ରେଙ୍ଗାଲିକ୍ୟାମ୍ପ : ଅଦିନିଆ ବର୍ଷା ସହ କୁଆପଥର ମାଡରେ ଚାଷୀ ଫସଲ ଉଜୁଡି ଯାଇଛି । ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ଭିଜୁଛି । କୁଆ ପଥର ମାଡରେ ଏକର ଏକର ପନିପରିବା ନଷ୍ଟ ହୋଇଯାଇଛି । ଦୁଇଦିନ ଦିନ ଧରି ଲଗାତାର ବର୍ଷା ସହ କୁଆପଥର ମାଡରେ ଚାଷୀଙ୍କ ସବୁ ପରିଶ୍ରମ ଧୋଇ ହୋଇଯାଇଛି । ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳ ଧାନ ଚାଷ ହେଉ ବା ପନିପରିବା ଚାଷ ଅଧିକାଂଶ ଲୋକଙ୍କ ଜୀବନ ଜୀବିକା ଏହି ଚାଷ ଉପରେ ହିଁ ନିର୍ଭର କରିଥାଏ । ଏବେ ଖରିଫ ଧାନ ଫସଲର ଅମଳ ସମୟକୁ ବହୁଳ ଭାବରେ ପନିପରିବା ଉତ୍ପାଦନର ସମୟ । ଯେଉଁଥିରେ ଚାଷୀର ସମସ୍ତ ଆଶା ଓ ଭରସା ରହିଥାଏ । କିନ୍ତୁ ଗତ ରବି ଫସଲ ବେଳେ ଯାହା, ଏବେ ଖରିଫ ଋତୁରେ ତାହା ଦେଖିବାକୁ ମିଳୁଛି । ଖରମୁଣ୍ଡା ପଞ୍ଚାୟତ ରୁଣି ପାଲିରେ କୁଆପଥର ମାଡରେ ପନିପରିବା ଅତ୍ୟଧିକ ନଷ୍ଟ ହୋଇଥିବା ଜଣାପଡିଛି । ପ୍ରାୟ ଗୋଟିଏ ଏକରରୁ ଅଧିକ ଜମିରେ ହୋଇଥିବା ପନିପରିବା ନଷ୍ଟ ହୋଇଯାଇଛି ।ଫୁଲକୋବି, ବନ୍ଧାକୋବି, ବାଇଗଣ, ପୋଟଳ, ବିଲାତି ବାଇଗଣ ଆଦି ଫସଲ ଉପରେ ୧ ସେମି ବହଲର କୁଆପଥର ଢାଙ୍କି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହିପରି ଅଞ୍ଚକର ଅନେକ ସ୍ଥାନମାନଙ୍କରେ ହୋଇଥିବା ପ୍ରାୟ ସମସ୍ତ ଫସଲ ନଷ୍ଟ ହୋଇଯାଇଛି । ଗତ ରବି ଋତୁରେ ଧାନ ଫସଲ ହାନି ହେବା ପରେ ଅନେକ ଚାଷୀ ପନିପରିବା ଚାଷ ପାଇଁ ଅଣ୍ଟା ଭିଡ଼ିଥିଲେ । ଏହି ଫସଲରେ ଚାଷୀଙ୍କ ଅର୍ଥ ସାଙ୍ଗକୁ ପରିଶ୍ରମ ସବୁକିଛି ଲାଗି ରହିଥିଲା । ହେଲେ ପ୍ରକୃତିର ଏହି ବିପର୍ୟ୍ୟୟ ସବୁକିଛି ଛାରଖାର କରିଦେଇଛି । ମାର୍କେଟ ୟାରଡ୍ ଗୁଡିକରେ ବିକ୍ରି ପାଇଁ ଆସିଥିବା ଧାନ ଭିଜିଯାଇ ପାଣିରେ ଭାସୁଛି । ବସ୍ତା ଭିତରୁ ଧାନ ଗଜା ଉଙ୍କି ମାରୁଛି । ଗତ ରବି ଫସଲରେ ଧାନ ସମୁଳେ ନଷ୍ଟ ହୋଇ ଚାଷୀ ସର୍ବସ୍ବାନ୍ତ ହୋଇଥିଲେ । ତଥାପି ସରକାରୀ କ୍ଷେତ୍ରରେ ଚାଷୀଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ହୋଇପାରି ନାହିଁ ବୋଲି ଚାଷୀ କହିଛନ୍ତି । ପ୍ରତି ଗ୍ରାମମାନଙ୍କରେ ଖୋଲିଥିବା ଧାନ ବିକ୍ରୟ କେନ୍ଦ୍ରଗୁଡିକରେ ଚାଷୀଙ୍କ ଧାନ ରଖିବା ପାଇଁ ସୁରକ୍ଷିତ ସ୍ଥାନ ରହିବା ଆବଶ୍ୟକ । କିନ୍ତୁ ସେଇ ଅଭାବରୁ ଖୋଲା ଆକାଶ ତଳେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡ଼ିରହି ବର୍ଷାରେ ଭିଜି ନଷ୍ଟ ହେଉଛି । କୃଷି ବିଭାଗର ଏଫସିଆଇଆର୍ ଏକ କେନ୍ଦ୍ରୀୟ ଦଳ ଆସି ଗୋଟିଏ ବା ଦୁଇଟି ସ୍ଥାନକୁ ବୁଲି ଦେଖି ଯାଇଛନ୍ତି, ମାତ୍ର ଏଯାଏଁ କୌଣସି ସମସ୍ୟାର ସମାଧାନ ହୋଇନାହିଁ । ପ୍ରକୃତ ଚାଷୀଙ୍କ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ସଂଗଠନର ସଭାପତି ହାରାଧନ୍ ପ୍ରଧାନ ଚାଷୀଙ୍କ ଏହି ପ୍ରତିକୂଳ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରି କହିଛନ୍ତି, ଯେତେଦିନ ଧରି ଚାଷୀଙ୍କ ସମସ୍ୟାର ସମାଧାନ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେଶର ବିକାଶ ସମ୍ଭବ ହୋଇପାରିବ ନାହିଁ, ସରକାର ଏହାକୁ ହୃଦୟଙ୍ଗମ କରିବା ଉଚିତ୍ ।
