ନୀଳଗିରି : ଟାଟା ପାୱାର କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ମାରପିଟ୍ ହୋଇଛି । ଆଜି ନୀଳଗିରି ଧୋବଶିଳା ଗାଁକୁ ଟାଟା ପାୱାର କର୍ମଚାରୀମାନେ ବକେୟା ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଯାଇଥିଲେ । ଗ୍ରାମର ଅନେକ ଉପଭୋକ୍ତା ବକେୟା ବିଲ୍ର ୫୦ ପ୍ରତିଶତ ଦେବା ପାଇଁ ରାଜି ହୋଇଥିଲେ । କିନ୍ତୁ ଟାଟା ପାୱାର କର୍ମଚାରୀମାନେ ପୂରା ବକେୟା ବିଲ୍ ପୈଠ କରିବା ପାଇଁ ଜିଦ୍ ଧରିଥିଲେ । ଯେଉଁମାନେ ଦେବାକୁ ମନା କରିଥିଲେ, ସେମାନଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ । ଫଳରେ ଟାଟା ପାୱାର କର୍ମଚାରୀ ଓ ଗ୍ରାମବାସୀ ତଥା ଉପଭୋକ୍ତାଙ୍କ ମଧ୍ୟରେ ମାଡ଼ପିଟ ହୋଇଥିଲା । ଏଥିରେ ଗ୍ରାମର ଜଣେ ମହିଳାଙ୍କ ସହ ସୁଚିସ୍ମିତା ସ, କରୁଣାକର ସ ଓ ସରସ୍ବତୀ ସ୍ବାଇଁ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ନୀଳଗିରି ଓ ପରେ ବାଲେଶ୍ବର ଡାକ୍ତରଖାନା ପଠାଯାଇଛି ।
ଅନ୍ୟପଟେ ଆକ୍ରୋଶର ଶିକାର ହୋଇଥିବା ବୁଦ୍ୟିତ୍ କର୍ମଚାରୀମାନେ ଆକ୍ରମଣ କରିଥିବା ଅନ୍ୟ ତିନିଜଣଙ୍କୁ ମଧ୍ୟ ଗିରଫ କରିବା ପାଇଁ ଦାବି କରିଛନ୍ତି । ଏପରି ସମୟରେ ଆଇଆଇସି ଦ୍ରୌପଦୀ ଦାସ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରି ଘଟଣା ସମାଧାନ କରିବାକୁ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି । ଏନେଇ ଟାଟା ପାୱାରର ସ୍ଥାନୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବାଶିଷ ପୁହାଣଙ୍କ ପ୍ରତିକ୍ରିୟା ନିଆଯାଇଥିଲା । ସେ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ସେମାନଙ୍କ କର୍ତ୍ତବ୍ୟ କରୁଥିଲେ । ଏପରି ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ ବୋଲି କହିଛନ୍ତି ।
