ଭୁବନେଶ୍ବର : ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଯୁକ୍ତ ୨ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଦିଆଯାଉଛି । ୨୦୧୩ ରୁ ଆରମ୍ଭ ହୋଇଥିବା ଏହି ଯୋଜନା ମାଧ୍ୟମରେ ୨୦୧୯ ପର୍ଯ୍ୟନ୍ତ ମେଧାବୀଙ୍କୁ ଲାପଟପ୍ ଦିଆଯାଇଥିଲା । ଲାପଟପ୍ର ମାନ ଠିକ୍ ନ ଥିବା ଅଭିଯୋଗ କରି ବହୁ ଛାତ୍ରଛାତ୍ରୀ ଏହାକୁ ଗ୍ରହଣ କଲେ ନାହିଁ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବାରମ୍ବାର ଚିଠି, ବିଜ୍ଞାପନ ପ୍ରକାଶ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ କଲେଜକୁ ଆସିଲେ ନାହିଁ କି ଲାପଟପ୍ ନେଲେନାହିଁ । ପରିଣାମ ହେଲା, ୨୦୨୦ରେ ସରକାର ନିଷ୍ପତ୍ତି ବଦଳାଇଦେଲେ । ସେବେ କୃତକାର୍ଯ୍ୟ ହୋଇଥିବା ମେଧାବୀଙ୍କୁ ରାଜ୍ୟ ସରକାର ଲାପଟପ୍ ବାବଦରେ ୩୦ ହଜାର ଟଙ୍କା ସିଧାସଳଖ ବ୍ୟଙ୍କ ଆକାଉଣ୍ଟକୁ ପଠାଇବାକୁ ନିଷ୍ପତ୍ତି ନେଲେ । ୨୦୨୧ ମାର୍ଚ୍ଚ ମାସରୁ ଏବାବଦ ଅର୍ଥ ବଣ୍ଟନ ଆରମ୍ଭ ହୋଇଥିଲେ ମଧ୍ୟ ନଭେମ୍ବର ସୁଦ୍ଧା ସମାପ୍ତ ହେଇ ନଥିଲା । ଆହୁରି ୨୦ ଜଣ ଛାତ୍ରଛାତ୍ରୀ ନିଜ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡର ସବିଶେଷ ବିବରଣୀ ଦେଇ ଅନ୍ଲାଇନ୍ ପୋର୍ଟାଲରେ ଆବେଦନ କରି ନ ଥିବାରୁ ବିଭାଗ ପକ୍ଷରୁ ସେମାନଙ୍କୁ ଶେଷ ସୁଯୋଗ ଦିଆଯାଇଥିଲା । ତା’ପରେ ବି କିଛି ଛାତ୍ରଛାତ୍ରୀ ଅର୍ଥ ନେଇ ନ ଥିଲେ ।
ଏଥର ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି । ୨୦୨୧ରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାବଦରେ ୩୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଉଛି । ଗତବର୍ଷ ଠାରୁ ଏହି ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ୩୫୯ ଜଣ ଛାତ୍ରଛାତ୍ରୀ ନିଜ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡର ସବିଶେଷ ବିବରଣୀ ଦେଇ ଅନ୍ଲାଇନ୍ ପୋର୍ଟାଲରେ ଆବେଦନ କରିନାହାନ୍ତି । ଥରେ କି ଦୁଇ ଥର ନୁହେଁ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫ ଥର ବିଜ୍ଞାପନ ପ୍ରକାଶ ସରିଲାଣି । ତଥାପି ଲାପଟପ୍ ବାବଦ ଟଙ୍କା ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଛାତ୍ରଛାତ୍ରୀ । ଆବେଦନ କରି ନ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କଲେଜ)ର ସର୍ବାଧିକ ୨୯ ଜଣ ରହିଛନ୍ତି । ବିଜେବି କଲେଜର ୨୮, ରାଉରକେଲା ସରକାରୀ କଲେଜର ୨୧, ଗଙ୍ଗାଧର ମେହେର କଲେଜର ୧୬, ବାରିପଦାସ୍ଥିତ ଏମ୍ପିସି କଲେଜର ୧୪, କିସ୍, ଖଲ୍ଲିକୋଟ କଲେଜ ଓ ମଦନପୁରସ୍ଥିତ ୟୁକେ ମହାବୀର କଲେଜର ୧୩ ଜଣ ଲେଖାଏ, ରାୟଗଡ଼ା କଲେଜର ୧୨ ଜଣ ଲେଖାଏ ଛାତ୍ରଛାତ୍ରୀ ରହିଛନ୍ତି ।
ପୂର୍ବରୁ ଲାପଟପ୍ ନେଉ ନ ଥିବା ବେଳେ ଏବେ ମେଧାବୀ ଛାତ୍ରଛାତ୍ରୀ ଏବାବଦ ଅର୍ଥ କାହିଁକି ଗ୍ରହଣ କରୁନାହାନ୍ତି ସେନେଇ ତନାଘନା ଆରମ୍ଭ ହୋଇଛି । ବିଭାଗୀୟ ସ୍ବତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି କହିଛନ୍ତି ଯେ ମାର୍ଚ୍ଚ ୨୯ରେ ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍ www.dhe.odisha.gov.in ରେ ତାଲିକା ପ୍ରକାଶ ପାଇଛି । ୫ ଥର ବିଜ୍ଞାପନ ପ୍ରକାଶ ସହ ସମୟ ଅବଧିକୁ ବାରମ୍ବାର ବୃଦ୍ଧି କରାଯାଇଛି । ତା’ପରେ ବି ପିଲା ଆଗ୍ରହ ଦେଖାଉ ନାହାନ୍ତି । ହୁଏତ ସେମାନେ ଏବିଷୟରେ ଅବଗତ ନୁହନ୍ତି । ତେଣୁ କଲେଜ ଅଧ୍ୟକ୍ଷମାନେ ଏଦିଗରେ ପଦକ୍ଷେପ ନେବା ସହ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏବାବଦରେ ଅବଗତ କରାନ୍ତୁ । ମେ’ ୩୧ ସୁଦ୍ଧା ପିଲାମାନେ ରାଜ୍ୟ ସ୍କଲାରସିପ୍ ପୋର୍ଟାଲରେ ଯେପରି ଆବେଦନ କରିବେ ସେଦିଗରେ ପଦକ୍ଷେପ ନେବାକୁ ୩୮ କଲେଜ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।
