ଆନନ୍ଦପୁର : ବୈତରଣୀ ନଦୀର ବାମ ପାର୍ଶ୍ୱରେ କେନାଲ ନିର୍ମାଣକୁ ନେଇ ଉତ୍ତେଜନା । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁପ ଥାନା ପଦ୍ମପୁର ଗାଁରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା ।
ଖବର ଅନୁଯାୟୀ, ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବୈତରଣୀ ନଦୀର ବାମ ପାର୍ଶ୍ବ କେନାଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥିଲା । କେତେକ ଚାଷୀଙ୍କୁ ଡେସିମିଲି ପିଛା ୮୮ ହଜାର ଟଙ୍କା ଲେଖାଏଁ ଦେଇଥିବା ବେଳେ ଅନ୍ୟ କେତେକ ଚାଷୀଙ୍କୁ ଡେସିମିଲି ପିଛା ୨୦ ହଜାର ଟଙ୍କା ଦିଆଯାଇଛି ।

ତେବେ କେତେକ ଜମିକୁ ନେଇ ମାମଲା କୋର୍ଟରେ ରହିଛି । କିନ୍ତୁ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରି ବଳପୂର୍ବକ ଜମି ଅଧିଗ୍ରହଣ କରୁଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି । ଯାହା ଫଳରେ କ୍ଷତିଗ୍ରସ୍ତ ଚାଷୀମାନେ ନିର୍ମାଣ ସ୍ଥଳରେ ଧାରଣା ଦେଇଛନ୍ତି । ଉପଯୁକ୍ତ ପ୍ରାପ୍ୟ ନ ମିଳିଲେ ଜୀବନ ଥିବା ପର୍ଯ୍ୟନ୍ତ ବିରୋଧ କରିବେ ବୋଲି କ୍ଷତିଗ୍ରସ୍ତ ଚାଷୀ କହିଛନ୍ତି ।
