ମୁକୁଳା ପଡ଼ିଛି ଆନ୍ଧ୍ର-ଓଡ଼ିଶା ସୀମା

ରାୟଗଡ଼ା : ମୁକୁଳା ପଡ଼ିଛି ଆନ୍ଧ୍ର-ଓଡ଼ିଶା ସୀମା । ପ୍ରବେଶ ପଥରେ ନାହିଁ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା । ଯାତାୟାତ କରୁଥିବା ଯାନବାହନ ଓ ସନ୍ଦିଗ୍ଧଙ୍କୁ ଠାବ ପାଇଁ ନା ଅଛି ସିସିଟିଭି କ୍ୟାମେରାର ବ୍ୟବସ୍ଥା ନା ଅଛନ୍ତି ପୁଲିସ୍ । ଫଳରେ ଆନ୍ଧ୍ରରୁ ଡକାୟତ ଦଳ ଆସି ରାୟଗଡ଼ାରେ ଚୋରି, ଲୁଟପାଟ୍ କରି ସହଜରେ ଖସି ଯାଉଛନ୍ତି । ଯାହାର ଟେର୍ ପାଇପାରୁନି ପୁଲିସ୍ ।

ରାୟଗଡ଼ା ଜିଲ୍ଲା ସଦର ମହକୁମାରୁ ଆନ୍ଧ୍ର ସୀମାନ୍ତ କେରେଡାର ଦୂରତା ୨୫ କିମି । ସୀମାର ୬ କିମି ପୂର୍ବରୁ ରହିଛି ଶେଷଖାଲ ଥାନା । ଥାନା ଅଧୀନରେ ଆନ୍ଧ୍ର ସୀମା ସମେତ ରାୟଗଡ଼ା ବ୍ଲକ୍‌ର ୧୪୭ଟି ଗ୍ରାମ ରହିଛି । ଗୋଟିଏ ଥାନା ଅଧୀନରେ ଏତେ ଗୁଡ଼ିଏ ଗାଁ ସହିତ ଦୁଇ ରାଜ୍ୟର ସୀମାନ୍ତ ଅଞ୍ଚଳ ରହିଥିଲେ ମଧ୍ୟ ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଗୋଟିଏ ବି ଫାଣ୍ଡି ପ୍ରତିଷ୍ଠା କରାଯାଇନି । ଉଭୟ ରାଜ୍ୟର ସୀମାରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା ନଥିବା ବେଳେ ରାୟଗଡ଼ାରୁ କେରେଡା ମଧ୍ୟରେ ମାତ୍ର ଦୁଇଟି ସିସିଟିଭି କ୍ୟାମେରା ଲାଗିଛି । ଯାହା ବହୁବର୍ଷ ହେଲା ଅଚଳ ହୋଇପଡ଼ିଛି । ଅଧିକାଂଶ ଅଞ୍ଚଳରେ ମୋବାଇଲ୍ ନେଟ୍‌ୱର୍କ ମଧ୍ୟ ବହୁ ସମୟରେ କାମ କରୁନି । ଯେଉଁଥିପାଇଁ ଚୋରି, ଡକାୟତି ପରେ ଆନ୍ଧ୍ରକୁ ଖସିଯିବାରେ ସକ୍ଷମ ହେଉଛନ୍ତି ଦୁର୍ବୃତ୍ତ ।

କରୋନା ସମୟରେ ସୀମାନ୍ତରେ ଶେଷଖାଲ ପୁଲିସ୍ ପକ୍ଷରୁ ନାକା ବ୍ୟବସ୍ଥା କରାଯାଇଥିଲା । ଆନ୍ଧ୍ରରୁ ଆସୁଥିବା ଯାନବାହନ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ଠିକଣା ଯାଞ୍ଚ ପରେ ପୁଲିସ୍ ଓଡ଼ିଶା ସୀମା ଭିତରକୁ ଛାଡ଼ୁଥିଲା । କରୋନା କଟକଣା ହଟିବା ପରେ ପୁଲିସର ଅସ୍ଥାୟୀ ଫାଣ୍ଡି କେରେଡାରୁ ଉଠିଯାଇଛି । କେବଳ ପାଟ୍ରୋଲିଂରେ ପୁଲିସର ପଦକ୍ଷେପ ସୀମିତ ରହିଛି । ମାସର ଅଧା ଦିନ ରାୟଗଡ଼ା ସହରର ବିଭିନ୍ନ ଘରୁ ଚୋରି ହେଉଥିବା ବେଳେ ଆନ୍ଧ୍ର ଡକାୟତ ଦଳର ଲିଙ୍କ୍ ରହୁଛି । ରାୟଗଡ଼ାରେ ଚୋରି ପରେ ଆନ୍ଧ୍ର ଚାଲିଯାଇ ମଉଜ ମଜଲିସ୍ କରୁଛନ୍ତି ଡକାୟତ ଦଳ । ପୁଣି ସୁବିଧା ସୁଯୋଗ ଦେଖି ରାୟଗଡ଼ା ଆସି ଲୁଟପାଟ୍ କରୁଛନ୍ତି । ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ବହୁ ସଦସ୍ୟ ଉଭୟ ଆନ୍ଧ୍ର ଓ ରାୟଗଡ଼ାରେ ରହି ନିଜ ନେଟୱର୍କକୁ ଚଲାଇଛନ୍ତି ।

ଗତ ୪ ତାରିଖରେ ଶେଷଖାଲ ଥାନାର କାଞ୍ଚିକିୱାଲସା ଛକରେ ଘଟିଥିବା ବଡ଼ ଧରଣର ଲୁଟ ଘଟଣାରୁ ଏହା ପ୍ରମାଣିତ । ବିଜୟୱାଡାର ଦୁଇ ସୁନା ବ୍ୟବସାୟୀ ରାୟଗଡ଼ାରୁ ବ୍ୟବସାୟ ସାରି ଫେରୁଥିବା ବେଳେ ଡକାୟତ ଦଳ ବନ୍ଧୁକ ଦେଖାଇ ୯ ଲକ୍ଷ ଟଙ୍କା ସହ ୯୦୦ ଗ୍ରାମ ସୁନା ଲୁଟି ନେଇଥିଲେ । ଅପରାହ୍ନ ୨ଟାରେ ଗୋଟିଏ ବୁଲେଟ୍‌ରେ ଡକାୟତ ଦଳ ଆସି ଏପରି କାଣ୍ଡ ଘଟାଇଥିଲେ । ଘଟଣାକୁ ଇତିମଧ୍ୟରେ ସପ୍ତାହ ବିତିଲାଣି। ଅଥଚ ଅପରାଧୀଙ୍କ ଟେର୍ ପାଇପାରୁନି ପୁଲିସ୍ । ଲୁଟର ଶିକାର ହୋଇଥିବା ଦୁଇ ବ୍ୟବସାୟୀଙ୍କ ଅଭିଯୋଗକୁ ଭିତ୍ତି କରି ଶେଷଖାଲ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ସିସିଟିଭି କ୍ୟାମେରା ବ୍ୟବସ୍ଥା ନଥିବାରୁ ସନ୍ଦିଗ୍ଧଙ୍କୁ ଠାବ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛି ।

ଲୁଟ୍‌ ଘଟଣାରେ ଆନ୍ଧ୍ରର ପାର୍ବତୀପୁରମ ଓ ବବଲିର ୧୦ ସନ୍ଦିଗ୍ଧ ସାମିଲ୍ ଥିବା ନେଇ ସୁନା ବ୍ୟବସାୟୀ ଶେଷଖାଲ ପୁଲିସକୁ ସୂଚନା ଦେବା ‌ସହ ସେମାନଙ୍କ ଫଟୋ ଜାରି କରିଛନ୍ତି । ସଂପୃକ୍ତ ଫଟୋକୁ ଶେଷଖାଲ ପୁଲିସ୍ ବିଜୟନଗର ଏସ୍‌ପିଙ୍କୁ ପ୍ରଦାନ କରିଛି । ସନ୍ଦିଗ୍ଧଙ୍କ ଉପରେ ତୀକ୍ଷଣ୍ ନଜର ରଖିବାକୁ ଶେଷଖାଲ ପୁଲିସ୍ ନିବେଦନ ମଧ୍ୟ କରିଛି । ଅନ୍ୟ ପକ୍ଷରେ ରାୟଗଡ଼ା ସହରର ସାଇପ୍ରିୟା ନଗରରେ ରହୁଥିବା ରେଲୱେ କର୍ମଚାରୀ ଏମ୍. ଭେଙ୍କେଟ ରାଓଙ୍କ ଘରେ ଏପ୍ରିଲ୍ ୧ ତାରିଖରେ ୮ ଜଣିଆ ଡକାୟତ ଗ୍ୟାଙ୍ଗ୍‌ ପଶି ପରିବାର ଲୋକଙ୍କ ହାତ ଗୋଡ଼ ବାନ୍ଧି ୨୦ ତୋଳା ସୁନା ସହ ୩୦ ହଜାର ଟଙ୍କା ଓ ମୋବାଇଲ୍ ଲୁଟି ନେଇଛନ୍ତି । ଯାହାର ସୁରାକ୍ ଏଯାବତ୍ ପୁଲିସ୍ ପାଇପାରିନି । ପୂର୍ବରୁ ରାୟଗଡ଼ା ସହରରେ ଘଟିଥିବା ବଡ଼ଧରଣର ଲୁଟ୍‌ପାଟରେ ଆନ୍ଧ୍ର ଡକାୟତ ଗ୍ୟାଙ୍ଗର ସଂପୃକ୍ତି ରହିଥିବା ପ୍ରମାଣିତ ହୋଇଛି । ଆଇନଶୃଙ୍ଖଳା ଦୃଷ୍ଟିକୋଣରୁ ଦୁଇ ରାଜ୍ୟ ସୀମାନ୍ତ କେରେଡାରେ ସିସିଟିଭି କ୍ୟାମେରା ସଂଯୋଗ, ପୁଲିସ୍ ଫାଣ୍ଡି ପ୍ରତିଷ୍ଠା ସହ ନାକା ବ୍ୟବସ୍ଥା ମାଧ୍ୟମରେ ଯାଞ୍ଚକୁ କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *