୧୫ ଘଣ୍ଟାରେ ୭ ଥର ଅଗ୍ନିକାଣ୍ଡ : ଭୟରେ ପରିବାର ଓ ଗାଁ ଲୋକ

ବାହାନଗା : ଖନ୍ତାପଡ଼ା ଥାନା ରେମୁଣା ବ୍ଲକ କୁଳିଗାଁରେ ଅଭାବନୀୟ ଘଟଣା । ଗତକାଲି ସନ୍ଧ୍ୟା ୬ଟା ରୁ ଆଜି ସକାଳ ୯ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଆଜବେଷ୍ଟସ ଘରେ ସାତ ସାତଥର ଅଗ୍ନିକାଣ୍ଡ ଘଟିଛି । ଘଟଣା ପରେ ଗାଁରେ କୋକୁଆଭୟ ସୃଷ୍ଟି ହୋଇଥିବା ବେଳେ ପରିବାର ଲୋକେ ମଧ୍ୟ ଭୟରେ ରହିଥିବା କହିଛନ୍ତି ।

ସୂଚନା ଅନୁସାରେ, ଗ୍ରାମର ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପୁଅ ଦେବାନନ୍ଦ ପାଣିଗ୍ରାହୀଙ୍କ ଘର ଭିତରେ ଗତକାଲି ସନ୍ଧ୍ୟା ୬ଟା ଠାରୁ ଆଜି ସକାଳ ୯ଟା ମଧ୍ୟରେ ୭ ଥର ନିଆଁ ଲାଗିଥିବା ଦେଖାଯାଇଛି । ପ୍ରଥମେ ଗତକାଲି ସନ୍ଧ୍ୟା ୬ଟାରେ ଘରେ ଅଚାନକ ନିଆଁ ଲାଗି ଘରର ବିଭିନ୍ନ ଆସବାବପତ୍ର ଜଳି ଯାଇଥିଲା । ଘରଲୋକେ ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ । ତା’ର କିଛି ଘଣ୍ଟା ପରେ ଅର୍ଥାତ ରାତି ୧୨ଟା ରେ ପୁଣି ଘର ଭିତରେ ନିଆଁ ଲାଗିଥିଲା । ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା । ପୁଣି ସକାଳ ୫ଟା ୩୦, ୬ଟା ଏହିପରି ସକାଳ ୯ଟା ମଧ୍ୟରେ ୭ ଥର ଗୋଟିଏ ପରେ ଗୋଟିଏ ବଖରାରେ ରହିଥିବା ଜିନିଷପତ୍ରରେ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ କେଉଁ କାରଣରୁ ବାରମ୍ବାର ଏପରି ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । କେହି କେହି ଏହାକୁ ଭୌତିକକାଣ୍ଡ ବୋଲି ମଧ୍ୟ କହୁଛନ୍ତି ।

ସକାଳେ ଖବର ପାଇ ଅଗ୍ନିଶମ କର୍ମଚାରୀ ଗାଁରେ ପହଞ୍ଚି ଘରୁ ଅଧାପୋଡ଼ା ଅବସ୍ଥାରେ ବିଭିନ୍ନ ଆସବାବପତ୍ର ଉଦ୍ଧାର କରିଥିଲେ । ସେହିପରି ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ଲାଇନ ଯାଞ୍ଚ କରି ସଟସର୍କିଟରୁ ଅଗ୍ନିକାଣ୍ଡ ହୋଇନଥିବା ସ୍ପଷ୍ଟ କରିଛନ୍ତି । ଏଭଳି ପରିସ୍ଥିତିରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *