ଭୁବନେଶ୍ୱର : ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା । ରାଜ୍ୟ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଧନୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୧ ଡିସେମ୍ବର ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୬୪. ୮୭ କୋଟି ଟଙ୍କା ରହିଛି । ମୁଖ୍ୟମନ୍ତ୍ରୀ ଫରିଦାବାଦରେ ଥିବା ତାଙ୍କ ଫାର୍ମ ହାଉସକୁ ବିକ୍ରି କରିଥିବା ନିଜେ ସମ୍ପତ୍ତି ତାଲିକାରେ ଉଲ୍ଲେଖ କରିଛନ୍ତି ।
ଏହି ଫାର୍ମ ହାଉସ ବିକିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୯ କୋଟିର ଆରବିଆଇ ବଣ୍ଡ, କୋଟିଏ ଟଙ୍କାର ପୋଷ୍ଟାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ ରଖିଥିବା ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବା ସୁନାର ପରିମାଣ ୩.୪୫ ଲକ୍ଷ ଟଙ୍କା, ସେହିପରି ତାଙ୍କର ପୁରୁଣା ଆମ୍ବାସଡରର ଦାମ୍ ୬, ୪୩୪ ଟଙ୍କା ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଜନପଥରେ ଥିବା ଏକ ବ୍ୟାଙ୍କ ଆକାଉଣ୍ଟରେ ୭୨ ଲକ୍ଷ ଟଙ୍କାର ଜମା ପୁଞ୍ଜି ରହିଥିବା ବେଳେ ଭୁବନେଶ୍ବର ଷ୍ଟେଟ ବ୍ୟାଙ୍କରେ ୨୧.୭୧ ଲକ୍ଷ ଟଙ୍କା ଅଛି ।
ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ପରିମାଣ ୨୦୧୫ ମସିହାରେ ମୋଟ ୪୮ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୬୩ କୋଟି ୮୭ ଲକ୍ଷ ରହିଥିଲା । ଏବେ ପ୍ରକାଶ ପାଇଥିବା ତାଲିକାରେ ୬୪. ୮୭ କୋଟି ଟଙ୍କା ସହ ମୁଖ୍ୟମନ୍ତ୍ରୀ ତାଲିକାରେ ଶୀର୍ଷରେ ରହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା ମଧ୍ୟ ସାର୍ବଜନୀନ କରାଯାଇଛି ।
