ସ୍ମାର୍ଟ‌ ସିଟିରେ ବିକଳ ଶିକ୍ଷା ବ୍ୟବସ୍ଥା : ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି, ଶିକ୍ଷାଦାନ କରିବାକୁ ଶିକ୍ଷକ ନାହାନ୍ତି

ରାଉରକେଲା : ପ୍ରାୟ ୩୬ ବର୍ଷ ପୁରୁଣା ପ୍ରାଥମିକ ସ୍କୁଲ । ଏଠାରେ ପର୍ଯ୍ୟାପ୍ତସଂଖ୍ୟକ ଛାତ୍ରଛାତ୍ରୀ ଅଧ୍ୟୟନରତ । ଛାତ୍ରଛାତ୍ରୀ ଉପସ୍ଥାନ ବି ୮୫ ପ୍ରତିଶତ ଉପରେ । ମାତ୍ର ଶିକ୍ଷାଦାନ କରିବାକୁ ଶିକ୍ଷକ ନାହାନ୍ତି । ଫଳରେ ଉନ୍ନତମାନର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଏଭଳି ଦୂରବସ୍ଥା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କୌଣସି ଉପାନ୍ତ ଅଞ୍ଚଳର ସ୍କୁଲ ନୁହେଁ; ବରଂ ସ୍ମାର୍ଟସିଟି ରାଉରକେଲାର ବାଲୁଘାଟସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟର ବିକଳ ଚିତ୍ର । ଅପରପକ୍ଷରେ ସହରର ଅନ୍ୟ କିଛି ସ୍କୁଲରେ ଖୁବ୍‌ କମ୍‌ ଛାତ୍ରଛାତ୍ରୀ ଥିଲେ ମଧ୍ୟ ଆବଶ୍ୟକତାରୁ ଅଧିକ ଶିକ୍ଷକଶିକ୍ଷୟିତ୍ରୀ ରହୁଛନ୍ତି; ଯାହାକି ଶିକ୍ଷାବିଭାଗର ପାରଦର୍ଶୀ କାର୍ଯ୍ୟକଳାପ ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୧୯୮୬ ମସିହାରେ ବାଲୁଘାଟରେ ସ୍ଥାପିତ ହୋଇଥିଲା ବ୍ରାହ୍ମଣୀ ନଗର ପ୍ରାଥମିକ ବିଦ୍ୟାଳୟ । ଏଠାରେ ପ୍ରାୟତଃ ସ୍ଥାନୀୟ ବାଲୁଘାଟର ବିଭିନ୍ନ ବସ୍ତି ଅଞ୍ଚଳର ପିଲା ପାଠ ପଢ଼ୁଛନ୍ତି । ଏଠାରେ ୧ ରୁ ୫ ଶ୍ରେଣୀ ଯାଏଁ ୧୮୫ ଜଣ ଛାତ୍ରଛାତ୍ରୀ ଅଛନ୍ତି । ପ୍ରତ୍ୟେକ ଦିନ ଉପସ୍ଥାନ ସଂଖ୍ୟା ୮୫ ପ୍ରତିଶତରୁ ଅଧିକ । କିନ୍ତୁ ଏଠାରେ ମାତ୍ର ତିନି ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି । ଭିତ୍ତିଭୂମି ଅଛି, ଛାତ୍ରଛାତ୍ରୀ ବି ଅଛନ୍ତି କିନ୍ତୁ ପଢ଼ାଇବାକୁ ଶିକ୍ଷକଶିକ୍ଷୟିତ୍ରୀ ନାହାନ୍ତି । ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକମାନେ ବହୁବାର ବିଶ୍ରା ଗୋଷ୍ଠି ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି; କିନ୍ତୁ ଏଯାଏଁ ସୁଫଳ ମିଳିନି। ତ୍ରୁଟିପୂର୍ଣ୍ଣ ବଦଳି ବ୍ୟବସ୍ଥା ଓ ପ୍ରକ୍ରିୟାରେ ସ୍ଵଛତା ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ହୁଏ ।

ଅପରପକ୍ଷରେ କୋଏଲନଗର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମ୍‌ ଥିଲେ ସୁଦ୍ଧା ଶିକ୍ଷକଶିକ୍ଷୟିତ୍ରୀ ସଂଖ୍ୟା ଢ଼େର୍‌ ଅଧିକ । ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ୭୭ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏମାନଙ୍କୁ ପାଠ ପଢ଼ାଇବାକୁ ଅଛନ୍ତି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ମୋଟ୍‌ ୮ ଜଣ । ଗୋଟିଏ ସ୍କୁଲରେ ଅଧିକସଂଖ୍ୟକ ଶିକ୍ଷକଶିକ୍ଷୟିତ୍ରୀ ଶିକ୍ଷାଦାନ କରିବା ନିଶ୍ଚିତଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ । ତେବେ ଗୋଟିଏ ସ୍କୁଲରେ ଆବଶ୍ୟକତାରୁ ଅଧିକ ଶିକ୍ଷକଶିକ୍ଷୟିତ୍ରୀ ଥିବାବେଳେ ଅନ୍ୟ ସ୍କୁଲରେ ଶିକ୍ଷକ ମରୁଡ଼ି; ଶିକ୍ଷାଦାନରେ ବାଧକ ସାଜିଛି । ତେବେ ପ୍ରଶ୍ନ ଉଠୁଛି ପ୍ରତ୍ୟେକ ବର୍ଷ ଶିକ୍ଷା ବିଭାଗ ପକ୍ଷରୁ ଯେଉଁ  ଆନୁପାତିକ ହାରରେ ବଦଳି ନୀତି ଅବଲମ୍ବନ ଓ ପ୍ରକ୍ରିୟାରେ ସ୍ଵଛତା କଥା କୁହାଯାଉଛି, ତାହା କେତେ ସତ; ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ।

Leave a Reply

Your email address will not be published. Required fields are marked *