ଅବହେଳିତ ଅବସ୍ଥାରେ ଗାନ୍ଧୀନଗରର ଗାନ୍ଧୀମନ୍ଦିର, ପୁନରୁଦ୍ଧାର ପାଇଁ ଦାବି

ପାଳଲହଡ଼ା : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରେ ଦେଶରେ ଆଜାଦୀକା ଅମୃତ ମହୋତ୍ସବ ପାଳିତ ହେଉଛି । ଦେଶପାଇଁ ସ୍ବାଧୀନତା ଆଣିଥିବା ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଅନ୍ୟ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ମାତ୍ର ପାଳଲହଡା ଟାଉନରୁ ମାତ୍ର ୫ କି.ମି. ଦୂରରେ ୧୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ନିର୍ମିତ ଗାନ୍ଧୀ ମନ୍ଦିର ବହୁ ଅବହେଳିତ ହୋଇପଡ଼ିଛି । ରାଜପଥରେ ପ୍ରଶାସନିକ ଅଧିକାରୀ, ରାଜନେତା ଯା’ଆସ କରୁଥିଲେ ବି ଗାନ୍ଧୀ ମନ୍ଦିରର ଉନ୍ନତି ପାଇଁ କେହି ଦୃଷ୍ଟି ଦେଉନାହାନ୍ତି ।

ସୂଚନାଯୋଗ୍ୟ, ୧୯୬୪ ମସିହାରେ ତତ୍‌କାଳୀନ ଶିକ୍ଷାମନ୍ତ୍ରୀ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପବିତ୍ର ପ୍ରଧାନ ଏହିଠାରେ ଗାନ୍ଧୀ ମନ୍ଦିର ନିର୍ମାଣ ସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ପୂର୍ବରୁ ଏହି ଗାଁର ନାମ ଥିଲା ପେଣ୍ତରାବସା । ଏହାକୁ ବଦଳାଇ ସେ ଗାନ୍ଧୀନଗର ନାମ ଦେଇଥିଲେ । ସମୟକ୍ରମେ ଗାନ୍ଧୀ ମନ୍ଦିରର ଅବସ୍ଥା ଶୋଚନୀୟ ହୋଇଗଲା । ଘର ଭାଙ୍ଗିଗଲା । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି କୁଆଡ଼େ ଗଲା, ପତ୍ତା ମିଳିଲା ନାହ‌ିଁ । ନ୍ୟୁଜ୍‌ରେ ବାରମ୍ବାର ଏହି ଖବର ପ୍ରକାଶ ପରେ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଢେଙ୍କାନାଳ ସାଂସଦ ମହେଶ ସାହୁ ବିଧାୟକ ପାଣ୍ଠିରୁ ୨୦୧୬ ଜାନୁଆରି ୩୦ ତାରିଖରେ ଏଠାରେ ନୂଆ ଗାନ୍ଧୀ ମନ୍ଦିର ନିର୍ମାଣ କରି ପ୍ରତିମୂର୍ତ୍ତି ସ୍ଥାପନ କଲେ । ଏବେ କିନ୍ତୁ ସେଠାରେ ଲେଖାହୋଇଥିବା ‘ଗାନ୍ଧୀନଗର’ ଲିଭି ଗଲାଣି । ମନ୍ଦିରକୁ ଥିବା ପାହାଚ ଭାଙ୍ଗିଗଲାଣି । ବର୍ଷ ବର୍ଷ ଧରି ମନ୍ଦିର‌ରେ ରଙ୍ଗ ଲାଗିନାହିଁ । ପାଖରେ ଥିବା ଭଙ୍ଗା ମନ୍ଦିରର ଖୁମ୍ବ ମୁକସାକ୍ଷୀ ଭଳି ଠିଆ ହୋଇଛି । ଗାନ୍ଧୀ ମନ୍ଦିରକୁ ଭଲ ରାସ୍ତା ତିଆରି ହୋଇପାରିନାହିଁ । ଗାନ୍ଧୀ ମନ୍ଦିର ସମ୍ମୁଖରେ ଏକ ବେସରକାରୀ ସଂସ୍ଥା ପାଇପ୍‌ ଲାଇନ୍‌ ବିଛାଉଥିବାବେଳେ ରାସ୍ତା ଖାଲଖମାରେ ପୂରିଯାଇଛି । ମନ୍ଦିର ଆଗରେ ଛିଡ଼ା ହୋଇଛି ମେସିନ । ଗାନ୍ଧୀ ମନ୍ଦିରର ଏଭଳି ଅବସ୍ଥା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ମନ୍ଦିରର ପୁନରୁଦ୍ଧାର କରାଯିବାକୁ ସଚେତନ ନାଗରିକମାନେ ସରକାରଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *