ଜଳେଶ୍ବର : ଜଳେଶ୍ବର ବ୍ଲକ ଆରୁହା ଗାଁର ବିପିନ ସିଂ । ବିପିନଙ୍କ ବୟସ ୬୫ ଟପିଲାଣି । ଜମିବାଡ଼ି କିଛି ନଥିବା ବେଳେ ମୂଲ ଲାଗିଲେ ୬ ଜଣିଆ ପରିବାରର ଚଳେ । ଦାରିଦ୍ର୍ୟ କାରଣରୁ ଏହି ପରିବାର ଆଜିଯାଏ ଘରକୁ ବିଦ୍ୟୁତ୍ ସଂଯୋଗ ନେଇ ପାରିନାହାନ୍ତି । ରାତି ହେଲେ ଡିବିରି ଓ ଲଣ୍ଠନ ହିଁ ସେମାନଙ୍କ ସାହାରା । ସେଥିପାଇଁ ପ୍ରତିମାସରେ ସରକାର ଯୋଗାଉଥିବା ୧.୩୦୦ ଲିଟର କିରାସିନି ସେମାନଙ୍କୁ କେବେ ମିଳିବ ଚାତକ ପରି ଚାହିଁ ରହିଥାନ୍ତି । ମାତ୍ର କିଛି ଦିନ ଧରି କିରାସିନିର ଦର ଆକାଶଛୁଆଁ ହେବା ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି । ସେମାନଙ୍କ କାର୍ଡରେ କିରାସିନି ମାସକୁ ମାସ ଆସୁଥିଲେ ମଧ୍ୟ ଅତ୍ୟଧିକ ଦରବୃଦ୍ଧି ଯୋଗୁ ରିଟେଲରଙ୍କଠାରୁ କିରାସିନି କିଣିବା କଷ୍ଟକର ହେଉଛି । କେବଳ ବିପିନ ନୁହନ୍ତି ଆରୁହା ଆଦିବାସୀ ସାହିରେ ଅନେକ ପରିବାରର ସମାନ ଅବସ୍ଥା ।
ପ୍ରକାଶଯୋଗ୍ୟ ଯେ, ଗତ କିଛି ମାସ ଧରି ପେଟ୍ରୋଲିୟମ ଜାତୀୟ ସାମଗ୍ରୀ ବିଶେଷ କରି କିରାସିନିର ଦର ଆକାଶଛୁଆଁ ହୋଇଛି । ଗତ ୨୦୨୦ ମସିହାରେ କିରାସିନି ଲିଟର ପିଛା ୫ ଟଙ୍କା ଥିବା ବେଳେ ଚଳିତ ୨୦୨୨ ମସିହା ଜାନୁଆରି ମାସରେ ଏହି ଦର ୫୦ ଟଙ୍କାରେ ପହଞ୍ଚିଥିଲା । ସେହିପରି ଗତ ମାର୍ଚ୍ଚରେ କିରାସିନି ଲିଟର ପିଛା ୬୫ ଟଙ୍କା ରହିଥିବା ବେଳେ ଏପ୍ରିଲରୁ ୭୮ ଟଙ୍କାରେ ପହଞ୍ଚିବ ବୋଲି ଯୋଗାଣ ବିଭାଗ ତରଫରୁ କୁହାଯାଇଛି । ଏଭଳି ହେଲେ ଗରିବଗୁରୁବାଙ୍କ ଘର ରାତିରେ ଆଲୋକିତ ହେବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିବ ।
ଜଳେଶ୍ବର ବ୍ଲକରେ ୪୫୬୯୬ ଜଣ ଓ ମ୍ୟୁନିସିପାଲଟିରେ ୫୨୯୮ ଜଣ କାର୍ଡଧାରୀ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଦରବୃଦ୍ଧି ଯୋଗୁ କିରାସିନି ନେବାକୁ ଅମଙ୍ଗ ହେଉଛନ୍ତି । ଫଳରେ ରିଟେଲରମାନେ ମଧ୍ୟ ଡିପୋରୁ କିରାସିନି ଉଠାଇବାକୁ କୁନ୍ଥକୁନ୍ଥ ହେଉଥିବା ଦେଖାଯାଇଛି ।
