ବାଙ୍କୀ : ବିଭିନ୍ନ ସମୟରେ ଚାଷୀ ମୁଣ୍ଡରେ ଚଡକ ପଡୁଛି । ପ୍ରଭାବରେ ଆର୍ଥିକ ସମସ୍ୟା ଓ କରଜ ବୋଝରେ ଶଢୁଛି ଚାଷୀ । କେତେବେଳେ ବନ୍ୟା ତ’ କେତେ ବେଳ ପୁଣି ବାତ୍ୟା । ଲଘୁଚାପ ଜନିତ ବର୍ଷାରେ ପ୍ରଭାବିତ ଚାଷୀ ପରବର୍ତ୍ତି ଅବସ୍ଥାରେ ଚାଷ ଡେରି ହୋଇଥିଲାବେଳେ ପୁଣି ବନ୍ୟଜନ୍ତୁଙ୍କ ପାଦୁର୍ଭାବ ତଥା ଅଞ୍ଚଳର ବାରାହା ପଲ୍ଲଙ୍କ ଉପଦ୍ରବରେ ଖରିଫ ଧାନ କ୍ଷେତ ସହିତ ପରିବା ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ବାରାହା । ସ୍ଥାନୀୟ ବନ ବିଭାଗର ତତ୍ପରତା ଏବଂ ବାରାହା ପଲ୍ଲ ଘଉଡାଇବାରେ ବନ ବିଭାଗର ଆନ୍ତରିକତା ନଥିବାରୁ ବାଙ୍କୀ ଅଞ୍ଚଳର ଶତାଧିକ ଚାଷୀ ଅସନ୍ତୋଷ ପ୍ରକାଶ କରି ବାରାହା ଘଉଡାଇବାର ବ୍ୟବସ୍ଥା ପାଇଁ ବନ ବିଭାଗକୁ ଅନୁରୋଧ କରିଛନ୍ତି । ସୂଚନା ଅନୁଯାୟୀ ବାଙ୍କୀ-ଡମପଡା ବ୍ଲକ ଅଧିନ ଶିମିଳିପୁର ପଞ୍ଚାୟତ କରବର ଗ୍ରାମ କୃଷି କ୍ଷେତ୍ରରେ ଏକର ଏକର ପାଚିଲା ଧାନକୁ ବୁଧବାର ରାତିରେ ବାରାହା ପଲ୍ଲ ପଶି ଦଳିଚକଟି ନଷ୍ଟ କରିଥିବା ସମ୍ପର୍କରେ ଚାଷୀ ଜଟାଧାରୀ ବେହେରା, ଫକୀର ବିଶ୍ୱାଳ, ନଛବନ ସାହୁ, ଅକ୍ଷୟ ଦଳେଇ ପ୍ରମୁଖ ଅଭିଯୋଗ ଆଣିଛନ୍ତି । ବାତ୍ୟା ପରବର୍ତ୍ତି ସମୟରେ କ୍ଷେତରୁ ଧାନ କାଟିବାକୁ ଯାଇ ବାରାହା ପଲ୍ଲଙ୍କ ଉପଦ୍ରବରେ ଧାନକ୍ଷେତ ଉଜୁଡିଥିବାରୁ ଫେରିଥିବା ଜଣାପଡିଛି । କରବର ମଠମାଳ, ବାଊଁଶପଦା, ରାମଚନ୍ଦ୍ରପୁର ମାଳ, ଶୁଖୁଆଖଳା ଆଦି ଅଞ୍ଚଳରେ ବାରାହା ଉପଦ୍ରବ ବଢିଛି । ରଣନଦୀ କୂଳ, ମହାନଦୀକୂଳ ଗ୍ରାମ୍ୟ ଜଙ୍ଗଲ ଏବଂ ନଦୀକୂଳ ତଣ୍ଡିବଣରେ ପ୍ରାୟ ବାରାହା ରହୁଥିବାରୁ ଦିନ ବେଳେ ମଧ୍ୟ ଜନସାଧାରଣ ଯାତାୟତ ଆଶଙ୍କା ପ୍ରକାଶ କରୁଛନ୍ତି । ସ୍ଥାନୀୟ ବନ ବିଭାଗ ଏ ସମ୍ପର୍କରେ ଦୃଷ୍ଟି ଦେବା ପାଇଁ ଚାଷୀ ଅନୁରୋଧ ଜଣାଇଛନ୍ତି ।
