ପୁରୀ : ଆନନ୍ଦବଜାରରେ ଶୃଙ୍ଖଳା ଆଣିବାକୁ ୨୦୧୮ ମସିହାରୁ ସୁପ୍ରିମକୋର୍ଟ ଆଦେଶ ଦେଲେଣି । କିନ୍ତୁ ଅଦ୍ୟାବଧି ଆନନ୍ଦବଜାରରେ ଶୃଙ୍ଖଳା ଫେରୁନି । ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛି ଆନନ୍ଦବଜାର ବଦଳରେ କୋଇଲି ବୈକୁଣ୍ଠରେ ମହାପ୍ରସାଦ ବିକ୍ରି । କିଛିଦିନ ହେବ କୋଇଲି ବୈକୁଣ୍ଠରେ କିଛି ସୁଆର ସେବକ କୋଇଲି ବୈକୁଣ୍ଠରେ ବସି ମହାପ୍ରସାଦ ବିକ୍ରି କରୁଛନ୍ତି । ଏହାକୁ ନେଇ ଅନ୍ୟ ସୁଆର ସେବକଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିଲେ ବି ପରିଚୟ ଆଗରେ ନିରବ ରହିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟ ଏକ ବଡ଼ ଘଟଣା ହେଉଛି, କିଛିଦିନ ହେବ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ବାରରେ ଦଲାଲଙ୍କ ସଂଖ୍ୟା ବଢ଼ିଯାଇଛି । ଯେଉଁମାନେ ଆନନ୍ଦବଜାରରୁ ମହାପ୍ରସାଦ କିଣି ଏହାକୁ ଦୁଇଗୁଣା ତିନିଗୁଣା ଦରରେ ବିକ୍ରି କରୁଛନ୍ତି ।
ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସ୍ବତ୍ତ୍ବଲିପି ଆଧାରରେ ଯେଉଁମାନେ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ପାଇଁ ଯୋଗ୍ୟ ସେହିମାନଙ୍କୁ ବି ମହାପ୍ରସାଦ ବିକ୍ରିର ସୁଯୋଗ ଦେଇ ଅନ୍ୟମାନଙ୍କୁ ବିତାଡ଼ିତ କରିବାକୁ କିଛିଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ଏକ ତାଲିକା ବି ପ୍ରସ୍ତୁତ ହୋଇଥିଲା । ଏମାନଙ୍କ ସହ କେତେ ଲୋକ ରହିବେ ତା’ର ବି ତାଲିକା ତିଆରି ହୋଇଥିଲା । ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ପାଇଁ ସେଡ୍ ତିଆରି କରାଗଲା । କୋଡୁଆ ଆଦି ରଖିବାକୁ ଏଥିରେ ବ୍ୟବସ୍ଥା ରହିଲା । ଆନନ୍ଦବଜାର ବାହାରେ ମହାପ୍ରସାଦ ଖାଇବା କି ବିକ୍ରି କରିବାରେ କଟକଣା ଲଗାଗଲା । ଏହା ସତ୍ତ୍ବେ କିଏ ବାଇଶି ପାହାଚ ପାଖରେ ମହାପ୍ରସାଦ ବିକ୍ରି ଓ ସେବନ କଲେଣି ତ, କିଏ କୋଇଲି ବୈକୁଣ୍ଠରେ ମହାପ୍ରସାଦ ବିକ୍ରି ଓ ସେବନ କଲେଣି । ଏହା ପ୍ରଶାସନିକ ଅଧିକାରୀ, ଜେଟିପିମାନେ ଦେଖୁଥିଲେ ବି ନିରବ ରହିବା ସାଧାରଣରେ ପ୍ରଶ୍ନ ଉଠିଛି ।
ସେପଟେ କିଛି ବ୍ୟକ୍ତି ଏବେ ଉତ୍ତର ଓ ଦକ୍ଷିଣ ଦ୍ବାରରେ ରହୁଥିବା ପୁଲିସ, ଜେଟିପିଙ୍କୁ ହାତ କରି ଧୋତି, ଗାମୁଛା ପିନ୍ଧି ବୋଝିଆ, ସୁଆର ସେବକ ବେଶରେ ଭକ୍ତଙ୍କୁ ଲୁଟିବା ଆରମ୍ଭ କରିଦେଇଛନ୍ତି । ଜନୈକ ବରିଷ୍ଠ ସୁଆର ସେବକଙ୍କ କହିବା ଅନୁସାରେ, ଏହି ଦଲାଲମାନେ ବାହାର ଭକ୍ତଙ୍କୁ ଦେଖି ଆନନ୍ଦବଜାରରୁ ଯଦି ୩ ଶହ ଟଙ୍କା ମହାପ୍ରସାଦ ନେଉଛନ୍ତି, ଏହାକୁ ୬ ଶହ, ୭ ଶହରୁ ୯ଶହ ଟଙ୍କାରେ ବିକ୍ରି କରୁଛନ୍ତି । କିଛି ନିର୍ଦ୍ଧିଷ୍ଟ ସୁଆର ସେବକଙ୍କୁ ହାତ କରି ଏମାନେ ଏଭଳି ଦୌରାତ୍ମ୍ୟ କରୁଛନ୍ତି । କିଛି ଜେଟିପି, ପୁଲିସଙ୍କୁ ବି ମହାପ୍ରସାଦ ଦେଇ ଶ୍ରୀମନ୍ଦିରରେ ଅବାଧ ପ୍ରବେଶର ବାଟ ଖୋଲି ଦେଇଛନ୍ତି । ଏଣୁ ଏମାନେ ପରିଚୟପତ୍ର ନ ପିନ୍ଧିଲେ ବି ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ମନ୍ଦିରକୁ ଛାଡ଼ି ଦିଆଯାଉଛି । ଯଦ୍ବାରା ଅନ୍ୟ ସୁଆର ସେବକମାନେ ବଦନାମ ହେଉଛନ୍ତି । ଏ ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବରିଷ୍ଠ ସୁଆର ସେବକ କହିଛନ୍ତି ।
