ଅନୁଗୁଳ/ସମ୍ବଲପୁର : ଦୀର୍ଘଦିନ ଧରି ବନ୍ଦ ହୋଇପଡ଼ିଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି । ଏହି କାମ ନେଇଥିବା ଠିକାସଂସ୍ଥା ଗାୟତ୍ରୀ କନ୍ଷ୍ଟ୍ରକସନ୍ ଦେବାଳିଆ ହୋଇଯିବା ପରେ କାମ ଅଟକି ରହିଥିଲା । ଏବେ ସବ୍-କଣ୍ଟ୍ରାକ୍ଟ୍ ଜରିଆରେ ଅନ୍ୟ ଠିକା ସଂସ୍ଥା ଦ୍ବାରା କାମ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏପଟେ ଏହି ରାସ୍ତା କାମ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି ।
ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଉପକୂଳ ଓଡ଼ିଶାକୁ ପଶ୍ଚିମ ଓଡ଼ିଶାକୁ ଯୋଡ଼ୁଛି । ଏହି କଟକ-ସମ୍ବଲପୁର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟର ଶିଳାନ୍ୟାସ ୨୦୧୮ରେ କରାଯାଇଥିଲା । ୨୦୨୦ ସୁଦ୍ଧା ଏହାକୁ ଶେଷ କରିବା ପାଇଁ ସେତେବେଳେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏହି ରାସ୍ତା ପ୍ରଶସ୍ତୀକରଣ ଶେଷ ହୋଇନି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ନିର୍ମାଣ କାମ ଏ ପର୍ଯ୍ୟନ୍ତ ଅଧାଅଧି ବି ହୋଇନି । ବିଭିନ୍ନ କାରଣ ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହୋଇଥିଲାବେଳେ କାମ କରୁଥିବା ଠିକାସଂସ୍ଥା ଦେବାଳିଆ ହେବାରୁ କାମ ଅଧିକ ବିଳମ୍ବିତ ହୋଇଛି । ଏପରିକି ପାଖାପାଖି ବର୍ଷେ ହେବ କାମ ଏକପ୍ରକାର ଠପ୍ ହୋଇଯାଇଛି । ତେଣୁ ଜାତୀୟ ଭାରତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଏହି କାମ ପାଇଁ ସବ୍ କଣ୍ଟ୍ରାକ୍ଟ୍ କରିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ମେସର୍ସ ଏମ୍ଏସ୍ ଇନଫ୍ରାଇଞ୍ଜିନିୟରିଂ ନାମକ ସଂସ୍ଥା କଟକ-ଅନୁଗୁଳ ପ୍ୟାକେଜ-୧ କାମ ନେଇଥିଲାବେଳେ ଏ ଭିତରେ କାମ ପୁଣିଥରେ ଆରମ୍ଭ ହୋଇଛି । ସେହିପରି କଟକ-ଅନୁଗୁଳ ପ୍ୟାକେଜ-୨ ର ପ୍ରଶସ୍ତୀକରଣ କାମ ଗାୟତ୍ରୀ ସଂସ୍ଥା କରିବା ନେଇ ଅକ୍ଷମତା ପ୍ରକାଶ କରିଛି । ତେଣୁ ଏହି କାମର ସବ-କଣ୍ଟ୍ରାକ୍ଟ ଦେବାପାଇଁ ପ୍ରକ୍ରିୟା ଚାଲିଛି । ତଥାପି ଢେଙ୍କାନାଳ-ଅନୁଗୁଳ ରାସ୍ତାର ମରାମତି କାର୍ଯ୍ୟ ଏନ୍ଏଚ୍ଏଆଇ ଦ୍ବାରା କରାଯାଉଥିବା କର୍ତ୍ତୃପକ୍ଷ କହିଛନ୍ତି । ଏଥିପାଇଁ ୫.୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲାବେଳେ ଏ ଭିତରେ କାମ ଆରମ୍ଭ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ସେହିପରି ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ଅନ୍ତର୍ଗତ ବଅଁରପାଳ-ପଞ୍ଚମହଲା ରାସ୍ତାର ମରାମତି କାର୍ଯ୍ୟ ଗତ ୧୨ ତାରିଖରୁ ଚାଲିଛି । ଜୁନ୍ ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଅନ୍ୟପକ୍ଷରେ, ଜାତୀୟ ରାଜପଥ ନିର୍ମାଣ ଠିକା ନେଇଥିବା ସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟସ୍ ନିର୍ମାଣ କାମ ଆରମ୍ଭ କରିବାକୁ ପୁଣି ୧୫ ଦିନ ସମୟ ମାଗିଛି । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ) ଏନେଇ କିଛି ନିଷ୍ପତ୍ତି ନେଇନଥିବା ବେଳେ ରାଜପଥ ନିର୍ମାଣ କାମ ନେଇ ଅନିଶ୍ଚିତତା ଜାରି ରହିଛି ।
ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍ଏଆଇ), ସମ୍ବଲପୁର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ବର ରାଓ କହିଛନ୍ତି, ଗତ ୨୫ ତାରିଖ ଦିନ ଗାୟତ୍ରୀ ପ୍ରୋଜେକ୍ଟକୁ ୧୫ ଦିନ ମଧ୍ୟରେ କାମ ଆରମ୍ଭ ନକଲେ ଅନ୍ୟ ସଂସ୍ଥାକୁ ଠିକାକାମ ଦିଆଯିବ ବୋଲି ନୋଟିସ୍ ଦିଆଯାଇଥିଲା । ଏହି ନୋଟିସ୍ ପାଇବା ପରେ ଗାୟତ୍ରୀ ପ୍ରୋଜେକ୍ଟସ୍ ଏହାର ଉତ୍ତର ରଖିଛି । କୋଭିଡ୍ ଯୋଗୁ ପାଣ୍ଠି ସମସ୍ୟା ସୃଷ୍ଟି ହୋଇଛି । ରାସ୍ତା କାମ ଆରମ୍ଭ କରିବା ପାଇଁ ଏବେ ଅର୍ଥଭାବ ରହିଛି । ପାଣ୍ଠି ଯୋଗାଡ଼ ପାଇଁ ଚେଷ୍ଟା ଚାଲିଛି । ତେଣୁ ଆହୁରି ୧୫ ଦିନ ସମୟ ଦିଆଯିବାକୁ ଗାୟତ୍ରୀ ନିବେଦନ କରିଛି । ଏଥିସହିତ ଆସନ୍ତାକାଲି ଠାରୁ ରେଢ଼ାଖୋଲ ଅଂଚଳରେ ରାସ୍ତା ମରାମତି କାମ ଆରମ୍ଭ କରିବ । ଠିକାସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟସ୍କୁ ଆହୁରି ସମୟ ଦିଆଯିବ ନା ଅନ୍ୟ କୌଣସି ସଂସ୍ଥାକୁ ଠିକା କାମ ଦିଆଯିବ, ତାହା ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ରାଓ କହିଛନ୍ତି ।
