ବର୍ଷା ଆସିଲାଣି, ନାଳ ସଫେଇ କାମ ସରିବା ନାଁ ନେଉନି

ଜୟପୁର : ଜୟପୁରରେ ନାଳନର୍ଦ୍ଦମା ସଫା କାମ ସରିବା ନାଁ ନେଉନି । ସାମାନ୍ୟ ବର୍ଷା ହେବା ମାତ୍ରକେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । ଏପ୍ରିଲରୁ ମେ ମାସ ଶେଷ ସୁଦ୍ଧା ପୌର ପ୍ରଶାସନ ସହର ବିଭିନ୍ନ ଛୋଟ ବଡ ନାଳକୁ ସଫା କରିଥାଏ । ହେଲେ ଆଜି ପର୍ଯ୍ୟନ୍ତ ସହରର ସବୁ ନାଳର ସଫେଇ ସମ୍ପୂର୍ଣ୍ଣ ହୋଇ ପାରିନି । ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି । ଏଣୁ ଏଥର ସହରରେ କୃତ୍ରିମ ବନ୍ୟା ହେବା ଜଳ ଜଳ ଦିଶୁଛି । ସହରରେ ଚିକିଟି ନାଳ ପ୍ରମୁଖ ନାଳ ରହିଛି ।

ଏହା ସହ ମୁଖ୍ୟ ରାସ୍ତା ପାର୍ଶ୍ୱ ଗଳିଗୁଡିକରେ ଡ୍ରେନ ରହିଛି । ହେଲେ ଏବେ ନାଳରେ ଅଳିଆ ଆବର୍ଜନା ପଡି ରହିଛି । ଅନାବନା ଲଟା ସହ ପଙ୍କରେ ପୋତି ହୋଇଛି । ବାରମ୍ବାର ଅଭିଯୋଗ କଲା ପରେ ପ୍ରଶାସନ ପକ୍ଷରୁ ମାତ୍ର ହାତ ଗଣତି କେତୋଟି ଶ୍ରମିକ ଲଗାଇ ସଫେଇ କାମ ଆରମ୍ଭ କରାଯାଇଛି । ହେଲେ ତାହା ଯଥେଷ୍ଟ ନୁହେଁ । ଅଳ୍ପ ବର୍ଷା ହେଲେ ମଧ୍ୟ ମୁଖ୍ୟରାସ୍ତା, ନୂଆସାହି, ସିନେମାସାହି, ଲକ୍ଷ୍ମୀ ଟକିଜ ରୋଡ, ବେଲ ରୋଡ, ରାଜନଅର ଆଦି ଅଂଚଳର ରାସ୍ତାରେ ପାଣି ଚାଲିବା ଗତ ବର୍ଷାରେ ଦେଖା ଦେଇଥିଲା । ସେହିପରି ଗତ ବର୍ଷ ବନ୍ୟାରେ ତଳି ଅଞ୍ଚଳର ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ରହିଛି । ଗତ କାଳି କାଳବୈଶାଖୀ ବର୍ଷାରେ ନୂଆସାହିର ୫ମ ଲାଇନ, ସିନେମାସାହି ଆଦି ଅଂଚଳରେ ପାଣିର ସୁଅ ଚାଳିବା ସହ ଘର ମଧ୍ୟକୁ ପଶିଥିଲା ।

ସେଭଳି ବିଜୁ ରାଜନଗର ଅଂଚଳରେ ବି ପାଣି ଜମା ହେଉଥିବା ଅଭିଯୋଗ ହୋଇଛି । ସହରରେ ଥିବା ବିଭିନ୍ନ ଦୋକାନୀ ମାନେ ନିଜ ଦୋକାନର ପଲିଥିନ ଜରି ଓମଇଳା ନାଳରେ ପକାଉଥିବାରୁ ଏହା ଜମା ହୋଇ ରହି ବର୍ଷା ସମୟରେ କୃତ୍ରିମ ପୋଖରୀ ଭଳି ପାଣି ଜମା ହେଉଛି । ଏବେ ବି ହେଉଥିବା କାଳବୈଶାଖୀ ବର୍ଷାରେ ବେଲରୋଡ, ରାଜନଅର, ମୁଖ୍ୟରାସ୍ତା, ଏମଜିରୋଡରେ ନାଳର ପାଣି ରାସ୍ତା ଉପରେ ଚାଳୁଥିବା ଦେଖିବାକୁ ମିଳିଛି । ପାଣି ଠିକ ଭାବେ ନିଷ୍କାସନ୍ ହୋଇ ନ ପାରି ଜମା ହୋଇ ମଶା ମାଛି ସୃଷ୍ଟି ହେଉଛି । ‌ପୁତ୍ତିଗନ୍ଦମୟ ପରିବେଶରେ ଲୋକେ ହନ୍ତସନ୍ତ ହେଉଛନ୍ତି । ମୁଖ୍ୟ ଚିକିଟି ନାଳ ସହ ବହୁ ନାଳରେ ଜେସିବି ମେସିନ୍ ଲଗାଇ ବି ସଫେଇ କାମ ଜାରୀ ରହିଛି । ଅଳ୍ପ କିଛି ନାଳର ସଫେଇ ବାକି ରହିଛି । ଅମାନିୟା ଦୋକାନୀଙ୍କ ଯୋଗୁଁ ସହରର ସ୍ବେରେଜ୍ ବ୍ୟବସ୍ଥା ବିଗୁଡୁଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ । ସେ ନିଜେ ସବୁ ସାହିର ଗଳିର ନାଳ ନର୍ଦ୍ଧମା ସଫେଇର ତଦାରଖ ପୁଣି କରିବେ ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ ।

Leave a Reply

Your email address will not be published. Required fields are marked *