ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ, ଅଗଷ୍ଟ ୫ ପରେ ପୁଣି ବର୍ଷା

ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ । ଆସନ୍ତା ୪ ଦିନ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଏବେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧.୧ ମିମି ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି । ଯାହା ସ୍ୱାଭାବିକ ବର୍ଷା ୧୪ ମିମି ତୁଳନାରେ ୯୨% କମ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ମୌସୁମୀ ଜନିତ ଲଘୁଚାପ ଏହାର ସ୍ୱାଭାବିକ ଅବସ୍ଥିତି ଠାରୁ ଉତ୍ତରରେ ରହୁଥିବାରୁ ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ ରହିଛି । ଯାହାର ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ, ଜଳୀୟବାଷ୍ପ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କେତକ ଅଞ୍ଚଳରେ କାଁ ଭାଁ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ଦେଓଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି ।

ଅପରପକ୍ଷେ, ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା ହେବ । ୫ ତାରିଖ ପରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ବଢିବ । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାର ପ୍ରଭାବରେ ବର୍ଷା ବଢିବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

ତେବେ ଗୁରୁବାର ସକାଳ ୮ଟା ୩୦ ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ କେନ୍ଦୁଝରରେ ୫୬ ମିଲିମିଟର ବର୍ଷା ହୋଇଥିବା ବେଳେ ବଲାଙ୍ଗୀରେ ୯ ମିଲିମିଟର, ସୋନପୁର ଓ ଦାରିଙ୍ଗବାଡିରେ ୨ ମିଲିମିଟର ଲେଖାଏଁ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Leave a Reply

Your email address will not be published. Required fields are marked *