ନୀଳଗିରି ସାମ୍ବାଦିକଙ୍କୁ ମେଡିକାଲରେ ‌ବେଡ଼ି ପକାଇବା ଘଟଣା : ଓଏଚ୍‌ଆର୍‌ସି, ଏନ୍‌ଏଚ୍‌ଆର୍‌ସିରେ ମାମଲା

ଭୁବନେଶ୍ବର : ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କୁ ପୁଲିସ୍‌ ମାରପିଟ୍‌ କରିବା ସହ ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ରାଜ୍ୟ ମାନବାଧିକାର କମିସନ୍‌ (ଓଏଚ୍‌ଆର୍‌ସି) ଏହାକୁ ଗୁରୁତ୍ବର ସହ ନେଇଛନ୍ତି । ଏହି ଘଟଣାରେ ଓଏଚ୍‌ଆରସି ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ପାଇଁ କାହିଁକି ଦରକାର ପଡ଼ିଲା, ସେନେଇ ୧୫ ଦିନ ଭିତରେ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିବା ପାଇଁ କମିସନ୍‌ ପୂର୍ବାଞ୍ଚଳ ପୁଲିସ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ ତାରିଖରେ ହେବ ବୋଲି ଜଣାଯାଇଛି । ଏହା ପୂର୍ବରୁ ରିପୋର୍ଟ ଦେବାକୁ କୁହାଯାଇଛି । ସେହିଭଳି ଏହି ଘଟଣାାରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ନୋଟିସ୍‌ କରାଯାଇଛି । ୨୬ ତାରିଖରେ ସେ ମଧ୍ୟ ଏହି ମାମଲାରେ ଏକ ରିପୋର୍ଟ ଦାଖଲ କରିବାକୁ ଓଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ମଧ୍ୟ ଓଏଚ୍‌ଆରସିରେ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି)ରେ ମଧ୍ୟ ପୁରୀର ଜୟନ୍ତ କୁମାର ଦାସଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି । ଅଭିଯୋଗପତ୍ରରେ ଶ୍ରୀ ଦାସ ଦର୍ଶାଇଛନ୍ତି ଯେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇ ଚିକିତ୍ସା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାକୁ ଗୁରୁତ୍ବର ସହ ନେଇ ସମ୍ପୃକ୍ତ ଇନ୍‌ସ୍‌ପେକ୍ଟରଙ୍କ ନାମରେ ମାମଲା ରୁଜୁ କରିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେବାକୁ ସେ କମିସନଙ୍କ ନିକଟ‌‌‌ରେ ପ୍ରାର୍ଥନା କରିଛନ୍ତି । ଏହାସହ ୧୯୮୯ ଡିସେମ୍ବର ୧୪ ତାରିଖରେ ସହେଲି ବନାମ ଦିଲ୍ଲୀ ପୁଲିସ କମିସନରଙ୍କ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ପୀଡ଼ିତଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ । ଏହି କ୍ଷତିପୂରଣ ଅର୍ଥ ଅଭିଯୁକ୍ତ ପୁଲିସ ଇନ୍ସପେକ୍ଟରଙ୍କ ଠାରୁ ଆଦାୟ କରାଯାଉ ବୋଲି ଶ୍ରୀ ଦାସ ଏତଲାପତ୍ରରେ ଦର୍ଶାଇଛନ୍ତି ।

ସୂଚନାଯୋଗ୍ୟ, ନୀଳଗିରି ପୁଲିସ୍ ଏକ ମିଥ୍ୟା ମାମଲାରେ ସମ୍ବାଦ ଓ କନକ ନ୍ୟୁଜ୍‌ର ସ୍ଥାନୀୟ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ଗିରଫ କରିଛି । ଗତ ମଙ୍ଗଳବାର ରାତିରେ ଶ୍ରୀ ଦଳେଇ ଘରକୁ ଫେରୁଥିବା ବେଳେ ନୀଳଗିରି ଥାନାର ଜଣେ ହୋମ୍‌ଗାର୍ଡ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ଫଳରେ ଆପୋଷ ସମାଧାନ ହୋଇଥିଲା । କିନ୍ତୁ ବୁଧବାର ସକାଳେ ହଠାତ୍ ପୁଲିସ ଲୋକନାଥଙ୍କୁ ଗିରଫ କରି ୧୨ ଘଣ୍ଟା ଥାନାରେ ବସାଇବା ସହ ମାନସିକ ଓ ଶାରୀରିକ ଅତ୍ୟାଚାର କରିଥିଲା । ତେବେ ଶ୍ରୀ ଦଳେଇଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ରାତିରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୁଲିସ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ।

Leave a Reply

Your email address will not be published. Required fields are marked *