ଭୁବନେଶ୍ବର : ବକେୟା ବିଲ୍ ଆଦାୟ ନାମରେ ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ମନମାନି କରୁଛି । ଏଭଳି ଅଭିଯୋଗ ଆଣିଛି ସମାଜବାଦୀ ପାର୍ଟି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପାର୍ଟି ରାଜ୍ୟ ସଭାପତି ରବି ବେହେରା । ତାଙ୍କ ଅଭିଯୋଗ ମୁତାବକ, ବିଦ୍ୟୁତ ବିଲ୍ ବାକି ପଡ଼ିଛି କହି ସଂସ୍ଥା ବିନା ନୋଟିସ୍ରେ ସ୍କୁଲ, କଲେଜ, ସରକାରୀ ଦପ୍ତର ଓ ଘରୋଇ ଉପଭୋକ୍ତାମାନଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେଉଛି । ପ୍ରତିବାଦ କଲେ, ଶୁଣିବାକୁ କେହି ନାହାନ୍ତି । ଗଣପର୍ବ ଦୋଳପୂର୍ଣ୍ଣିମା ଓ ହୋଲିରେ ମଧ୍ୟ ସମ୍ପୃକ୍ତ ସଂସ୍ଥା ବିଭିନ୍ନ ଜାଗାରେ ଲାଇନ୍ କାଟି ଦେଇଥିବା ଅଭିଯୋଗ ହୋଇଛି । ଧାନମଣ୍ଡଳ ଗାଁର ଜଣେ ଶିକ୍ଷୟିତ୍ରୀ ବିଧୁସ୍ମିତା ମିଶ୍ରଙ୍କ ଅଭିଯୋଗ ମୁତାବକ, ୧୧ ହଜାର ଟଙ୍କା ବାକି ପଡ଼ିଥିଲା । ତୁରନ୍ତ ପୈଠ କରା ନଗଲେ ଲାଇନ୍ କାଟି ଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି । ଲାଗିଥିବା ମିଟର ଚାଲୁଥିଲେ ମଧ୍ୟ ତାକୁ ଜବରଦସ୍ତି ବାହାର କରି ଚାଇନା ମିଟର ଲଗାଇ ଦେଇଛନ୍ତି । ଯେଉଁଥିରେ ବିଲ୍ ଅଧିକ ଆସୁଛି । ଏହିଭଳି ହଜାର ହଜାର ଅଭିଯୋଗ ପ୍ରତିଦିନ ପାର୍ଟି ପାଖରେ ପହଞ୍ଚୁଛି । ସରକାର ଯଦି ଏଥିରେ ହସ୍ତକ୍ଷେପ ନ କରନ୍ତି, ତାହେଲେ ଆଗାମୀ ଦିନରେ ଏହି ଜନଅସନ୍ତୋଷ ଆନ୍ଦୋଳନ ରୂପ ନେବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି ।
ଚଳିତ ମାସର ଶେଷ ସପ୍ତାହ ସୁଦ୍ଧା ଓଇଆରସି ୨୦୨୨- ୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଉପରେ ନିଷ୍ପତ୍ତି ଶୁଣାଇବାର ସମ୍ଭାବନା ରହିଛି । ଯଦି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଏ, ତା’ହେଲେ ଭୟଙ୍କର ପରିସ୍ଥିତି ଉପୁଜିବ । ଆଗାମୀ ବିଧାନସଭା ଅଧବେଶନ ସମୟରେ ବିଜୁଳି ସଂସ୍କାର ଉପରେ ଏକ ସ୍ଵତନ୍ତ୍ର ଆଲୋଚନା ହେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଓ ଓଇଆରସି କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ନୋଡାଲ ଅଫିସର ନିଯୁକ୍ତି କରିବା ସହ ଏକ ଦେୟମୁକ୍ତ ଟୋଲ ଫ୍ରି’ ନମ୍ବର ଜାରି କରି ଉପଭୋକ୍ତଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
