ବଲାଙ୍ଗୀର : ଦାଦନପ୍ରବଣ ବଲାଙ୍ଗୀର ଜିଲ୍ଲାସାରା ମନରେଗା ଦୁର୍ନୀତି ସାମ୍ନାକୁ ଆସିଛି । ବନୀକରଣ ହେଉ କି ପୋଖରୀ ମାଟି ଖନନ ହେଉ, ରାସ୍ତାଘାଟ ଉନ୍ନତୀକରଣ ହେଉ ମାଟି କାମ; ସବୁଠି ଦୁର୍ନୀତି ! ସବୁକୁ ଏକାଠିକଲେ ଏହି ଦୁର୍ନୀତି ପାଖାପାଖି ଶହେକୋଟିରେ ପହଞ୍ଚିବ ବୋଲି କୁହାଯାଉଛି । ଏହାକୁ ନେଇ ଗାଁ ଗାଁରେ ଶ୍ରମିକମାନଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ପୂର୍ବରୁ ଶ୍ରମିକମାନେ ପଞ୍ଚାୟତରୁ ବ୍ଲକ୍ ଅଫିସ୍ ଯାଏ ଘେରାଉ କରିଥିଲେ । ଏବେ ଗଇଁତି, କୁରାଢ଼ି ଧରି ଡିଆର୍ଡିଏ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ‘ଆମେ ଦାଦନ ଯାଇନୁ, ଆମକୁ ମନରେଗା କାମ ଦିଅ’ ବୋଲି ଦାବି କରିଛନ୍ତି । ବଲାଙ୍ଗୀର ଜିଲ୍ଲାରେ ମନରେଗାରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ୨୦୧୯-୨୦ ଆର୍ଥିକ ବର୍ଷରେ ବଲାଙ୍ଗୀର ଜିଲ୍ଲାରେ ୧୪୯.୬୮ କୋଟି ଟଙ୍କା ମନରେଗା ଯୋଜନାରେ ଖର୍ଚ୍ଚ ହୋଇଥିଲା । ସେହିପରି ୨୦୨୦-୨୧ ବର୍ଷରେ ୩୭୬.୨୫କୋଟି ଟଙ୍କା ମନରେଗାରେ ଖର୍ଚ୍ଚ ହୋଇଥିଲା । ଆଉ ୨୦୨୧-୨୨ ବର୍ଷରେ ୩୫୪କୋଟି ଟଙ୍କାର ଅନୁଦାନ ଆସି ଖର୍ଚ୍ଚ ହୋଇଥିଲା ।
ଚଳିତ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମାସରେ ୭କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ଜିଲ୍ଲାରେ ମୋଟ ୭ ଲକ୍ଷ ୫୮ ହଜାର ୪୩୫ ଜଣ ଶ୍ରମିକ ମନରେଗା ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି । ୨୦୩୧୭୨ ପରିବାର ଜବ୍କାର୍ଡ ପାଇଛନ୍ତି । ବର୍ଷକୁ ପ୍ରାୟ ୨୫ ହଜାର ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଉଥିବା ଏବଂ ୫ ହଜାର ପରିବାରକୁ ୨୦୦ ଦିନରୁ ଅଧିକ କାମ ଦିଆଯାଉଥିବା ବିଭାଗୀୟ ତଥ୍ୟ କହୁଛି । ହେଲେ ବାସ୍ତବତା ପରଖିଲେ ମନରେଗାରେ ଦୁର୍ନୀତି କରିବାକୁ ଅନେକ ଗଳାବାଟ କରାଯାଇଛି । ଆଉ ସେହି ଗଳାବାଟ ଦେଇ ଗାଁ ଗାଁରେ କରାଯାଉଛି ମନମାନି । ଠିକାଦାର ପୋଷଣ ନୀତିରେ ବଲାଙ୍ଗୀର ଜିଲ୍ଲାରେ ହେଉଛି ମନରେଗା କାମ । ଗତ ତିନି ବର୍ଷରେ ଅନେକ ମନରେଗା ଦୁର୍ନୀତି ସାମ୍ନାକୁ ଆସିସାରିଛି । କେଉଁଠି ସରପଞ୍ଚଙ୍କ ସ୍ୱାମୀ ଲାଞ୍ଚ ନେଉଥିଲେ ତ ଆଉ କେଉଁଠି ସରପଞ୍ଚମାନେ ବହୁ ଟ୍ରାକ୍ଟର ଓ ମାଟିଖୋଳା ଜେସିବି ମେସିନର ମାଲିକ । ଅନେକ ସ୍ଥାନରେ ଜନପ୍ରତିନିଧି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମିଳିଭଗତରେ ହୋଇଛି ମହାଦୁର୍ନୀତି । ଏହା ସହ କିଛି ଘଟଣାରେ ପ୍ରଶାସନ ତଦନ୍ତ କରିବାକୁ ବାଧ୍ୟ ହୋଇଛି । ତଦନ୍ତ ହେବାପରେ କାର୍ଯ୍ୟାନୁଷ୍ଠାନ ବି ହୋଇଛି । ହେଲେ, ତଳିଆ ବଳି ପଡ଼ିଛନ୍ତି । କିନ୍ତୁ ଖସିଯାଇଛନ୍ତି ବଡ଼ବଡ଼ିଆ । ଏବେବି ଜିଲ୍ଲାର ଅନେକ ତଦନ୍ତ ଫାଇଲ ପ୍ରାଶାସନିକ ବଡ଼ବଡ଼ିଆ ଅଧିକାରୀ ଚାପି ରଖିଛନ୍ତି । ବିଗତ ବର୍ଷର ସବୁ କାମର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଶହ ଶହ କୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ।
ମନରେଗା ଦୁର୍ନୀତି ପ୍ରତିବାଦରେ ଶ୍ରମିକମାନେ ରଫା, ଗଇଁତି, କୁରାଢ଼ି, ଭାର ଧରି ଆସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମନରେଗାରେ କାମ ଦେବାକୁ ଦାବି କରିବା ସହ ଗାଁରେ ହେଉଥିବା ଦୁର୍ନୀତି ନେଇ ଗଣମାଧ୍ୟମକୁ ସବୁ କଥା ଜଣାଇଥିଲେ । ଶ୍ରମିକଙ୍କ କହିବାନୁସାରେ, ସୁଲେକେଲା ପଞ୍ଚାୟତରେ କାମ ସବୁ ଶ୍ରମିକମାନେ କରିନାହାନ୍ତି । ଠିକାଦାର ଧରି ଗାଁସାଥୀ ଓ ପଞ୍ଚାୟତ ଅଧିକାରୀ ସବୁ କାମ କରାଇ ଦେଉଛନ୍ତି । ଆଉ ଯେଉଁ ଶ୍ରମିକ ଘରେ ଅଛନ୍ତି, କିଛି ଜବ୍କାର୍ଡ ହାତେଇ ସେମାନଙ୍କ ଆକାଉଣ୍ଟରେ ଟଙ୍କା ପକାଇ ସବୁ ହଡ଼ପ କରାଯାଉଛି । ଯାହାର ଜବ୍କାର୍ଡରେ କାମ ଦର୍ଶାଯାଉଛି ଓ ଆକାଉଣ୍ଟରେ ଟଙ୍କା ପକାଯାଉଛି, ସେମାନଙ୍କୁ ବି କିଛି କିଛି ଟଙ୍କା ଦେଉଥିବାରୁ ସେମାନେ ସବୁ ମୁହଁ ଖୋଲୁ ନାହାନ୍ତି । କିନ୍ତୁ ପଂଚାୟତରେ ପ୍ରକୃତ ଶ୍ରମିକ କାମ ମାଗିଲେ ମଧ୍ୟ ସେମାନଙ୍କୁ କାମ ଦିଆଯାଉନି ବୋଲି ଅଭିଯୋଗ କରିଛନ୍ତି । ଏଣୁ ପଞ୍ଚାୟତରେ ପାଖାପାଖି ଦୁଇଶହ ଶ୍ରମିକ ଆସି ଆଜି କହିଥିଲେ, ‘ମନରେଗାରେ କାମ କରିବା ଆଶାରେ ଆମେ ଦାଦନ ଯାଇନୁ । ଏଣୁ ଆମକୁ କାମ ଯୋଗାଇ ଦିଅ।’ ଏହା କେବଳ ଗୋଟିଏ ପଞ୍ଚାୟତର କଥା ନୁହଁ, ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ଏ ଅବସ୍ଥା । ଫଳରେ ଦାଦନ ସମସ୍ୟାର ଅନ୍ତ ଘଟିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି ।
