ଧୋକା ଦେଉଛି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର : ସ୍ମାର୍ଟସିଟିରେ ୯ ରୁ ୨ଟି ର ନିଜସ୍ବ ଘର ନାହିଁ

ରାଉରକେଲା : ସ୍ମାର୍ଟସିଟି ବାସିନ୍ଦାଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ରହିଛି ୯ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା, ଡାକ୍ତର ନଥିବାରୁ ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟ ସ୍ଥାନୀୟ ଲୋକଙ୍କୁ ଧୋକା ଦେଉଛି । ବାସନ୍ତୀ କଲୋନି ଡିଏଭି ଛକସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ଠିକ୍‌ ଚାଲିଛି । ଅନ୍ୟଗୁଡ଼ିକ ଲୋକଙ୍କୁ ଯେତିକି ସୁବିଧା ଯୋଗାଇ ଦେବା ସେତିକି ଦେଇପାରୁ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ସହରରର ବାସନ୍ତୀ କଲୋନି ଡିଏଭି ଛକ, ଛେଣ୍ଡ କଲୋନୀ (ଧାମରା ସଂଘ ଅଫିସ୍‌ ନିକଟ), ଓରାମ ପଡା ( ପାୱାର ହାଉସ୍‌ ରୋଡ), କୋଏଲନଗର, ଫର୍ଟିଲାଇଜର, ସେକ୍ଟର-୬ (ତାରା ତାରିଣୀ ମନ୍ଦିର ନିକଟ), ବନ୍ଧମୁଣ୍ଡା, ତିଲକାନଗର, ବାଲୁଘାଟ (ପଞ୍ଜାବୀ ବସ୍ତି) ଏମିତି ୯ଟି ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି ।

ଫର୍ଟିଲାଇଜର ଓ ବାଲୁଘାଟ ପଞ୍ଜାବ ବସ୍ତି ନିକଟରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଭଡାରେ ଚାଲିଛି । ବର୍ଷ ବର୍ଷ ଧରି ଭଡାରେ ଚାଲୁଥିବା ଏହି ଦୁଇଟି ସ୍ବାସ୍ଥ୍ୟକେନ୍ଦ୍ରରେ କେବେ ନିଜସ୍ବ ବିଲ୍‌ଡିଂ ନିର୍ମାଣ ହେବ କାହାରି ପାଖରେ ଉତ୍ତର ନାହିଁ । କୋଏଲନଗର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୧୦ ଦିନ ହେବ ଡାକ୍ତର ନାହାନ୍ତି । ନିଯୁକ୍ତି ପାଇଥିବା ଡାକ୍ତର ଚାଲିଯିବା ପରେ ଏଠାରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । କାରଣ କୋଏଲନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ କୋଏଲନଗର, ଶକ୍ତିନଗର ସମେତ ଇସ୍ପାତ ସହରାଞ୍ଚଳ ଆଖପାଖ ବସ୍ତିର ଲୋକ ନିର୍ଭରଶୀଳ । ଡାକ୍ତରନଥିବାରୁ ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ନିରାଶ ହୋଇ ଯିବାକୁ ବାଧ୍ୟ ହେଉଛନ୍ତି । ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି । କେବେ ଡାକ୍ତର ନିଯୁକ୍ତି ହେବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି ।

ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ଡାକ୍ତର, ଜଣେ ଷ୍ଟାଫ୍‌ ନର୍ସ, ଜଣେ ଫାର୍ମାସିଷ୍ଟ, ଜଣେ ଲାବ ଟେକ୍ନିସିଆନ୍‌ ରହିବା ଆବଶ୍ୟକ । ହସ୍ପିଟାଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଓ ଡାକ୍ତର ଥିବା କହୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା । ସେମିତି ସ୍ବାସ୍ଥ୍ୟ କେନ୍ଦ୍ର ପୂର୍ବାହ୍ନ ୮ଟା ରୁ ୧୧ଟା ଓ ସଂଧ୍ୟା ୫ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ହେବାର ନିୟମ ରହିଛି । ଏହି ନିୟମ କିଛି ସ୍ବାସ୍ଥ୍ୟ କେନ୍ଦ୍ରରେ ଠିକ୍‌ ଭାବେ ପାଳନ ହେଉ ନାହିଁ । ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ବନ୍ଦ କରି ଦିଆଯାଉଛି ।

ଅନେକ ସମୟରେ ସଂଧ୍ୟାରେ ଖୋଲୁ ନଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସବୁଠୁ ବେଶି ଦ୍ବନ୍ଦ ଉପୁଜିଛି ବିଶ୍ରା ଡାହାର ସ୍ବାସ୍ଥ୍ୟ କେନ୍ଦ୍ରରେ । କାରଣ ସ୍ବାସ୍ଥ୍ୟକେନ୍ଦ୍ର ବିଶ୍ରା ଡାହାର ରୋଡ ଇଣ୍ଡୋ ଇଂରାଜୀ ମାଧ୍ୟମ ସ୍କୁଲ ନିକଟରେ ରହିଛି । କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ର ବୋର୍ଡରେ ମହତାବ ରୋଡ ଲେଖାଯାଇଛି । ମହତାବରୋଡ ପରିବର୍ତ୍ତେ ବିଶ୍ରା ଡାହାର ରୋଡ ଲେଖିବାକୁ ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି । ଅଦ୍ୟାବଧି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ରର ଅସଲି ଠିକଣାକୁ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ଏହା ବ୍ୟତିରେକ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ସମସ୍ୟା ରହିଛି । ତେବେ ସ୍ମାର୍ଟସିଟିରେ ସ୍ଥାନୀୟ ଲୋକଙ୍କୁ ସ୍ବାସ୍ଥ୍ୟସେବାରେ ଧୋକା ଦେଉଥିବା କିଛି କେନ୍ଦ୍ରର ରହିଥିବା ପ୍ରାଥମିକ ସମସ୍ୟା ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ତୁରନ୍ତ ସମାଧାନ କରିବାକୁ ଦାବି ହେଉଛି । ଏଥିସହ ଯେଉଁ ସ୍ବାସ୍ଥ୍ୟ କେନ୍ଦ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଯାଉଛି, ସେଥିପ୍ରତି ମଧ୍ୟ ବିଭାଗୀୟ ଅଧିକାରୀ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *