ଆସିକା : ଉତ୍ତମ ସେବା ଓ ଉନ୍ନତଧରଣର ବିଦ୍ୟୁତ୍ ସ˚ଯୋଗ ଲକ୍ଷ୍ୟରେ ରାଜ୍ୟ ସରକାର ଟାଟା ପାୱାର୍କୁ ବିଦ୍ୟୁତ୍ ସେବା ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିଥିଲେ । ଟାଟା ପାୱାର୍ ଦାୟିତ୍ବ ନେବା ପରେ ଅସଜଡ଼ା ଭିତ୍ତିଭୂମି ପୁଣି ସଜଡ଼ାଯିବ । ଆଉ ଉନ୍ନତମାନର ନିରବଚ୍ଛିନ୍ନ ସେବା ମିଳିବ ବୋଲି ଗଞ୍ଜାମ ଜିଲ୍ଲାର ଆସିକା ସହରବାସୀ ଆଶା ବାନ୍ଧିଥିଲେ । ଏହା ସହ ଭିତ୍ତିଭୂମି ବିକାଶ ପରେ ଗ୍ରୀଷ୍ମରେ କୌଣସି ପରିସ୍ଥିତିରେ ବି ପାୱାରକଟ୍ ହେବନି ବୋଲି ବିଭାଗୀୟ ସଚିବ ଗତ ମାସରେ ପ୍ରତିଶ୍ରୁତି ଦେଇଥିଲେ ।
ତେବେ ଅବଶୋଷର ବିଷୟ ହେଉଛି, ସ୍ଥିତିରେ ସୁଧାର ଆସୁନାହିଁ । ଉଚିତ ସେବା ବଦଳରେ ଟାଟା ପାୱାର୍ ଏଠାରେ ଯେମିତି ଖାଉଟି ଶୋଷଣ ନୀତିକୁ ଆପଣାଇଛି । ଫଳରେ ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଆସିକାରେ ଘନ ଘନ ପାୱାରକଟ୍ ସାଙ୍ଗକୁ ଲୋଭୋଲଟେଜ୍ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଗୋଟିଏ ପଟେ ଠିକ୍ ସମୟରେ ବିଲ୍ ପୈଠ କରିବାକୁ ଖାଉଟିଙ୍କ ଉପରେ ଚାପ ପଡ଼ୁଥିବା ବେଳେ ଅନ୍ୟପଟେ ଟାଟା ପାୱାର୍ର ଏଭଳି ମନମୁଖି କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ମାଳ ମାଳ ଯନ୍ତ୍ରୀ ଥାଇ ବି କୌଣସି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି ।
ଉଦାହରଣ ସ୍ବରୂପ ଗତକାଲିର କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ସହ ବର୍ଷା ହେବାରୁ କିଛି ସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା । ହେଲେ ଦୀର୍ଘ ୨୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ସେବା ବନ୍ଦ ରହିବାରୁ ସହରବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ହେଲେ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି । ସାମାନ୍ୟ ବର୍ଷା ଓ ପବନ ହେଲେ ଘଣ୍ଟା ଘଣ୍ଟା ଧରି କାହିଁକି ବିଦ୍ୟୁତ୍ ସେବା ଠପ୍ ହୋଇଯାଉଛି, ଏହି କଥା ଚିନ୍ତା କରାଯାଉନି । ବର୍ତ୍ତମାନ ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ଡାଳ ଜାଲ ଭଳି ମାଡ଼ି ରହିଥିଲେ ଏଥିପ୍ରତି ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ସେହିପରି କୌଣସି କର୍ମଚାରୀ ରାତିରେ ଜରୁରୀକାଳୀନ ସେବା ଯୋଗାଇ ପାରୁନାହାନ୍ତି । ଆସିକା ସହର ଦୁଇ ନଦୀ ମଧ୍ୟରେ ରହୁଥିବାରୁ ପାନୀୟ ଜଳ ଯୋଗାଣ ସମେତ ଅନ୍ୟ ଆନୁଷଙ୍ଗିକ କାମ ପାଇଁ ବିଭାଗୀୟ କର୍ମଚାରୀ ୨୪ ଘଣ୍ଟା ସକ୍ରିୟ ହୋଇ କାମ କରିବାର ଆବଶ୍ୟକ ରହିଛି ।
ମେଡ଼ିକାଲ ଫିଡର୍ରୁ ରାତିରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ସହରର ୮୦ ପ୍ରତିଶତ ସାହିକୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇପାରନ୍ତା । କିନ୍ତୁ ଯନ୍ତ୍ରୀଙ୍କ ଅପାରଗତା ଯୋଗୁଁ ଲୋକଙ୍କୁ କଷ୍ଟ ସହିବାକୁ ପଡ଼ୁଛି । ବିଦ୍ୟୁତ୍ ଯୋଗାଣର ସ୍ୱତନ୍ତ୍ର ବ୍ୟବସ୍ଥା ଦୂରର କଥା ବିଦ୍ୟୁତ୍ ତାର ସଜାଡ଼ିବାକୁ ବି ବିଭାଗର ତତ୍ପରତା ନାହିଁ । ସହରର ତାପମାତ୍ରା ଦିନରେ ୪୦ ଡିଗ୍ରି ଉପରେ ରହୁଥିବା ବେଳେ ଘନ ଘନ ବିଦ୍ୟୁତ୍ କାଟକୁ ଅସନ୍ତୋଷ ତୀବ୍ର ହେଉଛି । ସବୁ ସାହିରେ ପୋତାଯାଇଥିବା ପୁରୁଣା ଖୁଣ୍ଟ କେଉଁଠି ବଙ୍କା ହୋଇ ରାସ୍ତାକୁ ଢଳି ରହିଛି ତ, ଆଉ କେଉଁଠି ସମ୍ପୂର୍ଣ୍ଣ ଭାବେ କଳଙ୍କି ଲାଗିଛି । କିନ୍ତୁ ସହରରେ କନିଷ୍ଠ ଯନ୍ତ୍ରୀଙ୍କଠୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଥାଇ ସୁଦ୍ଧା ସମସ୍ୟାର ସ୍ଥାୟୀ ସମାଧାନ ହେଉନି । ଯନ୍ତ୍ରୀ ଖୋଦ୍ ଆସିକାରେ ରହିଲେ, ବିଦ୍ୟୁତ କାଟ ଯନ୍ତ୍ରଣାକୁ ଅନୁଭବ କରିପାରିବେ ବୋଲି ମତ ପ୍ରକାଶ ପାଇଛି ।