ଖୁଣ୍ଟ ଉପରେ ଢିରା ଦେଇ ଅଟକିଛି ଛାତ

ବୈପାରିଗୁଡା : ଖୁଣ୍ଟ ଉପରେ ଢିରା ଦେଇ ଅଟକିଛି ଛାତ । ଖୁଣ୍ଟକୁ ଘୁଞ୍ଚାଇ ନେଲେ ଭୁଷୁଡି ଯାଇପାରେ ଛାତ । ଏଭଳି ଏକ ବିପଦ ସଙ୍କୁଳ ଛାତ ତଳେ ବସି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କୋମଳମତି ଶିଶୁଙ୍କ ଜୀବନ ପ୍ରତି କାହାର ନିଘା ନାହିଁ । ବିଦ୍ୟାଳୟର ଦୟନୀୟ ଅବସ୍ଥା ଯେ ଶିକ୍ଷା ବିଭାଗର ଅପାରଗତା ପ୍ରତି ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଞ୍ଚାୟତର ପୁରୁଡାବେଡା ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ।

ଗ୍ରାମବାସୀ ତଥା ଅଭିଭାବକଙ୍କ କହିବା ଅନୁଯାୟୀ ଗତ ୨୦୧୨ ମସିହାରେ ଏହି ବିଦ୍ୟାଳୟ ଗୃହଟି ନିର୍ମାଣ କରାଯାଇଥିଲା । ଏଥିରେ ଦୁଇଟି ଶ୍ରେଣୀ ଗୃହ ମଧ୍ୟରୁ ଗୋଟିଏ ଅଫିସ ଗୃହ ରହିଛି । ପୁରୁଡାବେଡି ସମେତ ଆଖପାଖର ଗ୍ରାମର ୮୦ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ନାମ ଲେଖାଇ ପଢ଼ୁଛନ୍ତି । ତେବେ ବର୍ତ୍ତମାନ ବିଦ୍ୟାଳୟ ଗୃହର ଅବସ୍ଥା ଶୋଚନୀୟ । ଗୃହର ଛାତ ଦୁର୍ବଳ ହେବା ସହ ଧିରେଧିରେ ଦବି ଯିବାକୁ ବସିଲାଣି । ବର୍ଷାଦିନେ ଛାତରୁ ପାଣି ଗଳିବା ଫଳରେ ଦୁଇଟି ଯାକ ଶ୍ରେଣୀ ଗୃହରେ କୃର୍ତ୍ତିମ ବନ୍ୟା ସୃଷ୍ଟି ହୁଏ । ଛାତର ଦୁର୍ବଳ ଅବସ୍ଥାକୁ ଲକ୍ଷ କରି ଆଶୁ ବିପଦର ସମ୍ଭାବନାକୁ ଏଡାଇବା ପାଇଁ ଶାଳ ଗଣ୍ଡି ଢିରା ଦିଆଯାଇଛି । କୈାଣସି ମୁହୂର୍ତ୍ତରେ ଯଦି ଛାତ ଭୁଷୁଡି ପଡ଼େ, ତେବେ ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ବହୁମୂଲ୍ୟ ଜୀବନ ଅକାଳରେ ଚାଲିଯିବ ।

ଏ ସଂପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈପାରିଗୁଡା ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଆଜି ଗ୍ରାମବାସୀ ତଥା ଅଭିଭାବକ ବୈପାରିଗୁଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଛାତ ମରାମତି ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଏ ସଂପର୍କରେ ଏବିଇଓଙ୍କୁ ପଚାରିବାରୁ ବିଦ୍ୟାଳୟ ଗୃହ ମରାମତି ବର୍ତ୍ତମାନ ବ୍ଲକ ତଥା ପଞ୍ଚାୟତକୁ ପ୍ରଦାନ କରାଯାଇଛି । ତେଣୁ ଏସଂପର୍କରେ ବିଡ଼ିଓଙ୍କୁ ଅବଗତ କରାଯାଇଥିବା ପ୍ରକାଶ କରିଛନ୍ତି । ତେବେ କିଛି ଅଘଟଣ ଘଟିବା ପୂର୍ବରୁ ଛାତର ମରାମତି କିମ୍ବା ଏହାର ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ ବୋଲି ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *