ଜାଲ୍‌ ଚେକ୍‌ରେ ବ୍ୟାଙ୍କ୍‌ରୁ ଉଠାଇ ନେଲେ ୪୬ ଲକ୍ଷ ଟଙ୍କା

ଜଗତସିଂହପୁର : ଅବିକଳ ଅସଲି ଚେକ୍‌ର ଲୋଗୋ, ଆକାଉଣ୍ଟଧାରୀଙ୍କ ଦସ୍ତଖତ ପୂରା ସମାନ । ବ୍ୟାଙ୍କ୍‌ ଅଧିକାରୀ ବି ଧୋକା ଖାଇ ଯାଇଛନ୍ତି । ଜଗତସିଂହପୁର ବ୍ୟାଙ୍କ ଅଫ୍ ବରୋଦାରେ ଏପରି ଜାଲ୍‌ ଚେକ୍‌ ବଳରେ ଠକ ୪୬ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ଆଜି ଥାନାରେ ଏତଲା ଦେବାପରେ ପୁଲିସ୍‌ ଘଟଣାର ତନାଘନା ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ଚେକ୍‌କୁ କ୍ଲୋନିଂ କରାଯାଇଥିବା ପୁଲିସ ଅନୁମାନ କରୁଛି । ଏହା ପଛରେ ସାଇବର ଅପରାଧୀଙ୍କ ଏକ ବଡ଼ ରୢାକେଟ୍‌ ଓ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା ପୁଲିସ୍‌ ସନ୍ଦେହ କରୁଛି ।

ସୂଚନା ଅନୁସାରେ, ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକଙ୍କର ଜଗତସିଂହପୁର ବ୍ୟାଙ୍କ ଅଫ୍ ବରୋଦାରେ ଆକାଉଣ୍ଟ ରହିଛି । ଗତ ୧୭ ତାରିଖରେ ଜଣେ ବ୍ୟକ୍ତି ସହକାରୀ ନିର୍ଦ୍ଦେଶକ(ହ୍ୟାଣ୍ଡିକ୍ରାଫ୍ଟ)ଙ୍କ ଆକାଉଣ୍ଟର ଏକ ଚେକ୍ ଆଣିଦେଲେ । ଯାହାର ନମ୍ବର ଥିଲା ୧୧୯ । ଏହି ଚେକ୍‌ରେ ୪୬ ଲକ୍ଷ ୧୨ ହଜାର ୯୦୦ ଟଙ୍କା ଉଲ୍ଲେଖ କରାଯାଇଥିଲା । ଏହି ଟଙ୍କାକୁ ରୁମା ଟେଲିକମର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଆକାଉଣ୍ଟ(୨୩୧୫୦୨୦୦୦୦୦୦୩୪୦)କୁ ଆର୍‌ଟିଜିଏସ୍ ଜରିଆରେ ଟ୍ରାନ୍ସଫର୍‌ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଉଲ୍ଲେଖ କରିଥିଲେ । ଏହା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେହି ଚେକ୍‌କୁ ଅଲଟ୍ରା ଭାଓଲେଟ୍ ମେସିନ୍‌ରେ ଯାଞ୍ଚ କରାଇଥିଲେ । ତାହା ସମ୍ପୂର୍ଣ୍ଣ ଠିକ୍ ଥିବାରୁ ଚେକ୍ ଜରିଆରେ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ‌ବୋଲି ବ୍ୟାଙ୍କ୍‌ ଅଧିକାରୀ କହିଛନ୍ତି । ଗତକାଲି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ସନ୍ଦେହ ହେବାରୁ ସେ ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ, ସେ କୌଣସି ଚେକ୍ ଦେଇ ନଥିବା କହିଥିଲେ । ଯାଞ୍ଚ ପରେ ଏହା ଠକଙ୍କ କାମ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ।

ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି, ରୁମା ଟେଲିକମ୍‌ରେ ଯେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଛି ତାହା ପଶ୍ଚିମବଙ୍ଗର ଉତ୍ତର ଚବିଶପ୍ରଗଣା ଅଞ୍ଚଳରେ ଅଛି । ସେହି ଆକାଉଣ୍ଟକୁ ଟଙ୍କା ଯିବାପରେ ତାହା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଏହା ପରେ ଅପରାଧୀମାନେ ଟଙ୍କା ଉଠାଇ ନେଇଛନ୍ତି ।

Leave a Reply

Your email address will not be published. Required fields are marked *