ସେବାୟତଙ୍କ ମାଡ଼ରେ ଲହୁଲୁହାଣ ହେଲେ ୨ ହବିଷ୍ୟାଳି

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିବା ୨ଜଣ ହବିଷ୍ୟାଳିଙ୍କୁ ଜଣେ ସେବାୟତ ମାଡ଼ ମାରିଛନ୍ତି । ସେଥିରେ ହବିଷ୍ୟାଳି ବୃଦ୍ଧାଙ୍କ ଗାଲ ଫୁଲି ଯିବା ସହ ଶରୀରରେ ଶକ୍ତ ଆଘାତ ଲାଗିଛି । ଏହା ସତ୍ତ୍ବେ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ମନ୍ଦିର ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସେବାୟତଙ୍କ ଠାରୁ ମାଡ଼ ଖାଇଥିବା ହବିଷ୍ୟାଳି ରାଜ୍ୟ ସରକାରଙ୍କ ଶିବିରରେ ରହୁଛନ୍ତି । ସେବାୟତ ମାଡ଼ ମାରିବା ସମୟରେ ପୁଲିସ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ସେଠାରେ ଉପସ୍ଥିତ ଥିଲେ । କେହି ଜଣେ ହେଲେ ଏଭଳି ଘଟଣାର ପ୍ରତିବାଦ କରିନଥିଲେ । ‘ତୁମେ ସବୁ ମାଗଣା ଖାଇବାକୁ ଏଠାକୁ ଚାଲି ଆସିଛ’ ବୋଲି କହି ଜଣେ ସେବାୟତ ତାଙ୍କୁ ମାଡ଼ ମାରିଥିବା ହବିଷ୍ୟାଳି ଗଣମାଧ୍ୟମକୁ କହିଛନ୍ତି । ଏତେ ବଡ଼ ଘଟଣାକୁ ଚପାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ଏଥିପାଇଁ ଥାନାରେ ଅଭିଯୋଗ ନକରିବାକୁ ହବିଷ୍ୟାଳିଙ୍କୁ ପରାମର୍ଶ ଦିଆଯାଇଛି । ସେବାୟତଙ୍କ ମାଡ଼ରେ ଆହତ ହବିଷ୍ୟାଳିଙ୍କ ନାମ କୁମାରୀ ନାୟକ, ୬୨ ବର୍ଷ ଏବଂ ଘର ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ବୋଲି ଜଣାପଡ଼ିଛି । ନରେନ୍ଦ୍ରକୋଣ ନିକଟସ୍ଥ ବୃନ୍ଦାବତୀ ନିବାସରେ ରହି ସେ କାର୍ତ୍ତିକବ୍ରତ ପାଳନ କରୁଛନ୍ତି । ସେବାୟତଙ୍କ ଦ୍ବାରା ମାଡ଼ ଖାଇଥିବା ଆଉଜଣେ ହବିଷ୍ୟାଳିଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁଯାୟୀ ବୁଧବାର ଦିନ ପ୍ରାୟ ୧୨ଟା ବେଳେ କେତେକ ହବିଷ୍ୟାଳି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ଫଟୋ ପରିଚୟପତ୍ର ତାଙ୍କ ବେକରେ ପଡ଼ିଥିଲା । ଜଣେ ସ୍ବେଚ୍ଛାସେବୀଙ୍କ ସହାୟତାରେ ସେମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ । ଜଣେ ସେବାୟତ ସେମାନଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି । ଏହାପରେ ହବିଷ୍ୟାଳିମାନେ କାନ୍ଦି କାନ୍ଦି ମନ ଦୁଃଖରେ ହବିଷ୍ୟାଳି ଶିବିରକୁ ଫେରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ସହରର ୫ଟି ସ୍ଥାନରେ ହବିଷ୍ୟାଳି ଶିବିର ଖୋଲାଯାଇଛି । ୨୯୩୫ ହବିଷ୍ୟାଳିଙ୍କୁ ମାଗଣାରେ କୋଠରି ଏବଂ ମହାପ୍ରସାଦ ସମେତ କାର୍ତ୍ତିକବ୍ରତ ପାଳନ ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଇଛି । ଶ୍ରୀମନ୍ଦିରକୁ ଯାଇ ଅବାଧରେ ସେମାନେ ଯେପରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ପ୍ରଶାସନ ପକ୍ଷରୁ ସେଥିପାଇଁ ବ୍ୟବସ୍ଥା କରାଯାଇଛି । ଏସବୁ ସତ୍ତ୍ବେ ୨ଜଣ ହବିଷ୍ୟାଳି ବୁଧବାର ଶ୍ରୀମନ୍ଦିରରେ ଜଣେ ସେବାୟତଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି । ଏ ସମ୍ପର୍କରେ କେହି ଥାନାରେ ଲିଖିତ ଅଭିଯୋଗ କରିନଥିବାରୁ ମକଦ୍ଦମା ରୁଜୁ କରାଯାଇ ନଥିବା ସିଂହଦ୍ବାର ଥାନା ଇନ୍ସପେକ୍ଟର ଶ୍ବେତପଦ୍ମା ଦାଶ କହିଛନ୍ତି । ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଏହି ଅଭିଯୋଗର ତଦନ୍ତ କରାଯିବ ।

Leave a Reply

Your email address will not be published. Required fields are marked *