ଜ୍ଞାନ ଶିଖାଇଲେ ଓଡ଼ିଆ ଯବାନ

ମୁମ୍ବଇ: ଦେଶର ଆଇନଠାରୁ କେହି ଊର୍ଦ୍ଧ୍ବରେ ନାହାନ୍ତି। ଏହି ଆଇନ୍‌ ଧନୀ, ଗରିବ ଓ ପ୍ରଭାବଶାଳୀ ବ୍ୟକ୍ତି ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ। ନିଜକୁ ଭିଆଇପି ମନେକରି ବିମାନ ବନ୍ଦର ନିୟମ ନମାନି ତନଖି ଫାଟକ ଅତିକ୍ରମ କରୁଥିବା ସମୟରେ ବଲିଉଡର ଖ୍ୟାତନାମା ଅଭିନେତା ସଲମାନ୍‌ ଖାଁଙ୍କୁ ଅଟକାଇ ଥିଲେ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ)ର ଜଣେ ଯବାନ। ଭାରତୀୟ ସେନାରେ ଯୋଗ ଦେଇ ମୁମ୍ବଇ ବିମାନ ବନ୍ଦରରେ ନିୟୋଜିତ ଥିବା ଏହି ଯବାନଙ୍କ ନାମ ସୋମନାଥ ମହାନ୍ତି। ତାଙ୍କ ଘର ନୟାଗଡ଼ ଜିଲାରେ ବୋଲି ଜଣାପଡ଼ିଛି।ଶନିବାର ଭୋର ପ୍ରାୟ ୪ଟାରେ ସଲମାନ୍‌, ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଇମ୍ରାନ ହାସ୍‌ମି ମୁମ୍ବଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ଆଗାମୀ ହିନ୍ଦି ସିନେମା ‘ଟାଇଗର-୩’ ସୁଟିଂ ପାଇଁ ଏମାନେ ରୁଷ୍‌ ଯାଉଥିଲେ। ବିମାନ ବନ୍ଦରର ତନଖି ଫାଟକଠାରେ ନିୟୋଜିତ ଥିବା ସୋମନାଥ ସଲମାନଙ୍କୁ ଅଟକାଇ ସାଧାରଣ ଯାତ୍ରୀଙ୍କ ସହ ଧାଡ଼ିରେ ଆସିବାକୁ କହିଥିଲେ। ସଲମାନ୍‌ ଯବାନଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ପଛକୁ ଫେରି ଯାତ୍ରୀଙ୍କ ଧାଡ଼ିରେ ବିମାନ ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କ ଦେଖାଦେଖି କ୍ୟାଟ୍ରିନା ଓ ଇମ୍ରାନ୍‌ ମଧ୍ୟ ସାଧାରଣ ଯାତ୍ରୀଙ୍କ ଧାଡ଼ିରେ ତନଖି ଫାଟକ ପାର ହୋଇ ବିମାନ ଅଭିମୁଖେ ଯାତ୍ରା କରିଥିଲେ। ସଲମାନ ବିମାନ ବନ୍ଦର ତନଖି ଫାଟକ ନିକଟରେ ଥିବାବେଳେ କେତେଜଣ ଫଟୋଗ୍ରାଫର ଓ ପ୍ରଶଂସକ ଭିଡ଼ ଜମାଇଥିଲେ। ନିରାପତ୍ତା ଦୃଷ୍ଟିରୁ ସୋମନାଥ ସେମାନଙ୍କୁ ମଧ୍ୟ ଘଉଡ଼ାଇ ଦେଇଥିଲେ। ପରେ ସଲମାନ୍‌ ଓ ତାଙ୍କ ଦଳ ଏକ ସ୍ବତନ୍ତ୍ର ବିମାନରେ ରୁଷ୍‌ ଯାତ୍ରା କରିଥିଲେ। ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି ସୋମନାଥ କହିଛନ୍ତି। ଏ ସଂକ୍ରାନ୍ତରେ ଏକ ଭିଡିଓ ଭାଇରାଲ ହେବା ପରେ ଦେଶ ବ୍ୟାପୀ ଯବାନ ସୋମନାଥଙ୍କ କର୍ତ୍ତବ୍ୟପରାୟଣ ଓ ଦାୟିତ୍ବବୋଧତାକୁ ପ୍ରଶଂସା କରାଯାଇଛି। ସେ ତାଙ୍କ ପୁଅ ପାଇଁ ଗର୍ବିତ ବୋଲି ଉକ୍ତ ଭିଡିଓ ଦେଖି ସୋମନାଥଙ୍କ ବାପା କହିଛନ୍ତି।

Leave a Reply

Your email address will not be published. Required fields are marked *