ପାଟଣା : ତାହାର ପ୍ରକୃତ ପିତା ମାତା କିଏ ସେ ଜାଣିନାହିଁ । ତେବେ ମାତ୍ର ଅଢେଇ ମାସର ହେଇଥିବା ସମୟରୁ ମୂଷାଖୋରୀ ପଞ୍ଚାୟତ ମଲ୍ଲିପଶି ଗ୍ରାମର ସ୍ବର୍ଗତ ବିଜୟ କୁମାର ନାଏକ ଓ ତାଙ୍କ ପତ୍ନୀ ରମି ନାଏକଙ୍କ ଏକମାତ୍ର ପାଳିତା କନ୍ୟାଙ୍କୁ ନେଇ ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ମଲ୍ଲିପଶି ଗ୍ରାମର ବିଜୟ ନାଏକଙ୍କ ତିନି ଜଣିଆ ପରିବାର ଅଭାବ ଅନଟନ ମଧ୍ୟରେ ଦୁଃଖ କଷ୍ଟ ମଧ୍ୟରେ ସଂସାର ରଥ ଗଡି ଚାଲିଥିଲା । ହେଲେ ୨୦୧୯ ଆଗ ପଛ ହୋଇ ବିଜୟ ଓ ତାଙ୍କ ପତ୍ନୀ ରମିଙ୍କର ଅକାଳ ବିୟୋଗ ପରେ ପାଳିତା କନ୍ୟା ସୁଭଦ୍ରା ମୁଣ୍ଡରେ ବଜ୍ର ପଡ଼ିଥିଲା । ପିତାମାତାଙ୍କ ମୃତ୍ୟୁ ସମୟ ବେଳକୁ ସେ ମଲ୍ଲିପଶି ଜନତା ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବାରୁ କମସେ କମ୍ ମାଟ୍ରିକ ପରୀକ୍ଷା ଦେବା ଯାଏଁ ମୂଲ ମଜୁରୀ ଲାଗି ଦଶମ ପରୀକ୍ଷା ଦେଇ ମାଟ୍ରିକ ମଧ୍ୟ ୬୦୦ ରୁ ୨୯୨ ନମ୍ବର ରଖି ପାସ କରିଥିଲା । +୨ ପାଠ ପଢ଼ିବାକୁ ଇଛା ଥିଲେବି ଅର୍ଥ ଅଭାବ ସୁଭଦ୍ରାର ଉଚ୍ଚ ଶିକ୍ଷାରେ ବାଧକ ହୋଇଥିଲା ।

ପେଟ ଚାଖଣ୍ଡକ ପୋଷିବା ପାଇଁ ସେ ବାଧ୍ୟ ହୋଇ ମୂଲ ମଜୁରୀ କାମକୁ ଆପଣେଇ ନେଇଥିଲା । ତଥାପି ସେ ଅର୍ଦ୍ଧାହାରରେ ଦିନ କାଟି ଆସୁଛି । ବାପା ମାଆଙ୍କ ମୃତ୍ୟୁ ପରେ ଅନାଥ ସୁଭଦ୍ରା ପୁରୁଣା ଘରଟି ମରାମତି କରି ପାରୁନଥିବାରୁ ଘର ଫାଟି ଆଁ କଲାଣି । ମାସିକ ଦେୟ ନଦେଇ ପାରିବାରୁ ବିଜୁଳି ବିଭାଗ ତାଙ୍କ ଘରର ଯୋଗାଯୋଗ ମଧ୍ୟ କାଟି ଦେଇଛି । ଏପରି ସ୍ଥିତିରେ ଅନାଥ ସୁଭଦ୍ରା ଏକୁଟିଆ ରାତି ଘରେ ରହିବାକୁ ମଧ୍ୟ ଭୟ କରୁଥିବାରୁ ବାଧ୍ୟ ହୋଇ ପଡୋଶୀଙ୍କ ଘରେ ରାତିରେ ମୁଣ୍ଡ ଗୁଞ୍ଜୁଥିବା ବେଳେ ଦିନ ବେଳେ ମୂଲ ମଜୁରୀ ଲାଗୁଛି । ଉଚ୍ଚ ଶିକ୍ଷା ପାଇଁ ଆଶା ବାନ୍ଧିଥିବା ସୁଭଦ୍ରା ପାଇଁ ଅର୍ଥ ଓ ଆବାସର ଆବଶ୍ୟକତା ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ତାହାର ଦୁଃଖ ଜଣାଇଥିବା ସୂଚନା ଦେଇଛି । ମାଳମାଳ ସରକାରୀ ଯୋଜନା ଥିଲେ ଭିତରେ ଅବର୍ଣ୍ଣନୀୟ ଦୁଃଖର ପାହାଡ଼ ଭିତରେ ଭଙ୍ଗା ଦଦରା ଘରେ ସୁଭଦ୍ରା ନିଜର ଭାଗ୍ୟ ଓ ଭବିଷ୍ୟତ ନେଇ ଭାଙ୍ଗି ପଡ଼ିଥିବା ବେଳେ ସରକାର ଓ ବଦାନ୍ୟ ବ୍ୟକ୍ତି ଅଥବା ଅନୁଷ୍ଠାନ ସହାୟତାର ହାତ ବଢାଇଲେ କେନ୍ଦୁଝର ସୁଭଦ୍ରା ନାଏକଙ୍କ ସୁନେଲି ସୂର୍ଯ୍ୟ ଉଇଁ ପାରନ୍ତା ବୋଲି ସ୍ଥାନୀୟ ପୂର୍ବତନ ସରପଞ୍ଚ ଅନାଦି ଚରଣ ମହାନ୍ତ ଏହି ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।
