ସୁନ୍ଦରଗଡ଼ : ସେଦିନ ଚାଳଛପରର ମାଟିକୁଡ଼ିଆର ଚାଖଣ୍ଡେ ପିଣ୍ଡାରେ ବସି ଟୋଲର ଚୋପା ଛଡ଼ାଉଥିଲେ ପ୍ରେମଶିଳା । ମାଟିକାନ୍ଥରେ ଝଟକୁଥିଲା ଗ୍ରାମ୍ୟକଳାର ନିଦର୍ଶନ, ତାଙ୍କ ହାତଅଙ୍କା ରେଖାଚିତ୍ର । କହୁଥିଲେ, ଟୋଲମଞ୍ଜିକୁ ଶୁଖାଇ ପାରମ୍ପରିକ ତେଲଘଣା(ପେଡ଼ିବା କାଠଚକି)ରେ ପେଡ଼ି ତେଲ ବାହାର କରିବେ । କେବଳ ଟୋଲ ନୁହେଁ, ଦ୍ବାର ମୁହଁରେ କିଛି ଶାଳମଞ୍ଜି ବି ଶୁଖୁଥିଲା । ଏହି ମହୁଲ, ଟୋଲ, ଶାଳ ହିଁ ଯୁଗ ଯୁଗ ଧରି ସେମାନଙ୍କୁ ଜୀବନ ଓ ଜୀବିକା ଦେଇ ଆସୁଥିବା କହୁଥିଲେ ପ୍ରେମଶିଳା ସେଦିନ । ଆଜି ସେ ମାଟି କୁଡ଼ିଆ ନାହିଁ, ଘରଅଗଣାରେ କାହିଁ କେଉଁ କାଳରୁ ପିଢ଼ି ପିଢ଼ିର ସରଳଜୀବନକୁ ହାତଧରି ବାଟକଢ଼ାଇ ନେଉଥିବା ବିଶାଳ ମହୁଲ, ଶାଳଗଛର କୌଣସି ଚିହ୍ନବର୍ଣ୍ଣ ନାହିଁ । ପ୍ରେମଶିଳାଙ୍କ ଭିଟାମାଟି ଓ ତା’ରି ଉପରେ ଠିଆ ବାପଅଜା ଅମଳର କୁଡ଼ିଆ ସହ ସବୁକିଛି ମାଟିରେ ମିଶିଯାଇଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଏନ୍ଟିପିସି କୋଇଲା ଖଣି ପ୍ରକଳ୍ପର ଗାଁ ଡୁଲିଙ୍ଗାର ଶେଷମୁଣ୍ଡରେ ଥିଲା ପ୍ରେମଶିଳାଙ୍କ କୁଡ଼ିଆ । ଯାହା ଏବେ ବିକାଶର ଖଣିରେ ଲୀନ ହୋଇଯାଇଛି ।

କେବଳ ଏକା ପ୍ରେମଶିଳାଙ୍କ କୁଡ଼ିଆ ନୁହେଁ; ଡୁଲିଙ୍ଗାର ପ୍ରାୟ ୨ ଶହ ପରିବାରର ପିତୃପୁରୁଷ ବନାଇଥିବା ଘର, ବାରି, ମାଟି ଉପରେ ଛାଡ଼ି ଯାଇଥିବା ସେମାନଙ୍କ ଯୁଗଯୁଗର ପଦଚିହ୍ନ, କୂଅ, ଚଉଁରା ସହ ଗାଁ ଦେବୀପୀଠ, ମନ୍ଦିର, ମଣ୍ଡପ, ଖଡ଼ିଛୁଆଁ ପାଠର ବିଦ୍ୟାଳୟ, ଅଙ୍ଗନବାଡ଼ି ସବୁ ନିଶ୍ଚିହ୍ନ । ଏକଦା ମିଠା କୋଳାହଳରେ ଫାଟି ପଡ଼ୁଥିବା ଗାଁ ଲଭିଛି ଅକାଳମୃତ୍ୟୁ । ଆଉ ଏବେ ଗାଁ ଛାତିକୁ ବିଦାରି ମହଣ ମହଣ କଳା କୋଇଲା ଓଟାରି ନିଆଯାଉଛି । ଯେଉଁଠି ଜୀବନର ମିଠା କଳରବ ଶୁଭୁଥିଲା, ଏବେ ସେଠି ମାଳ ମାଳ ଟ୍ରକ୍, ଜେସିବିର ଘର୍ଘରନାଦ ।
ଲୋକଙ୍କ କହିବା ଅନୁସାରେ, ରାଜାରାଜୁଡ଼ା ଅମଳରେ ୧୮୫୦ ବେଳକୁ ଗିରିପାହାଡ଼ ତଳେ ଗୌନ୍ତିଆ ପୂର୍ଣ୍ଣାନନ୍ଦ ପଧାନଙ୍କ ପୂର୍ବଜ ଏଠାରେ ଖୁଟ୍ କାଟି ଗାଁ ବସାଇଥିଲେ । ଗାଁ ଚାରିଆଡ଼େ ପାହାଡ଼, ଜଙ୍ଗଲ, ଝରଣା । ଗିରି ପାହାଡ଼କୁ ଲାଗି ଶିଶୋପାହାଡ଼, ସାତପରଲିଆ ପାହାଡ଼, ପରରିଖୋଲ ପାହାଡ଼, କୁସୁମଗିରି ପାହାଡ଼ । ଜଙ୍ଗଲି ଫଳମୂଳ ସହ ଝରଣା ପାଣିରେ ଗାଁର ଜୀବନ ପଲ୍ଲବିତ ହୋଇଥିଲା । ଲୋକେ ଜଙ୍ଗଲ କାଟି ତିଆରି କରିଥିଲେ ଚାଷଜମି । ଜଙ୍ଗଲ ଓ ଜମିରେ ଡୁଲିଙ୍ଗାର ଜୀବନଧାରା ଆଗକୁ ବଢ଼ିଥିଲା । ଯାନିଯାତ୍ରା, ନୃତ୍ୟଗୀତର ମହକରେ ପୂରି ଉଠୁଥିଲା ଗାଁ । କିନ୍ତୁ ଛଳଛଳ ଜୀବନକୁ ଧରି ରଖିଥିବା ମାଟିତଳେ ଯେ କଳାମୃତ୍ୟୁଟେ ଆଁ କରି ଛକି ରହିଛି, ଯିଏ ଏକାଥରକେ ପୂରା ଗାଁକୁ ଗିଳି ପକାଇବ ସେ କଥା ଗାଁର କେହି ଜାଣି ନଥିଲେ । ୨୦୦୬ରେ ସରକାରୀ ବାବୁମାନେ ଆସି କହିଲେ ଏଠି କୋଇଲା ଅଛି । ତମେ ସବୁ ଗାଁ ଛାଡ଼ିବାକୁ ପଡ଼ିବ । ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ବିରୋଧ ହୋଇଥିଲା ।
ହେଲେ ବିକାଶର ଦ୍ବାହି ଓ ଭଲଘର, ଚାକିରି, କ୍ଷତିପୂରଣର ଲୋଭ ଦେଖାଇ ଲୋକଙ୍କୁ ବୁଝାଇ ଦେଇଥିଲା ପ୍ରଶାସନ । ପ୍ରାଥମିକ ଭାବେ ଜାତୀୟ ତାପଜ ବିଦ୍ୟୁତ୍ ନିଗମ(ଏନ୍ଟିପିସି)ର ୮ ଶହ ମେଗାୱାଟ୍ ବିଶିଷ୍ଟ ଦର୍ଲିପାଲି ପ୍ରକଳ୍ପକୁ ଇନ୍ଧନ ଯୋଗାଇବା ପାଇଁ କୋଇଲା ମନ୍ତ୍ରାଳୟ ଦ୍ବାରା ୨୦୦୬ ଜାନୁଆରି ୨୫ରେ ଡୁଲିଙ୍ଗା କ୍ଷେତ୍ରର କୋଲ୍ ବ୍ଲକ୍ ଆବଣ୍ଟିତ କରାଯାଇଥିଲା । କିନ୍ତୁ, ପରେ କୋଲ୍ ବ୍ଲକ୍ ଆବଣ୍ଟନରେ ଅନିୟମିତତା ହୋଇଥିବା କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୪ ସେପ୍ଟେମ୍ବର ୨୪ରେ ତାକୁ ଖାରଜ କରି ଦେଇଥିଲେ । ପରବର୍ତ୍ତୀ ସମୟରେ ୨୦୧୫ ମାର୍ଚ୍ଚ ୩୦ ତାରିଖରେ ଏନ୍ଟିପିସିକୁ ପୁଣି ଡୁଲିଙ୍ଗା କୋଲ୍ ବ୍ଲକ୍ ମିଳିଥିଲା । ୧୫୨ ମିଲିୟନ ଟନ୍ ଗଚ୍ଛିତ କୋଇଲା ଖନନ, ଉତ୍ତୋଳନ ଓ ପରିବହନ ପାଇଁ ୨୪ ବର୍ଷ ସମୟ ନେଇଥିବା ଏନ୍ଟିପିସିର ଏହି ପ୍ରକଳ୍ପରେ ୪ଟି ଗାଁ ବେଲଡିହି, ଡୁଲିଙ୍ଗା, ମଝାପଡ଼ା ଓ ଖପରିକଛାରର ୫୦୮ ପରିବାର ବିସ୍ଥାପିତ ଓ ପ୍ରଭାବିତ ହୋଇଛନ୍ତି । ଏହା ମଧ୍ୟରେ କୋଇଲା ଖଣିର ଆଁରେ ମଝାପଡ଼ା ଓ ଡୁଲିଙ୍ଗା ଗାଁ ଲୀନ ହୋଇଯାଇଛି । ଆଗକୁ ବେଲଡିହି ଓ ଖପରିକଛାରର ପାଳି । ବିକାଶର କୋଇଲା ଖଣିରେ ହେମଗିର ବ୍ଲକ୍ର ଏମିତି ୧୨୫ ଗାଁ ନିଶ୍ଚିହ୍ନ ହୋଇଯିବ । ଭୂଗୋଳପୋଥିରୁ ଲିଭିଯିବ ଶହ ଶହ ବର୍ଷର ସରଳ ଜୀବନକାହାଣୀ, ସୁନ୍ଦର ଇତିହାସକୁ ଛାତିରେ ସାଇତି କାହିଁ କେତେବାଟ ଚାଲି ଆସିଥିବା ଗାଁଗୁଡ଼ିକର ନାଁ ।
