ଜଳାଶୟ ଉପରେ ନିର୍ମାଣ ଚାଲିଛି ରେଳଲାଇନ୍‌, ଖତଗଦାରେ ପ୍ରସ୍ତାବିତ ଇକୋ ଟୁରିଜମ୍‌

ଝାରସୁଗୁଡ଼ା : ଖଣି ଓ ଶିଳ୍ପ କାରଖାନା ଯୋଗୁଁ ପ୍ରଦୂଷଣ ବଳୟରେ ଥିବା ଝାରସୁଗୁଡ଼ା ବ୍ଲକ୍‌ ଜମେରା ପଞ୍ଚାୟତ ଅନ୍ତର୍ଗତ ଏହି ସିଂହାବଗା ଗ୍ରାମରେ ଏବେ ବି ବିଦେଶୀଙ୍କ ସମାଗମ ରହିଛି । ଯାହାକି, ପରିବେଶବିତ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି । ସାଧାରଣତଃ ନଭେମ୍ବର/ଡିସେମ୍ବର ମାସରେ ହଜାର ହଜାର ସଂଖ୍ୟା‌ରେ ବିଦେଶୀପକ୍ଷୀ ଏଠାକୁ ଆସିଥା’ନ୍ତି । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେଲେ ଏଠାରୁ ପ୍ରତ୍ୟାବର୍ତ୍ତନ କରିଥା’ନ୍ତି । ଚଳିତ ବର୍ଷ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯାହାକି, ଅତ୍ୟନ୍ତ ଆଶ୍ବସ୍ତର ବିଷୟ ବୋଲି କୁହାଯାଉଛି । ତେବେ, ବିଦେଶୀ ପକ୍ଷୀଙ୍କ ସମାଗମ ହେଉଥିବା ଜଳାଶୟ ଉପରେ ଯେଉଁଭଳି ଭ‌ାବେ ରେଳାଲାଇନ୍‌ ନିର୍ମାଣ ଚାଲିଛି ତାହା କେବଳ ପକ୍ଷୀଙ୍କ ସମାଗମକୁ ପ୍ରଭାବିତ କରିବନାହିଁ, ପରିବେଶ ସନ୍ତୁଳନକୁ ବି ବିଗାଡ଼ି ଦେବାର ଆଶଙ୍କା ରହିଛି ।

ଝାରସୁଗୁଡ଼ା ଜିଲ୍ଲାରେ ଖଣି ଓ ଶିଳ୍ପ କାରଖାନା ଯୋଗୁ ପରିବେଶ ଅସନ୍ତୁଳିତ ହୋଇପଡ଼ୁଛି । କାରଖାନା ବର୍ଜ୍ୟ ପରିଚାଳନାରେ ଅହେତୁକ ତ୍ରୁଟିବିଚ୍ୟୁତି ଜିଲ୍ଲାରେ ଜୈବ ବିବିଧତା ନଷ୍ଟ କରୁଥିବାବେଳେ ଦ୍ରୁତ ଜଙ୍ଗଲ କ୍ଷୟ ପରିବେଶ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି । ଜିଲ୍ଲାରେ କ୍ରମାଗତ ଭାବେ ବୃଷ୍ଟିପାତ କମି କମି ଯାଉଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଉଛି । ଜଙ୍ଗଲ ନୀତି ଅନୁଯାୟୀ ଜିଲ୍ଲାର କ୍ଷେତ୍ରଫଳର ୩୩ ପ୍ରତିଶତ ଜଙ୍ଗଲ ରହିବା ଉଚିତ । ମାତ୍ର ଏହା ୧୫ ପ୍ରତିଶତ ତଳକୁ ଖସି ଆସିଛି । ଏଭଳି ପ୍ରତିକୂଳ ପରିସ୍ଥିତିରେ ଝାରସୁଗୁଡ଼ା ଠାରୁ ମାତ୍ର ଅଳ୍ପ ଦୂରରେ ଅବସ୍ଥିତ ସିଂହାବଗାରେ ବିଦେଶୀ ପକ୍ଷୀଙ୍କ ସ୍ଥାୟୀ ବସବାସର ଆଭାସ ମିଳିଛି । ପ୍ରକୃତି ପ୍ରତି ସବୁଆଡ଼ୁ ଅତ୍ୟାଚାର ଚାଲିଥିବାବେଳେ ଏଭଳି ଏକ ଖବର ପ୍ରକୃତି ପ୍ରେମୀଙ୍କୁ ଆଶ୍ବସ୍ତ କରିବା ସ୍ବାଭାବିକ ।

ସୂଚନା ଅନୁସାରେ, ଗତ ୪/୫ ବର୍ଷ ହେଲାଣି ପରିବେଶବିତ୍‌ ଓ ପକ୍ଷୀପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି ସିଂହାବଗା । ଝାରସୁଗୁଡ଼ା ବ୍ଲକ୍‌ ଜମେରା ପଞ୍ଚାୟତ ଅନ୍ତର୍ଗତ ଏହି ସିଂହାବଗା ଗ୍ରାମ ନିକଟରେ ଇବ୍‌ ଓ ଭେଡ଼େନ୍‌ ନଦୀର ପଛୁଆ ଜଳଥିବା ଏକ ବିସ୍ତୀର୍ଣ୍ଣ ଆର୍ଦ୍ର ଭୂମି ଅଞ୍ଚଳକୁ ପ୍ରତିବର୍ଷ ନଭେମ୍ବର/ଡିସେମ୍ବର ମାସରେ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀ ଆସିଥା’ନ୍ତି । ଏମାନେ ଏଠାରେ ଭରପୂର ଖାଦ୍ୟ ଓ ଅନୁକୂଳ ପରିବେଶ ପାଉଥିବାରୁ ଗ୍ରୀଷ୍ମଋତୁ ପର୍ଯ୍ୟନ୍ତ କଟାଇଥା’ନ୍ତି । ଗତ କିଛିବର୍ଷ ହେଲା ଶୀତ ଦିନରେ ବହୁ ବିଦେଶୀ ପକ୍ଷୀ ଆସି ଗ୍ରୀଷ୍ମ ଆରମ୍ଭ ବେଳେ ଫେରି ଯାଉଥିଲେ । ଏଥର କିନ୍ତୁ ଏହି ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ଅନେକ ପ୍ରଜାତି ଏଠାରୁ ଫେରି ନଥିବା ଜଣାଯାଇଛି । ଏହାକୁ ନେଇ ପରିବେଶବିତ୍‌ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେମାନଙ୍କ କହିବା କଥା, ଦେଶର ଶହେ ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ସହରର ନାମ କେନ୍ଦ୍ର ପ୍ରଦୂଷଣ ବୋର୍ଡର ତାଲିକାରେ ଉଲ୍ଲେଖ ରହିଛି । ଶିଳ୍ପ ସହିତ କୋଇଲା ପରିବହନ ଏବଂ ବ୍ୟାପକ ମୋବାଇଲ ଟାୱାର ପରିବେଶକୁ ଧ୍ବଂସ ଆଡ଼କୁ ଠେଲିହୋଇଯାଇଛି । ଏହା ସତ୍ତ୍ବେ ବି ବିଦେଶୀ ପକ୍ଷୀଙ୍କ ସମାଗମ ଆଶ୍ବାସନାର ବିଷୟ ବୋଲି ସେମାନେ କହିଛନ୍ତି ।

ମାତ୍ର, ଜଳାଶୟ ଉପରେ ଗୋଟିଏ ରେଳଲାଇନ ନିର୍ମାଣ ଏଠାକାର ପରିବେଶକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଯେଉଁ ଜଳାଶୟ ମଧ୍ୟରେ ଏହି ବିଦେଶୀ ପକ୍ଷୀଙ୍କ ସମାଗମ ହେଉଛି, ସେହି ସ୍ଥାନ ଧ୍ବଂସ ମୁହଁକୁ ଠେଲି ଦିଆଯାଉଛି । ଜଳାଶୟ ଉପରେ ଗୋଟିଏ ପରେ ଗୋଟିଏ ରେଳ ଧାରଣା ନିର୍ମାଣ ହେବାକୁ ଲାଗିଛି । ମୁମ୍ବାଇକୁ ରେଳଲାଇନ୍‌ ପଡ଼ିଥିବାବେଳେ, ଏହାକୁ ଲାଗି କୋଇଲା ପରିବହନ ପାଇଁ ସମୁଦାୟ ୬ଟି ରେଳଲାଇନ ନିର୍ମାଣ ହୋଇସାରିଲାଣି । ଫଳରେ, ପକ୍ଷୀ ରହୁଥିବା ସ୍ଥାନ ଧୀରେଧୀରେ ସଂକୁଚିତ ହେବାରେ ଲାଗିଛି । ଏଠାରେ ଏନ୍‌ଏଲ୍‌ସି କମ୍ପାନିକୁ କୋଇଲା ପରିବହନ ପାଇଁ ଆଉ ଏକ ରେଳଲାଇନ୍‌ ବିଛାଇବାକୁ ଅନୁମତି ପ୍ରଦାନ କରାଯାଇଛି । ଜଙ୍ଗଲ ବିଭାଗ ପକ୍ଷରୁ ଏଠାରେ ଇକୋ ଟୁରିଜମ୍‌ ବିକାଶ ପାଇଁ ପ୍ରସ୍ତାବ ଗୃହୀତ ହୋଇ ଯୋଜନା ପ୍ରସ୍ତୁତ ହୋଇସାରିଛି । ଜିଲ୍ଲା ଖଣିଜ ପାଣ୍ଠିରୁ ଏଥିପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ମଧ୍ୟ ହୋଇଛି । କିନ୍ତୁ ପ୍ରକଳ୍ପ ଆରମ୍ଭ ହୋଇନାହିଁ । ଜଙ୍ଗଲ ବିଭାଗ ଏଠାରେ କିଛି ବୃକ୍ଷରୋପଣ କରିଥିବା ଓ ଏକ ସାଇନବୋର୍ଡ ଲାଗାଇବା ସହିତ ଗଛଗୁଡ଼ିକରେ ପକ୍ଷୀଙ୍କ ରହିବା ପାଇଁ ନୀଡ଼ ବାନ୍ଧି ଚୁପ୍‌ ରହିଛି । ରେଳଲାଇନ ନିର୍ମାଣ ପାଇଁ ଏହି ଜଳାଶୟ ଉପରେ ଜମି ଅଧିଗ୍ରହଣ ପ୍ରାୟ ଶେଷ ପର୍ଯ୍ୟାୟରେ ଥିବାବେଳେ ପ୍ରସ୍ତାବିତ ଇକୋ ଟୁରିଜମ ପ୍ରକଳ୍ପ ଖତଗଦାରେ ପଡ଼ିଛି ।

Leave a Reply

Your email address will not be published. Required fields are marked *