ଭୁବନେଶ୍ୱର : ରାଜଧାନୀରେ ଗତ କିଛି ଦିନ ଧରି ମାଡ଼ି ଚାଲିଥିବା ଡେଙ୍ଗୁ ଭୟଙ୍କର ରୂପ ଧାରଣ କରିଛି । ଏହି ରୋଗରେ ବୁଧବାର ଦିନ ଜଣେ ବ୍ୟକ୍ତି ପ୍ରାଣ ହରାଇବା ଘଟଣା ସହରରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି । ଏବର୍ଷ ଏହା ପ୍ରଥମ ଡେଙ୍ଗୁ ମୃତ୍ୟୁ ବୋଲି କୁହାଯାଉଛି । ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଅବସରପ୍ରାପ୍ତ ପୁଲିସ ଅଧିକାରୀ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଗତ ୨ ତାରିଖରେ ସେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ସେ ନୀଳାଦ୍ରିବିହାର ଅଞ୍ଚଳର ସୁଦର୍ଶନ ସେଠି ବୋଲି ଜଣାପଡ଼ିଛି ।
ସେପଟେ ରାଜଧାନୀରେ ଡେଙ୍ଗୁର ମୁକାବିଲା ନେଇ କଣ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶ୍ନ ପଚାରିଲେ ମୁହଁ ମୋଡି ଚାଲିଯାଉଛନ୍ତି ମେୟର ସୁଲୋଚନା ଦାସ । ଭୁବନେଶ୍ବର ମହାନଗର ନିଗମରେ ପ୍ରତିବର୍ଷ ବଢ଼େ ଡେଙ୍ଗୁ ଆତଙ୍କ । ହେଲେ ଚଳିତ ଥର ତାକୁ ନେଇ କଣ ରହିଛି ଆଗୁଆ ପଦକ୍ଷେପ । ପଚାରିଲେ କିଛି ନ କହି ଚାଲିଯାଉଛନ୍ତି ମେୟର ସୁଲୋଚନା ଦାସ ।
ଆଉ କେଇଟା ଦିନରେ ଓଡିଶାକୁ ଛୁଇଁପାରେ ମୌସୁମୀ । ଆଉ ବର୍ଷା ପୂର୍ବୁହିଁ ଭୁବନେଶ୍ବରର ଡେଙ୍ଗୁ ପ୍ରଭାବିତ ଅଞ୍ଚଳ ଯଥା ଶୈଳଶ୍ରୀ ବିହାର, ଡମଣା, ନୀଳାଦ୍ରି ବିହାର ଅଞ୍ଚଳରେ ଲୋକଙ୍କ ପ୍ରମାଦ ଗଣିଲେଣି । ହେଲେ ଏ ସବୁ ରେକିବା ପାଇଁ ବିଏମସି ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଗତବର୍ଷ ଭୁବନେଶ୍ବରରେ ଡେଙ୍ଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା । ଜୁନ୍ ଓ ଜୁଲାଇ ମାସରେ ସ୍ଥିତି ଏମିତି ହୋଇଥିଲା ଯେ ସରକାରୀ ଭାବେ ଦୁଇ ହଜାରରୁ ଅଧିକ ଅକ୍ରାର ଚିହ୍ନଟ ହୋଇଥିଲେ । ବେସରକାରୀ ଭାବେ କହିବାକୁ ଗଲେ ସଂଖ୍ୟା ଢେର ଅଧିକ ଥିଲା । ଡେଙ୍ଗୁ ମୁକାବିଲା ପାଇଁ ବିଏମସି ନା ମଶା ମାରିବା ଧୂଆଁ ସ୍ପ୍ରେ କରୁଛି ନା ସ୍ଥାନୀୟ ଅଞ୍ଚଳରେ ଥିବା ନାଳ ନାର୍ଦ୍ଦମା ସଫା କରୁଛି । ଯାହା ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରୁଛି ।
