ସ୍ବପ୍ନରେ ରହିଗଲା ୩ ଜିଲ୍ଲାର ୧ ଲକ୍ଷ ହେକ୍ଟର ଜଳସେଚନ ଆଶା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାବାସୀଙ୍କ ଚାଷଜମିରେ ଜଳସେଚନ ଠାରୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ ସବୁ ଆବଶ୍ୟକତା ମେଣ୍ଟାଉଥିଲା ଋଷିକୁଲ୍ୟାର ଜଳ । ଗଞ୍ଜାମର ‘ଜୀବନରେଖା’ କୁହାଯାଉଥିବା ଏହି ନଦୀ ଏବେ ଶୁଖିଲା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ନଦୀ ସଂଯୋଗୀକରଣ ଜରିଆରେ ଚିରସ୍ରୋତା କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ଋଷିକୁଲ୍ୟାର ପ୍ରବାହିତ ଜଳକୁ ବର୍ଷତମାମ ଉପଯୋଗୀ କରିବା ଉଦ୍ଦେଶ୍ୟରେ ମେଗାଯୋଜନାର ପ୍ରସ୍ତାବ ରହିଥିଲା । ତାହା ଏଯାବତ୍‌ କାର୍ଯ୍ୟକାରୀ ହୋଇପାରିନି । ଫଳରେ, ଗ୍ରୀଷ୍ମଦିନରେ ପାଣି ପାଇଁ ଜିଲ୍ଲାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତା’ ସାଙ୍ଗକୁ ୩ ଜିଲ୍ଲା ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧାର ପ୍ରାୟ ୧ ଲକ୍ଷ ହେକ୍ଟର୍‌ ଜମିକୁ ଜଳସେଚନ ଲକ୍ଷ୍ୟ ବି ବହୁ ଦୂରରେ ରହିଯାଇଛି । ସରକାର ମଧ୍ୟ ନଦୀ ସଂଯୋଗୀକରଣ କଥାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ଋଷିମାଳ ପର୍ବତରୁ ଉତ୍ପତ୍ତି ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲା ଦେଇ ସମୁଦ୍ରରେ ମିଶିଛି । ଗଞ୍ଜାମ ସହର ନିକଟ ଦେଇଯାଇଥିବା ଋଷିକୁଲ୍ୟା ନଦୀ ଏକ କାରଖାନା ଯୋଗୁ ଦୂଷିତ ହେବାରୁ ୧୯୭୧ରେ ଚାଷୀ ଓ ମତ୍ସ୍ୟଜୀବୀମାନେ ସ୍ବ‌ର ଉଠାଇଥିଲେ । ସେହି କାରଖାନାରୁ ନିର୍ଗତ ଦୂଷିତ ପାଣି ନଦୀକୁ ନଛାଡ଼ିବା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେହି ଆନ୍ଦୋଳନରୁ ହିଁ ‘ଋଷିକୁଲ୍ୟା ବଞ୍ଚାଓ ମଞ୍ଚ’ର ମୂଳଦୁଆ ପଡ଼ିଥିଲା । ଓଡ଼ିଶାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମ କ୍ରମେ ଋଷିକୁଲ୍ୟା ଏହି ଆନ୍ଦୋଳନ କରାଯାଇଥିଲା । ୧୯୮୬ ମସିହାରେ ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ଋଷିକୁଲ୍ୟା ନଦୀର ସୁରକ୍ଷା ପାଇଁ ଦାବି କରି ଚାଷୀମାନେ ଛତ୍ରପୁର ବ୍ଲକ୍‌ ପୋଟଲାମପୁରଠାରେ ବିକ୍ଷୋଭ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଇଥିଲା ।

୨୦୦୦ ମସିହାରେ ଶ୍ରୀ ପଣ୍ଡା ନଦୀ ସଂଯୋଗୀକରଣ ଜରିଆରେ ମହାନଦୀର ବଳକା ଜଳକୁ ଆସିକାଠାରେ ବଡ଼ନଦୀରେ ପକାଇ ଋଷିକୁଲ୍ୟା ନଦୀକୁ ସ୍ରୋତ ବହୁଳ କରିବାପାଇଁ ପ୍ରସ୍ତାବ ଦେଇଥିଲେ । ଏହା ସହିତ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ରାଜ୍ୟ ଜଳସମ୍ପଦ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିଲେ । ୨୦୦୩ ମାର୍ଚ୍ଚ ୨୫ ତାରିଖରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ବିଧାନସଭାରେ ସହମତି ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହି ପରିକଳ୍ପନାର ବିକଳ୍ପ ସ୍ବରୂପ ବଂଶଧାରାକୁ ଋଷିକୁଲ୍ୟା ସହିତ ସଂଯୋଗ କରିବାପାଇଁ ୨୦୦୫ ଅଗଷ୍ଟ ୧୯ ତାରିଖରେ ଗୁଡ଼ାରି ଠାରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ, ଗୋଟିଏ ବର୍ଷ ପରେ ଏହି ପ୍ରକଳ୍ପକୁ ବ୍ୟୟବହୁଳ ଦର୍ଶାଇ ବାତିଲ କରି ଦିଆଯାଇଥିଲା ।

ଅନ୍ୟପକ୍ଷରେ, ୨୦୦୭ ନଭେମ୍ବର ୩ ତାରିଖରେ ଛତ୍ରପୁର ଠାରେ ପୁଣିଥରେ ଚାଷୀ ଆନ୍ଦୋଳନ ହୋଇଥିଲା । ସେହିପରି ୨୦୧୦ ମାର୍ଚ୍ଚ ୫ ତାରିଖରେ ଶ୍ରୀ ପଣ୍ଡାଙ୍କ ନେତୃତ୍ବରେ ସପ୍ତାହବ୍ୟାପୀ ଜଳଯାତ୍ରା ଆୟୋଜନ କରାଯାଇଥିଲା । ବାରମ୍ବାର ଆନ୍ଦୋଳନ ପରେ ନଦୀ ସଂଯୋଗୀକରଣ ପ୍ରସ୍ତାବ ଉପରେ ଜାତୀୟ ଜଳ ବିକାଶ ଏଜେନ୍ସି(ଏନ୍‌ଡବ୍ଲୁଡିଏ) ଏକ ରିପୋର୍ଟ ମଧ୍ୟ ଦାଖଲ କରିଥିଲା । ନୟାଗଡ଼ ଜିଲ୍ଲାର ବରମୂଳ ଠାରୁ ମହାନଦୀରୁ କେନାଲ୍‌ ଜରିଆରେ ପାଣି ଆଣି ଋଷିକୁଲ୍ୟା ନଦୀରେ ମିଶ୍ରଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହା ଦ୍ବାରା ମହାନଦୀରେ ବନ୍ୟା ଜଳକୁ ନିୟନ୍ତ୍ରଣ କରାଯାଇ ଋଷିକୁଲ୍ୟାରେ ମରୁଡ଼ି ପରିସ୍ଥିତିର ସମାଧାନ ହୋଇପାରିବ ବୋଲି ପରିକଳ୍ପନା ହୋଇଥିଲା । ସେହିପରି ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗଞ୍ଜାମ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ୧ ଲକ୍ଷ ହେକ୍ଟର୍‌ ଜମି ଜଳସେଚିତ ହେବ ବୋଲି ଆକଳନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ନଦୀ ସଂଯୋଗୀକରଣ ଉପରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ବର୍ଷା ଦିନ ଛାଡ଼ି ଦେଲେ ଅନ୍ୟଦିନରେ ଶୁଖିଲା ପଡ଼ୁଥିବା ଏହି ନଦୀ ପ୍ରତି ସରକାର କେବେ ଦୃଷ୍ଟିଦେବେ, ତାହାର ଅପେକ୍ଷାରେ ରହିଛନ୍ତି ଜିଲ୍ଲାବାସୀ ।

Leave a Reply

Your email address will not be published. Required fields are marked *