ଭୁବନେଶ୍ବର : ଡହଡହ ତାତିରେ ସିଝୁଛି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା । ମଧ୍ୟାହ୍ନ ହେଲେ ବାହାରକୁ ବାହାରି ହେଉନି । ଆଗକୁ ଆହୁରି ତାତି ବଢ଼ିବ । ଗ୍ରୀଷ୍ମ ଲହରୀ ଦେଖାଦେବ । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ତିନିଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ଗ୍ରୀଷ୍ମ ଲହରୀ ଜାରି ରହିବ । ପୂର୍ବାହ୍ନ ୧୧ଟା ବାଜିଲେ ଡହଡହ ଖରାରେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଜିଲାବାସୀ ଆଉଟୁପାଉଟୁ ହେଉଛନ୍ତି । ମଙ୍ଗଳବାର ୫ ସହରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି । ଆଜି ୪୧.୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତର ସହରରେ ପରିଣତ ହୋଇଛି । ତାପମାତ୍ରା ବଢ଼ିବା ଯୋଗୁଁ ତତଲାଗଡ଼ରେ ପରିଣତ ହୋଇଛି ଟିଟିଲାଗଡ଼ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଶୁଷ୍କ ଉତ୍ତପ୍ତ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆଗକୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଆହୁରି ବଢ଼ିବ । କେତେକ ସ୍ଥାନରେ ଏପ୍ରିଲ ପହିଲା ଯାଏଁ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ ।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ବରଗଡ଼ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି । ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ବେଳେ ମଧ୍ୟାହ୍ନ ୧୨ଟା ରୁ ଅପରାହ୍ଣ ୩ଟା ଭିତରେ ଅତି ଜରୁରୀ କାମ ନଥିଲେ ପଦାକୁ ବାହାରିବାକୁ ବାରଣ କରାଯାଇଛି । ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ଗତକାଲି ବୌଦ୍ଧ ଏବଂ ବାରିପଦାରେ ପାରଦ ୪୧ ଡିଗ୍ରୀ ସେଲସିୟସ ଛୁଇଁଛି । ସୁବର୍ଣ୍ଣପୁରରେ ୪୧.୩, ବଲାଙ୍ଗୀରେ ୪୧.୪, ଭବାନୀପାଟଣା ଏବଂ ସମ୍ବଲପୁରରେ ୪୦.୨ ଡିଗ୍ରୀ ଲେଖାଏଁ ଦିନ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ବର ଏବଂ କଟକରେ ୩୬.୫ ଡିଗ୍ରୀ ଲେଖାଏଁ ପାରଦ ରହିଛି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ।
ସର୍ବାଧିକ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ପରବର୍ତ୍ତୀ ସମୟରେ ଏହି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କିନ୍ତୁ ୩ ରୁ ୪ ଦିନ ପର୍ଯ୍ୟନ୍ତ ପ୍ରାୟ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିପାରେ । ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ଦ୍ବାରା ଗ୍ରୀଷ୍ମ ପ୍ରବାହ ଦେଖାଦେବାର ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସମସ୍ତ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସ୍ଆରସି)ଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଭ୍ୟନ୍ତରୀଣ, ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲାରେ ଏପ୍ରିଲ ୪ ଯାଏ ସର୍ବାଧିକ ତାପମାତ୍ରା କ୍ରମାଗତଭାବେ ବୃଦ୍ଧି ପାଇବ । ୫ ରୁ ୭ ତାରିଖ ମଧ୍ୟରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିପାରେ । ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ମଧ୍ୟରୁ ବ୍ରହ୍ମପୁର, ପୁରୀ, ଭୁବନେଶ୍ବର, କଟକ, ବାଲେଶ୍ବରରେ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇବାକୁଥିବାବେଳେ, ଏପ୍ରିଲ ୪ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବନାହିଁ । ପୁଣି ୫ ରୁ ୭ ତାରିଖ ଭିତରେ ଉପରୋକ୍ତ ଅଞ୍ଚଳଗୁଡ଼ିକରେ ସର୍ବାଧିକ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ।
ବିଭିନ୍ନ ମଡେଲରୁ ଜଣାପଡ଼ିଛି, ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୬ ତାରିଖ ସୁଦ୍ଧା ଲଘୁଚାପର ରୂପ ନେବ । ପରବର୍ତ୍ତୀ ସମୟରେ ଏହି ଲଘୁଚାପ ଅବପାତରେ ପରିଣତ ହୋଇ ଉତ୍ତର ଦିଗରେ ଗତି କରି ମିଆଁମାର ଉପକୂଳ ଆଡ଼କୁ ମୁହାଁଇବ । ଏହାର ପ୍ରଭାବରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
