ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅଧୀନ ଚେରମାରିଆ-କେନ୍ଦୁପଦର ଗ୍ରାମକୁ ଋଷିକୁଲ୍ୟା ନଦୀ ଉପରେ ସଂଯୋଗ କରିବା ଓ ଯାତାୟାତ ସୁଗମ ପାଇଁ ହାଇଲେବଲ୍ ସେତୁର କାମ ୫ ବର୍ଷ ହେଲା ଶେଷ ହୋଇପାରୁନି । ଫଳରେ ଆଜି ବି ଦୁଇ ଗାଁର ଲୋକେ ବର୍ଷା ଦିନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଋଷିକୁଲ୍ୟା ଉପରେ ଏହି ବ୍ରିଜ୍ ନିର୍ମାଣ ପାଇଁ ୨୦୧୭ ମସିହା ମେ’ ମାସ ୭ ତାରିଖରେ ତତ୍କାଳୀନ ସାଂସଦ ସ୍ବର୍ଗତ ଲଡ଼ୁକିଶୋର ସ୍ଵାଇଁଙ୍କ ପୌରୋହିତ୍ୟରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ୧୯ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ସହ ୩୨୧ ମିଟର ଲମ୍ବ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା । ପରେ ଅଧିକ ୫ କୋଟି ଟଙ୍କା ବ୍ୟୟ ଅଟକଳ ସରକାରଙ୍କ ମଞ୍ଜୁର ପାଇଁ ପଠାଯାଇଛି ।
