ଅଧାପନ୍ତରିଆ ରାସ୍ତା କାମ, ପଡ଼ାବାସୀ ତିଆରି କଲେ ପାଦଚଲା ରାସ୍ତା

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଟିଙ୍ଗିପାଲିରେ ଚାଲିଛି କଂକ୍ରିଟ ରାସ୍ତା କାମ ଚାଲିଛି । ଏହି ରାସ୍ତା କାମ ଏଲ୍ ଆଇ ସେଣ୍ଟରରୁ ଅଙ୍ଗନୱାଡି ପର୍ଯ୍ୟନ୍ତ ପ୍ରାୟ ୧୦୦ ମିଟର ରାସ୍ତା ହେବା କଥା। କିନ୍ତୁ ଏହି ରାସ୍ତାରେ ଥିବା ହରିଜନ ପଡ଼ା ସମ୍ମୁଖରେ ଦେଢ଼ଫୁଟ ମାଟି ଖୋଳି ଦେଇ ଅଧାପନ୍ତରିଆ ରାସ୍ତା ତିଆରି କରି ଗୋଟିଏ ମାସ ହେବ ରାସ୍ତା କାମ ବନ୍ଦ ପଡ଼ିଛି । ସଂପୃକ୍ତ ଠିକାଦାରଙ୍କୁ କହିଲେ ବି ଶୁଣୁ ନାହାନ୍ତି ।

ଏହି ପଡ଼ାରେ ରହନ୍ତି ୩୦ ରୁ ଉର୍ଦ୍ଧ୍ବ ପରିବାର । ଏହି ରାସ୍ତାଦେଇ ଟିଙ୍ଗି ପାଲି, ଲୁରୁପାଲି ଓ କାଠଡେରାର ଲୋକେ ଯିବା ଆସିବା କରିଥାନ୍ତି । ରାସ୍ତା ଖୋଳା ଯାଇଥିବାରୁ ରାସ୍ତାଟି ଖୋଳି ହୋଇ ମାଟି ସବୁ ଏପଟ ସେପଟ ପଡ଼ିରହିଛି ଫଳରେ ପାଦରେ ଚାଲି କି ଯିବା ବି ଅସମ୍ଭବ ହୋଇପଡିଛି । ଅନେକ ପ୍ରକାର ଛୋଟ ମୋଟ ଦୁର୍ଘଟଣା ଘଟୁଛି । ଲୋକେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ପଡ଼ାବlସୀ ନୂତନ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚଙ୍କୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ସେ ବି କିଛି ଶୁଣୁ ନଥିବା ପଡ଼ାବାସୀ କହୁଛନ୍ତି । ବାଧ୍ୟ ହୋଇ ପଡ଼ାବାସି ନିଜେ ମାଟି ବୋହି ଏକ କାମଚଳା ରାସ୍ତା ତିଆରି କରି ଯିବା ଆସିବା କରୁଛନ୍ତି । ଅନ୍ୟପଟେ ଏହି ରାସ୍ତା ପାଇଁ କେତେ ଟଙ୍କାର ବ୍ୟୟ ଅଟକଳ ରହିଛି ତାହାର କିଛି ସୂଚନା ନାହିଁ । ବିନା ଫଳକରେ ଚାଲିଛି କାମ । ସରକାରୀ ନିୟମ ଅନୁଯାୟୀ କାମ ଆରମ୍ଭ ପୂର୍ବରୁ ଫଳକ ଲାଗିବା କଥା । କିନ୍ତୁ ଏଠି ସରକାରୀ ନିୟମକୁ ସଂପୃକ୍ତ ଠିକାଦାର ବେଖାତିର କରୁଥିବା ଦେଖିବାକୁ ମିଳିଛି । ମାଟି ଖୋଳା ଯାଇ ଯେମିତି ଭାବରେ ରାସ୍ତାଟି ପଡ଼ିଛି ଯଦି ଅଳ୍ପ ବର୍ଷା ହୁଏ ତେବେ ଅବସ୍ଥା ସାଙ୍ଘାତିକ ହୋଇଯିବ । ତେଣୁ ପଡ଼ାବାସୀ ଆଜି ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇ ଲିଖିତ ଭାବରେ ଅଭିଯୋଗ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *