ବିନା ଅନୁମତିରେ ୧୨ କୀର୍ତ୍ତିରାଜି ନିର୍ମାଣ : ବାରବାଟୀ ଦୁର୍ଗର ନିଷିଦ୍ଧାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଖନନ ଓ କୋଠା ନିର୍ମାଣ

ବଲାଙ୍ଗୀର : ନିଷିଦ୍ଧାଞ୍ଚଳରେ ରାଜ୍ୟରେ ରହିଥିବା ଜାତୀୟ କୀର୍ତ୍ତିରାଜିର ବେଆଇନ ନିର୍ମାଣ ଏକ ପୁରୁଣା ଅଭ୍ୟାସ । ଏପରିକି ରାଜ୍ୟର ଏକମାତ୍ର ୟୁନେସ୍କୋ କୀର୍ତ୍ତିରାଜି ବ୍ଲାକ୍‌ ପାଗୋଡ଼ା କୋଣାର୍କ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ସମୁଦାୟ ୮୦ଟି ଜାତୀୟ ମାନ୍ୟତାପ୍ରାପ୍ତ କୀର୍ତ୍ତିରାଜି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀନରେ ରହିଛି । ତନ୍ମଧ୍ୟରୁ ୧୨ଟି ଜାତୀୟ କୀର୍ତ୍ତିରାଜିର ଶହେ ମିଟର ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ନିର୍ମାଣ କରାଯାଇଛି । ପ୍ରାଚୀନ ବାରବାଟୀ ଦୁର୍ଗର ନିଷିଦ୍ଧାଞ୍ଚଳରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଖନନ ଓ କୋଠା ନିର୍ମାଣ ମଧ୍ୟ କରାଯାଇଛି । ଏବେ ବିବାଦରେ ରହିଥିବା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶହେ ମିଟର ପରିଧି ଭିତରେ ନିର୍ମାଣ ପାଇଁ ନ୍ୟାସନାଲ ମୋନୁମେଣ୍ଟ ଅଥରିଟି ବା ଏନ୍‌ଏମ୍‌ଏର ଅନୁମତି ମିଳିନାହିଁ । ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ଏହିଭଳି ତଥ୍ୟ ଏବେ ସାମ୍‌ନାକୁ ଆସିଛି ।

ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ମିଳିଥିବା ତଥ୍ୟ ଅନୁସାରେ, କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଉଦୟଗିରି ଏବଂ ଖଣ୍ଡଗିରିର ନିଷିଦ୍ଧାଞ୍ଚଳରେ ତଥା ଶହେ ମିଟର ପରଧି ମଧ୍ୟରେ ଡ୍ରେନ୍‌ ନିର୍ମାଣ କରିଛନ୍ତି । ପୁରୀ ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ଏବେ ବିବାଦ ରହିଛି । ହସ୍ତଗତ ତଥ୍ୟ ଅନୁସାରେ, ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏନ୍‌ଏମ୍‌ଏମର ଅନାପିତ୍ତ ବା ଆପତ୍ତି ନଥିବା ପ୍ରମାଣପତ୍ର ମିଳିନାହିଁ । ତେବେ, ‘ନିର୍ମାଣ’ ଶବ୍ଦର ପରିଭାଷାରେ ସାର୍ବଜାନିକ ସୁବିଧା ପାଇଁ କେତେକ ନିର୍ମାଣକୁ ଅନୁମତି ଦିଆଯାଇଛି ।

ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳ ମଧ୍ୟରେ ମେଘନାଦ ପ୍ରାଚୀରକୁ ସଂଲଗ୍ନ କରି ଆଉ ଏକ ପ୍ରାଚୀର ନିର୍ମାଣ ଏବଂ ପରିକ୍ରମା ପ୍ରକଳ୍ପର କାର୍ଯ୍ୟକାରିତା ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ଭାବେ କରାଯାଉଥିବା ଏଏସ୍‌ଆଇ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍’ ଦିଆଯାଇନଥିଲେ ମଧ୍ୟ ନିଷିଦ୍ଧାଞ୍ଚଳ ଅଞ୍ଚଳ ମଧ୍ୟରେ କ୍ଲବ୍‌ ରୁମ୍‌, ମିନି କ୍ଲବ୍‌ ରୁମ୍‌, ସେଲ୍‌ଟର୍ ପେଭିଲିଆନ, ମହିଳା ଓ ପୁରୁଷ ଶୌଚାଳୟ, ସେବାୟତ ଶୌଚାଳୟ, ଇଲେକଟ୍ରିକାଲ ରୁମ୍ ସମେତ ଶ୍ରୀମନ୍ଦିର ଗର୍ଭଗୃହକୁ ଦର୍ଶନାର୍ଥୀ ଧାଡ଼ିରେ ଯିବାପାଇଁ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି ।

ଅନ୍ୟପକ୍ଷରେ; ଅଭ୍ୟର୍ଥନା କେନ୍ଦ୍ର, ଡୋନେସନ କିୟୋକ୍ସ, ଫାଷ୍ଟଏଡ୍‌ ସେଣ୍ଟର, ପୁଲିସ୍ ସର୍ଭିସ ସେଣ୍ଟର ଓ ଏଟିଏମ୍‌ କିୟୋକ୍ସର ପୁନଃବିଚାର କରି ସ୍ଥାନ ପୁନଃନିରୂପଣ ପାଇଁ ଏନ୍‌ଏମ୍‌ଏ ପକ୍ଷରୁ କୁହାଯାଇଥିଲା ବୋଲି ହସ୍ତଗତ ତଥ୍ୟରୁ ଜଣାପଡ଼ିଛି । ଆହୁରି ମଧ୍ୟ ଜଣାପଡ଼ିଛି ଯେ ଗତ ଫେବ୍ରୁଆରି ୨୧ ଦିନ ଏଏସ୍‌ଆଇ ଡିଜି ପରକ୍ରମା ପ୍ରକଳ୍ପ ପରିଦର୍ଶନ କରି ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ ତାହା ଭକ୍ତଙ୍କ ସୁବିଧା ପାଇଁ କରାଯାଉଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏଏସ୍‌ଆଇ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଫଳରେ ମୁଖ୍ୟମନ୍ଦିରକୁ ଦେଖିବା ପାଇଁ  ଅସୁବିଧା ସୃଷ୍ଟି ହେବନାହିଁ ବୋଲି କୁହାଯାଇଛି । ରାଜ୍ୟ ସରକାର ପ୍ରକଳ୍ପର ନିର୍ମାଣ ସମୟରେ ଆଧ୍ୟାତ୍ମିକ ଦିଗ ପ୍ରତି ସଚେତନ ରହିବା ଉଚିତ ବୋଲି ମଧ୍ୟ କୁହାଯାଇଛି । ପ୍ରସ୍ତାବିତ ଅଭ୍ୟର୍ଥନା କୋଠା ୭୫ ମିଟର ମଧ୍ୟରେ ରହିଥିବାରୁ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହାର ନିର୍ମାଣକୁ ସ୍ଥାନାନ୍ତର କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ବିଚାର କରିବା ପାଇଁ ରିପୋର୍ଟରେ ଉଲ୍ଲେଖ ରହିଥିବା ଏହି ତଥ୍ୟରୁ ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ କେବଳ ପୁରୀରେ ଆମସାର୍ ଆଇନକୁ ଅଣଦେଖା କିମ୍ବା ଉଲ୍ଲଂଘନ କରାଯାଉଥିବା ପ୍ରଶ୍ନ ଉଠିବାପରେ ସୂଚନା କର୍ମୀ ଶ୍ରୀ ପଣ୍ଡା ଓଡ଼ିଶାର କେଉଁ କେଉଁ କୀର୍ତ୍ତିରାଜିର ନିଷିଦ୍ଧାଞ୍ଚଳ ମଧ୍ୟରେ ଅନଧିକୃତ ଭାବେ ନିର୍ମାଣ କାର୍ଯ୍ୟ କରାଯାଇଛି, ସେ ସମ୍ପର୍କରେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗକୁ ଆର୍‌ଆଟିଆଇ ବଳରେ ତଥ୍ୟ ମାଗିଥିଲେ ।

Leave a Reply

Your email address will not be published. Required fields are marked *