଚଳକୁ ମାଡ଼ି ଆସିବା ସହ ଚାଷଜମିର ଉର୍ବରତାକୁ ନଷ୍ଟ କରୁଛି ।

Leave a Reply

Your email address will not be published. Required fields are marked *