ଓଡ଼ିଶାରେ ନକ୍ସଲ ହିଂସା ; ଦୁଇ ଦଶନ୍ଧିରେ ୨୩୧ ସହିଦ, ଗଲାଣି ୩୪୪ ନିରୀହ ଲୋକଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ନକ୍ସଲ ହିଂସା ଯୋଗୁଁ ଗତ ଦୁଇ ଦଶନ୍ଧିରେ ୨୩୧ ଜଣ ସୁରକ୍ଷାକର୍ମୀ ସହିଦ୍‌ ହୋଇଥିବାବେଳେ ୩୪୪ ଜଣ ନୀରିହ ନାଗରିକଙ୍କ ମୃତ୍ୟୁ ଘଟିଛି । ଗତ ୨୨ ବର୍ଷରେ ମୋଟ ୫୭୫ ଜଣଙ୍କ ଜୀବନ ଯାଇଛି । ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ଓ ସାଧାରଣ ଲୋକ ଆହତ ମଧ୍ୟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ନକ୍ସଲ ହିଂସା ଦିନକୁ ଦିନ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି । ଗୃହ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୦୦ ମସିହାରେ ନକ୍ସଲ ପ୍ରଭାବିତ ଜିଲା ମାତ୍ର ୫ଟି ଥିଲା । ପରବର୍ତ୍ତୀ ସମୟରେ ଏହା ଅନ୍ୟ ଜିଲାକୁ ବ୍ୟାପିଥିଲା । ଗୋଟିଏ ସମୟରେ ରାଜ୍ୟର ୩୦ ଜିଲାରୁ ୨୧ ଜିଲା ନକ୍ସଲ ପ୍ରଭାବରେ ପ୍ରଭାବିତ ହୋଇଥିଲା । ୨୦୦୦ ମସିହାରେ ନକ୍ସଲ ଆକ୍ରମଣରେ ୪ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ୨୦୦୧ ମସିହାରେ ଏଭଳି ଆକ୍ରମଣରେ ୮ଜଣ ସୁରକ୍ଷାକର୍ମୀ ସହିଦ ହାଇଥିବାବେଳେ ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ଧିରେ ଧିରେ ନକ୍ସଲଙ୍କ ପ୍ରଭାବ ବଢ଼ୁଥିବା ବେଳେ ୨୦୦୨ ମସିହାରେ ୭ ସୁରକ୍ଷାକର୍ମୀ ଓ ୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ୨୦୦୩ ମସିହାରେ ନକ୍ସଲ ଆକ୍ରମଣ ପ୍ରଭାବ ଅଧିକ ଥିଲା। ସେହିବର୍ଷ ନକ୍ସଲ ଆକ୍ରମଣରେ ୧୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୪ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲେ ।

ସେହିପରି ୨୦୦୪ ରୁ ୨୦୦୭ ମସିହା ମଧ୍ୟରେ ନକ୍ସଲ ଆକ୍ରମଣରେ ୧୨ ଜଣ ଯବାନ ଓ ୩୫ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ୨୦୦୮ରେ ରାଜ୍ୟରେ ନକ୍ସଲ ପ୍ରଭାବ ଚରମସୀମାରେ ପହଞ୍ଚିଥିଲା । ସେହି ବର୍ଷ ନକ୍ସଲ ଆକ୍ରମଣରେ ୭୪ ଯବାନ ସହିଦ ହୋଇଥିବାବେଳେ ୨୨ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ସେହିପରି ୨୦୦୯ରେ ନକ୍ସଲ ଆକମ୍ରଣରେ ୩୪ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ଓ ୨୬ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ୨୦୧୦ରେ ମଧ୍ୟ ଅନୁରୂପ ନକ୍ସଲ ଆକ୍ରମଣରେ ୨୨ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୫୧ ସାଧାରଣ ଲୋକ ମୃତ୍ୟୁବରଣ କରିଥିଲେ । ୨୦୧୧ ମସିହାରେ ସେଭଳି ଆକ୍ରମଣରେ ୧୫ ସୁରକ୍ଷାକର୍ମୀ ଓ ୩୨ ସାଧାରଣ ଲୋକଙ୍କ ଜୀବନ ଯାଇଥିବାବେଳେ ୨୦୧୨ରେ ୧୯ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ଓ ୨୫ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ୨୦୧୩ ଠାରୁ ନକ୍ସଲ ପ୍ରଭାବ ରାଜ୍ୟରେ ଯଦିଓ ହ୍ରାସ ପାଇଥିଲା, ତଥାପି ସୁରକ୍ଷାକର୍ମୀ ଓ ସାଧାରଣ ଜନତାଙ୍କ ଜୀବନ ପ୍ରଭାବିତ ହେଉଥିଲା । ୨୦୧୩ ମସିହାରେ ନକ୍ସଲ ଆକ୍ରମଣରେ ୭ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୨୨ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ୨୦୧୪ରେ ଯଦିଓ ନକ୍ସଲ ଆକ୍ରମଣରେ କେହି ସୁରକ୍ଷାକର୍ମୀ କ୍ଷତଗ୍ରସ୍ତ ହୋଇ ନଥିଲେ; କିନ୍ତୁ ୨୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ୨୦୧୫ରେ ୪ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ୨୬ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ୨୦୧୬ରେ ୩ ସୁରକ୍ଷାକର୍ମୀ ଓ ୨୩ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା । ୨୦୧୭ ମସିହାରେ ନକ୍ସଲ ଆକ୍ରମଣରେ ୯ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୧୭ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ୨୦୧୮ ଠାରୁ ରାଜ୍ୟରେ ନକ୍ସଲ ହିଂସା ହ୍ରାସ ପାଇଛି । ସେହି ବର୍ଷ ଠାରୁ ୨୦୨୧ ପର୍ଯ୍ୟନ୍ତ ନକ୍ସଲ ହିଂସାରେ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୩୧ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି । ରାଜ୍ୟରେ ନକ୍ସଲ ପ୍ରଭାବହୀନ ହେବାରେ ଲାଗିଛି। ଏବେ ୧୧ ଜିଲା ନକ୍ସଲ ପ୍ରଭାବରୁ ମୁକ୍ତ ହୋଇଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *