ଧାମନଗର : ଧାମନଗର ବ୍ୟାଟଲ ଫିଲଡରେ ଆଜି ବିଜେପି ପାଇଁ ମୈଦାନକୁ ଓହ୍ଲାଇବେ ହେଭିୱେଟ । ଆଜି ପ୍ରଚାର ପାଇଁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା । ୨ ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି କରିବେ ପଦଯାତ୍ରା । ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସି ମେଡିକାଲ ବଜାର, କୋଠାର ପଞ୍ଚାୟତର କୋଠାର ଛକ ଏବଂ ଅସୁରାଳୀରେ ପ୍ରଚାର କରିବେ ।
ପରେ ଶହୀଦ ନଗରରେ ଥିବା ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଦେବାପରେ ସେଠାରେ ଧର୍ମେନ୍ଦ୍ର ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଅକ୍ଟୋବର ୨୯ ରେ ତିହିଡି ବ୍ଲକର ପାଳିଆ ବଜାର, ଗୌମାଳା ଓ ବୋଡାକରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପଦଯାତ୍ରା କରି ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ଆଜି ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ପଦଯାତ୍ରା କରି ଭୋଟଭିକ୍ଷା କରିବେ । ତେବେ ବିଜେପି ସିଟକୁ ନିଜ କବଜାରେ ରଖିବା ପାଇଁ ଦମଖମ୍ ଲଗାଇଥିବା ବେଳେ ବିଜେଡିକୁ ଘାରିଛି ଭୋଟ୍ ବିଭାଜନ ଭୟ ।
ସ୍ବାଧୀନ ଭାବେ ରାଜୁ ଦାସ ନିର୍ବାଚନ ଲଢ଼ୁଥିବାରୁ ବିଜେଡି ଭୋଟ ବ୍ୟାଙ୍କକୁ ସେ ବଡ଼ କ୍ଷତି ପହଞ୍ଚାଇବାର ଆଶଙ୍କା କରାଯାଉଛି । ବିଶେଷ କରି ଧାମନଗରରେ ଯେଉଁଭଳି ବିଜେଡିର ସ୍ଥାନୀୟ ନେତା ଓ କର୍ମୀଙ୍କୁ ଛାଡ଼ି ଦଳ ବାହାର ଜିଲ୍ଲାର ନେତାଙ୍କୁ ପ୍ରାଧାନ୍ୟ ମିଳୁଛି ସେଥିରେ ବିଜେଡି କର୍ମୀ ରାଜୁ ଦାସଙ୍କ ଆଡ଼କୁ ଢଳୁଥିବା ଦେଖାଯାଉଛି । ସେହିପରି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ଯେମିତି ମହିଳାମାନଙ୍କର ଅନୁକମ୍ପା ଓ ଆଶୀର୍ବାଦ ମିଳୁଛି, ତାହା ବିଜେଡିର ମିଶନ ଶକ୍ତି ପ୍ଲାନ ପାଇଁ କଣ୍ଟା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି । ତେଣୁ ଭୋଟ ବିଭାଜନ ସହ ଅନୁକମ୍ପା ମୂଳକ ଭୋଟ୍ ବିଜେଡିର ଉପନିର୍ବାଚନ ବିଜୟ ଧାରା ଉପରେ ବ୍ରେକ୍ ଲଗାଇବାର ମଧ୍ୟ ଶଙ୍କା ଦେଖାଗଲାଣି ।
