ଭୁବନେଶ୍ୱର : ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ ଘଟିଛି । ବରମୁଣ୍ଡା ନାଳର ଏକ ବ୍ରିଜକୁ ଧକ୍କାଦେବା ପରେ ବସ୍ଟି ଜଳିଯାଇଛି । ଏହି ଦୁର୍ଘଟଣାଟି ତପୋବନ-ବସ୍ଷ୍ଟାଣ୍ଡ ନାଳ ନିକଟରେ ଘଟିଥିବା ବେଳେ ଅଗ୍ନିକାଣ୍ଡରେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ସୂଚନା ମୁତାବକ ଫୁଲବାଣୀରୁ ଭୁବନେଶ୍ୱର ବରମୁଣ୍ଡା ଆସୁଥିବା ଯାତ୍ରୀବାହୀ ବସ ଏକ ବ୍ରିଜକୁ ଧକ୍କା ଦେବାଫଳରେ ହଠାତ୍ ନିଆଁ ଲାଗି ଯାଇଥିଲା । ବସରେ ପ୍ରାୟ ୩୦/୩୫ ଜଣ ଯାତ୍ରୀ ଥିଲେ । ଯାତ୍ରୀମାନେ ଚିତ୍କାର କରିବାରୁ ନିକଟରେ ଥିବା ସ୍ଥାନୀୟ ଲୋକମାନେ ଦୌଡ଼ି ଆସି ବସର କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ପ୍ରାୟ ୬/୭ ଜଣ ଯାତ୍ରୀ ନିଆଁରେ ପୋଡି ଆହତ ହୋଇଛନ୍ତି । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିଶମ ବାହିନୀ ଭରତପୁର ଓ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସ୍ଥାନୀୟ ଲୋକ ବସରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିସାରିଥିଲେ । ପୁଲିସ ଆହତମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ଡାକ୍ତରଖାନା ପଠାଇଛି । ବସଟି ଦୁର୍ଘଟଣା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଏ ପାରେ ବୋଲି ପୁଲିସ ଅନୁମାନ କରୁଛି ।
