ସମ୍ବଲପୁର : ସମ୍ବଲପୁରର ସୁନାପାଲି ଛକ ଠାରେ ମଙ୍ଗଳବାର ରାତ୍ର ପ୍ରାୟ ୮ଟା ସମୟରେ ଜଣେ ଯୁବକଙ୍କୁ ଛୁରା ମାଡ କରାଯାଇଥିବାର ଜଣାପଡ଼ିଛି । ସୂଚନାନୁଯାୟୀ, ସୁନାପାଲି ଛକ ଅଞ୍ଚଳରେ ରାତ୍ର ସମୟରେ ଉତ୍ସବର ମାହୋଲ ଚାଲିଥିବା ବେଳେ ସେହି ସମୟରେ ଦୁଇ ଜଣ ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ସୃଷ୍ଟି ହୋଇଥିଲା । ପ୍ରଥମେ ଯୁକ୍ତିତର୍କ ଓ ପରେ ଧସ୍ତାଧସ୍ତି ହେବାରୁ ଜଣେ ଯୁବକ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିବାରୁ ମହମ୍ମଦ ସାକିର ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ଯୁବକଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଏ ସର୍ମ୍ପକରେ ଖବର ପାଇ ଧନୁପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବାର କହିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣାରେ ଅଭିଯୁକ୍ତ ଫେରାର ରହିଥିବାର ଜଣାପଡ଼ିଛି ।
