ହାତୀ ଘଉଡ଼ାଇବା ହେଲା କାଳ, ଆକ୍ରମଣରେ ଯୁବକ ମୃତ

ଵଣାଇ : ବଣାଇ ବନଖଣ୍ଡ କୁଳିପୋଷ ରେଞ୍ଜ ଅନ୍ତର୍ଗତ ଉପରଗିନିଆ ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ଫୁଲଝର ପଞ୍ଚାୟତ ତଳଗିନିଆ ଗ୍ରାମର ହେମନ୍ତ ମୁଣ୍ଡାରୀ, ବୟସ(୩୦) ହୋଇଥିବା ବେଳେ ହାତୀ ଘଉଡ଼ାଇବା ତାଙ୍କ ପାଇଁ କାଳ ସାଜିଛି । ଗତକାଲି ପୂର୍ବାହ୍ନରେ ଗାଁ ନିକଟକୁ ପଶି ଆସିଥିବା ହାତୀମାନଙ୍କୁ ଘଉଡ଼ାଇବା ସମୟରେ ବନବିଭାଗ ଦ୍ବାରା ନିୟୋଜିତ ଥିବା ହାତୀ ସ୍କ୍ୱାର୍ଡଙ୍କ କଥାକୁ ଅମାନ୍ୟ କରି ବାହାଦୁରି ଦେଖାଇ ହାତୀ ସାମ୍ନାକୁ ଚାଲିଯିବାରୁ ଘଟିଛି ଅଘଟଣ ।

ହାତୀଟି ହେମନ୍ତକୁ ଶୁଣ୍ଢରେ ଟେକି ନେଇ ପାଦରେ ଦଳି ଚକଟି ଦେଇଥିଲା, ଫଳରେ ଘଟଣା ସ୍ଥଳରେ ହିଁ ତାର ପ୍ରାଣବାୟୁ ଉଡି ଯାଇଥିଲା । ଖବରପାଇ କୁଳିପୋଷ ରେଞ୍ଜ ଅଧିକାରୀ ମୁକ୍ତିକାନ୍ତ ପରିଡ଼ା, ଫରେଷ୍ଟର ଡେରୁଳା ନନ୍ଦ ଗଡ଼ନାୟକଙ୍କ ସମେତ ଅନ୍ୟାନ୍ୟ ବନ କର୍ମଚାରୀ ଓ ମହୁଲପଦା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଵଣାଇ ସରକାରୀ ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡ଼ିଛି  ।

Leave a Reply

Your email address will not be published. Required fields are marked *