ମୟୂରଭଞ୍ଜରେ ୨୪ ହଜାର ଶ୍ରମିକଙ୍କ ପତ୍ତା ମିଳୁନି : ଶ୍ରମ ବିଭାଗରେ ବି ବଡ଼ ଦୁର୍ନୀତି !

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ୧ ଲକ୍ଷ ୨୭ ହଜାର ୬୮୩ ଜଣ ଲୋକଙ୍କ ନାଁରେ ରହିଛି ଶ୍ରମିକ କାର୍ଡ । ଶ୍ରମକାର୍ଡ ପାଇଁ ୧ ହଜାରୁ ଅଧିକ ଆବେଦନପତ୍ର ବି ଅନୁମୋଦନ ଅପେକ୍ଷାରେ ରହିଛି । ସବୁଠୁ ବଡ଼କଥା ହେଲା, ପଞ୍ଜିକୃତ ଶ୍ରମିକମାନଙ୍କ ମଧ୍ୟରୁ ୨୪ ହଜାର ଶ୍ରମିକଙ୍କର ପତ୍ତା ମିଳୁନି । ତେବେ ଏହି ଶ୍ରମିକମାନେ ଅସଲି ନା ନକଲି, ସେ ନେଇ ଖୋଦ୍‌ ଶ୍ରମ ବିଭାଗ ବି ଦ୍ବନ୍ଦ୍ବରେ ପଡ଼ିଛି । କାରଣ ସରକାରଙ୍କ କରୋନା ସହାୟତା ରାଶି ନେବାପାଇଁ ଏହି ୨୪ ହଜାର ଶ୍ରମିକମାନେ ଆସୁନାହାନ୍ତି କି ଆବେଦନ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି । ଶ୍ରମ ବିଭାଗର କହିବା ଅନୁଯାୟୀ, ଆମେ ବ‌ର୍ଷେ ହେଲା ସେମାନଙ୍କର ସନ୍ଧାନ କରୁଛୁ । ହେଲେ କାହାକୁ ପାଉନୁ । ଫଳରେ ସେମାନଙ୍କ ପାଇଁ ଆସିଥିବା ୪ କୋଟି ୮୦ ଲକ୍ଷ କରୋନା ସହାୟତା ରାଶି ଫେରିଯିବାକୁ ବସିଛି । ତେବେ ଶ୍ରମ ବିଭାଗର ସ୍ବୀକାରୋକ୍ତି ଏକ ବଡ଼ ଦୁର୍ନୀତିର ଗୁମର ଖୋଲିଦେଇଛି । ପ୍ରକୃତରେ ସହାୟତା ଟଙ୍କା ନେବାକୁ ଆସୁନଥିବା ଲୋକେ ଶ୍ରମିକ ନା ସେମାନଙ୍କ ନାଁରେ ଜାଲ୍‌ କାର୍ଡ ତିଆରି ହୋଇଥିଲା; ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

କରୋନା ସହାୟତା ବାବଦରେ ପଞ୍ଜିକୃତ ଶ୍ରମିକମାନଙ୍କୁ ମୁଣ୍ଡପିଛା ଦେଢ଼ ହଜାର ଟଙ୍କା ଲେଖା ଦେବାକୁ ସରକାର ଘୋଷଣା କରିଥିଲେ । ଗ୍ରାମାଞ୍ଚଳରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସହରାଞ୍ଚଳରେ ପୌର କର୍ମଚାରୀ ଏହି ସହାୟତା ରାଶି ବାଣ୍ଟିଥିଲେ । ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୮ ହଜାର ଶ୍ରମିକଙ୍କ ପାଇଁ ୧୧ କୋଟି ୭୦ ଲକ୍ଷ ଟଙ୍କା ଆସିଥିବାବେଳେ ସେଥିମଧ୍ୟରୁ ୭୦ ହଜାର ଶ୍ରମିକଙ୍କୁ ୧୦ କୋଟି ୫୦ ଲକ୍ଷ ଟଙ୍କା ଦିଆଯାଇଥିଲା । କରୋନା କଟକଣା ପାଇଁ ପ୍ରଥମେ ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଦିଆଯାଇଥିଲା । ପରେ ଏହି ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ ପାଇଁ ବ୍ୟାଙ୍କ ଖାତାରେ ସହାୟତା ରାଶି ଜମା କରାଯାଇଥିଲା । ଏହାରି ମଧ୍ୟରେ ୮ ହଜାର ଶ୍ରମିକଙ୍କ ଟଙ୍କା ପଡ଼ି ରହିଥିଲା । ଆଜି ସୁଦ୍ଧା ସେମାନଙ୍କ ପାଇଁ ଆସିଥିବା ୧ କୋଟି ୨୦ ଲକ୍ଷ ଟଙ୍କା ବଣ୍ଟା ହୋଇପାରିନି କି ସେମାନଙ୍କର ଖୋଜଖବର ମିଳୁନି ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ୯୫ ହଜାର ପଞ୍ଜିକୃତ ଶ୍ରମିକଙ୍କ ପାଇଁ ୧୪ କୋଟି ୨୫ ଲକ୍ଷ ଟଙ୍କା ଆସିଥିବାବେଳେ ସେଥିମଧ୍ୟରୁ ୭୮ ହଜାର ଶ୍ରମିକଙ୍କୁ ୧୧ କୋଟି ୭୦ ଲକ୍ଷ ଟଙ୍କା ବଣ୍ଟାଯାଇଛି । ବାକି ୧୭ ହଜାର ଶ୍ରମିକଙ୍କ ବାବଦକୁ ୩ କୋଟି ୬୦ ଲକ୍ଷ ଟଙ୍କା ପଡ଼ିରହିଛି । ମୋଟ୍ ଉପରେ ଦୁଇଟି ପର୍ଯ୍ୟା‌ୟରେ ୨୫ କୋଟି ୯୫ ଲକ୍ଷ ଟଙ୍କା ଆସିଥିଲା। ସେଥିମଧ୍ୟରୁ ୨୧ କୋଟି ୧୫ ଲକ୍ଷ ଟଙ୍କା ଶ୍ରମିକମାନଙ୍କୁ ଦିଆଯାଇଥିବା ବେଳେ ଅବଶିଷ୍ଟ ୨୪ ହଜାର ଶ୍ରମିକଙ୍କ ବାବଦରେ ୪ କୋଟି ୮୦ ଲକ୍ଷ ଟଙ୍କା ପଡ଼ିରହିଛି । ତେବେ ଶ୍ରମ ବିଭାଗ ପକ୍ଷରୁ ବାରମ୍ବାର ଅବଗତ କରାଯାଉଥିଲେ ବି କେହି ଟଙ୍କା ନେବାକୁ ଆସୁନଥିବାରୁ ଶ୍ରମିକ କାର୍ଡ ଜାଲିଆତି ହୋଇଥିବା ସ୍ପଷ୍ଟ ବାରି ହେଉଛି ।
ସୂଚନା ମୁତାବକ, ସହାୟତା ରାଶି ନେଇ ନଥିବା କିଛି ଶ୍ରମିକଙ୍କ କାର୍ଡ ନବୀକରଣ ହୋଇନାହିଁ କି ଆଧାର ଲିଙ୍କ୍‌ ସମ୍ପର୍କରେ ସେମାନେ ଅବଗତ ନାହାନ୍ତି । ଆଉ କିଛି ଶ୍ରମିକ ସଚେତନତା ଅଭାବରୁ କରୋନା ସହାୟତା ରାଶି ବାବଦରେ ଜାଣିନାହାନ୍ତି । ତେବେ ଏହି ସଂଖ୍ୟା ୫ ହଜାରରୁ କମ୍‌ ହେବ। ବାକି ୨୦ ହଜାର ପାଖାପାଖି କାର୍ଡ ଜାଲ୍‌ ଶ୍ରମିକଙ୍କ ନାଁରେ ତିଆରି ହୋଇଥିବା ଜଣାପଡ଼ୁଛି । କିଛି ଦଲାଲ ଜାଲ କାର୍ଡ କରି ସହାୟତା ରାଶି ହାତେଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କୁ ଆକାଉଣ୍ଟକୁ ଯିବ ଆଉ ଆଧାର ଲିଙ୍କ ହେବ ବୋଲି ସେମାନେ ଚିନ୍ତା କରିନଥିଲେ । ଫଳରେ ସେମାନଙ୍କ ଉଦ୍ୟମ ଫସର ଫାଟିଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ହାତାହାତି ଟଙ୍କା ବାଣ୍ଟିବା ବେଳେ ଦଲାଲ ଓ ଅଧିକାରୀଙ୍କ ସଲାସୁତରାରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା କୁହାଯାଉଛି ।

ଏ ସଂପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ମୋନାଲିସା ନାୟକ କହିଛନ୍ତି, ଗଚ୍ଛିତ ସହାୟତା ରାଶି କିଭଳି ହିତାଧିକାରୀଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଉଦ୍ୟମ କରାଯାଉଛି । ତୃଣମୂଳସ୍ତରରେ ହିତାଧିକାରୀଙ୍କୁ ଖୋଜାଚାଲିଛି । ତେବେ ଦଲାଲଙ୍କ ଦ୍ବାରା କାର୍ଡ ଜାଲି ହୋଇଥିବା ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *