ଖଇରା : ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ନେଇ ରାଜ୍ୟ ପଡ଼ିଲା ଉଠିଲା । ଏହା ହତ୍ୟା ନା ଆତ୍ମହତ୍ୟା, ସେ ନେଇ ଖୋଳତାଡ଼ ବି ହେଲା । ବର୍ଷେ ପୂରିଲା ପଛେ, ଘଟଣା ଉପରୁ ପରଦା ଉଠିପାରିଲାନାହିଁ । ରହସ୍ୟ ହୋଇ ରହିଗଲା ଏହି ଯୁବ ବନ ଅଧିକାରୀଙ୍କ ମୃତ୍ୟୁ ଘଟଣା । ଭେଣ୍ଡିଆ ପୁଅକୁ ହରାଇ ବାପା, ମା ଏବେ ବି ଗୁମୁରି ଗୁମୁରି କାନ୍ଦୁଛନ୍ତି । ତିଥି ଅନୁସାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଶନିବାର ଦିନ ବର୍ଷେ ପୂରିଛି । ଶୋକାକୁଳ ପରିବେଶରେ ବାଲେଶ୍ବର ଜିଲ୍ଲା ଖଇରା ବେଗୁନିଆସ୍ଥିତ ଘରେ ପରିବାର ଲୋକ ଶନିବାର ଦିନ ଶ୍ରାଦ୍ଧ କ୍ରିୟାକର୍ମ କରିଛନ୍ତି । ବାପା ଅଭିରାମ ମହାପାତ୍ର ଓ ମାଆ ତୁଳସୀ ମହାପାତ୍ର ପୁଅ ସ୍ମୃତିରେ ଲୁହ ଗଡ଼ାଇଛନ୍ତି । ଶ୍ରାଦ୍ଧକର୍ମରେ ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଯୋଗ ଦେଇଥିବା ବେଳେ ଉଭୟଙ୍କୁ ସମବେଦନା ଜଣାଇଛନ୍ତି ।
ସୌମ୍ୟରଞ୍ଜନଙ୍କ ଶ୍ରାଦ୍ଧକର୍ମ ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପରିବାର ଲୋକେ ଢ଼େର ବିଷୋଦ୍ଗାର କରିଥିଲେ । ପୁଲିସ ଓ ସରକାରରେ ଥିବା ପ୍ରଭାବଶାଳୀ ବ୍ୟକ୍ତି ଏହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଉପରୁ ତାଙ୍କର ସବୁ ଭରସା ତୁଟିଯାଇଛି । ତଥାପି ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ ଅଛି । ପୁଅ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ।
ସୂଚନା ଥାଉକି, ଗତବର୍ଷ ଜୁଲାଇ ୧୩ ତାରିଖରେ ଏସିଏଫ୍ ସୌମ୍ୟରଞ୍ଜନଙ୍କର ଗଞ୍ଜାମ ପାରଳାଖେମୁଣ୍ଡିସ୍ଥିତ ବାସଭବନରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଦେହରେ ନିଆଁ ଲାଗିଯିବାରୁ ସେ ସଂପୂର୍ଣ୍ଣ ପୋଡ଼ି ଯାଇଥିଲେ । ପରିବାର ଲୋକେ ଏହି ଘଟଣାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଦୋଷାରପ କରିବା ସହ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । ଏପରିକି ପୂର୍ବତନ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ଉଠିଥିଲା । ନ୍ୟାୟ ପାଇଁ ସୌମ୍ୟରଞ୍ଜନଙ୍କ ବାପାମାଆ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୁଲିସ ଡିଜି, ଜଙ୍ଗଲ ବିଭାଗର ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କୁ ଗୁହାରି କରିଥିଲେ । ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି ପୁଲିସ ବିଦ୍ୟାଭାରତୀଙ୍କ ସହ ଡିଏଫ୍ଓ ଓ ରୋଷେୟାଙ୍କ ନାମରେ ୩୦୨ ଦଫାରେ ମାମଲା ରୁଜୁ କରିଥିଲା । ହେଲେ କାହାକୁ ଗିରଫ କଲାନାହିଁ । ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ୍ବ୍ରାଞ୍ଚ ନେଇଥିଲା । ଅଧିକାରୀମାନେ ତଦନ୍ତ ନାମରେ ଦିନ ଗଡ଼ାଇଲେ, ଶେଷରେ ଏହା ଏକ ଆକସ୍ମିକ ଦୁର୍ଘଟଣା ଥିଲା ବୋଲି ଦର୍ଶାଇ ସବୁଦିନ ପାଇଁ ଫାଇଲ ବନ୍ଦ କରିଦେଲେ । ବର୍ଷେ ପରେ ମଧ୍ୟ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏକ ପ୍ରହେଳିକା ହୋଇରହିଛି । ବହୁଚର୍ଚ୍ଚିତ ଏହି ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି ।
