ଭୁବନେଶ୍ବର : ବିକ୍ରି ପାଇଁ ଧାନ କଟା ସରିଲାଣି କିନ୍ତୁ ହାତରେ ଟୋକନ ନାହିଁ । ପାଖରେ ଟୋକନ ଅଛି ଅଥଚ ଅବଧି ସମାପ୍ତ ହେବାରୁ ଧାନ ବିକ୍ରି ହୋଇ ପାରିଲା ନାହିଁ । ଧାନ ସଂଗ୍ରହରେ ଟୋକନ ନେଇ ଏଭଳି ସମସ୍ୟା ଏବେ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଚଳିତ ରବି ଧାନ ସଂଗ୍ରହରେ ସମ୍ବଲପୁର, ବରଗଡ଼, କୋରାପୁଟ, ପୁରୀ, ମୟୂରଭଞ୍ଜ ସବୁଠି ଏଭଳି ସମସ୍ୟା ମୁଣ୍ଡ ଟେକିଛି । କଟକ ଜିଲ୍ଲାରେ ସ୍ଥିତି ଆହୁରି ଜଟିଳ । ନିଆଳି ବ୍ଲକ ରାଣୀଓଳା ସମବାୟ ସମିତିରେ କ୍ବିଣ୍ଟାଲ ପିଛା ୧୫୦ ଟଙ୍କା ଦେଇ ପଛରେ ଟୋକନ ପାଇଥିବା ବ୍ୟବସାୟୀଙ୍କ ଧାନ ଆଗ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ଫଳରେ ପ୍ରକୃତ ଚାଷୀଙ୍କୁ ବାଦ ଦିଆଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଏସଂକ୍ରାନ୍ତରେ ତଦନ୍ତ ସହିତ ୭ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କଟକ ଡିଆରସିଏସଙ୍କୁ ନିର୍ଦେଶ ଦେଇଛନ୍ତି ।
ଚଳିତ ରବିରେ ମାତ୍ର ୧୭ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୨୪ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩୬ ହଜାର ୩୯୬ ଚାଷୀଙ୍କ ଠାରୁ ୨୫ ଲକ୍ଷ ୪୭ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି । ଚଳିତ ବର୍ଷ ଟୋକନ ଅବଧି ୧୫ ରୁ ୨୫ ଦିନକୁ ବୃଦ୍ଧି ପାଇଛି । ତେଣୁ ଆଶା କରାଯାଉଥିଲା ଟୋକନ ସମସ୍ୟା ହେବ ନାହିଁ । ମାତ୍ର ସବୁଠି ଟୋକନ ପାଇଁ ଚାଷୀ ରାଜରାସ୍ତାରେ ଛିଡ଼ା ହେଲାଣି । ସର୍ବାଧିକ ଧାନ ସଂଗ୍ରହ ହୋଇଥିବା ବରଗଡ଼ ସ୍ଥିତି ସର୍ବାଧିକ ଜଟିଳ ହୋଇଛି । ଏଠାରେ ୨୪ ହଜାର ୧୩୭ ଚାଷୀ ୧୬ ଲକ୍ଷ ୬୫ ହଜାର କ୍ବିଣ୍ଟାଲ ଧାନ ବିକ୍ରୟ କରିଛନ୍ତି । ଜୟ କିଷାନ କୃଷକ ସଙ୍ଗଠନର ଅଭିଯୋଗ ଅନୁସାରେ, ଅନେକ ଧାନ ବର୍ତ୍ତମାନ ମଧ୍ୟ କ୍ଷେତ ଏବଂ ଖଳାରେ ରହିଛି । କିଛି ଦିନ ହେଲା ଲଗାତାର ଅଦିନିଆ ବର୍ଷା ଏବଂ କାଳବୈଶାଖୀ ଚାଷୀ ଚିନ୍ତା ବଢ଼ାଇଛି । ଆଗାମୀ ୨-୩ ଦିନ ଏଭଳି ଲାଗି ରହିଲେ ଧାନ ନଷ୍ଟ ହେବା ନିଶ୍ଚିତ । ସାଧାରଣତଃ ୧୦୦ ମିଲିମିଟର ବର୍ଷାରେ ଫସଲ ନଷ୍ଟ ହେଲେହିଁ ଇନପୁଟ ସବସିଡି ମିଳେ । ଏଠାରେ ୧ ମିଲିମିଟର ବର୍ଷା ହେଉଛି କିନ୍ତୁ ଧାନ ନଷ୍ଟ କରୁଛି ।
ଅପରପକ୍ଷରେ ମଣ୍ଡିରେ ଧାନ ସଂଗ୍ରହ ମନ୍ଥର ଗତିରେ ଚାଲିଛି । ଏଥିଯୋଗୁଁ ନୂତନ ଧାନ ଆସି ପାରୁ ନାହିଁ । ଜମି ଅନୁସାରେ, ଟୋକନରେ ଧାନ ପରିମାଣ କମ ରହିଥିବା ନେଇ ଅନେକ ଚାଷୀ ଅଭିଯୋଗ କରୁଛନ୍ତି । ସମ୍ବଲପୁର କୃଷକ ସଙ୍ଗଠନ କହିଛି ଯେ ୩୯୬୨ ଶହ ଚାଷୀଙ୍କ ଠାରୁ ୩ ଲକ୍ଷ ୩୫ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି । ଏଠାରେ ମଧ୍ୟ କାଳବୈଶାଖୀ ଏବଂ ଅଦିନିଆ ବର୍ଷା ଚିନ୍ତା ଚାଷୀଙ୍କୁ ଘାରିଛି । ଯେଉଁ ଚାଷୀ ବିକ୍ରି ପାଇଁ ଧାନ କାଟିଲେଣି ତାଙ୍କ ଟୋକନ ଆସିନାହିଁ ଯାହାର ଧାନ ହୋଇ ନାହିଁ ତାଙ୍କର ଟୋକନ ଆସିଯାଇଛି । ଏଥିଯୋଗୁଁ ଚାଷୀ ଆନ୍ଦୋଳନ ମଧ୍ୟ କରିଥିଲେ । କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଡାହାଣପାର୍ଶ୍ବର ମୁଖ୍ୟ କେନାଲ ମରାମତି କରାଯାଉଥିବାରୁ ଚଳିତ ବର୍ଷ ଉତ୍ପାଦନ ହ୍ରାସ ପାଇଛି । ମାତ୍ର ୧୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଏଠାରେ ୫୨୦ ଚାଷୀଙ୍କ ଠାରୁ ୪୦ ହଜାର ୧୫୮ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମିଲର୍ସ ଟ୍ୟାଗିଂ ମଧ୍ୟ ହୋଇନାହିଁ । ପୁରୀରେ ୧୪୫୮ ଚାଷୀଙ୍କ ଠାରୁ ୫୯ ହଜାର ୨୨୯ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି । ଖରିଫ ଭଳି ରବିରେ ବର୍ତ୍ତମାନ ଠାରୁ କଟନିଛଟନି ହେଲାଣି । କ୍ବିଣ୍ଟାଲରେ ୧୦ କିଲୋ ଧାନ କାଟି ଦେଉଥିବା ଅଭିଯୋଗ ହେଉଛି । ମୟୂରଭଞ୍ଜରେ ୨୮୫ ଚାଷୀଙ୍କ ଠାରୁ ୧୦୮୦୪ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି । ବେତନଟି, ଉଦଳା, ବୈଶିଙ୍ଗା, କପ୍ତିପଦାରେ ଚାଷୀ ଟୋକନ ସମସ୍ୟାର ସମ୍ମୁଖୀନ ହୋଇଥିବା ନେଇ ମୟୂରଭଞ୍ଜ ନବନିର୍ମାଣ କୃଷକ ସଙ୍ଗଠନ ଅଭିଯୋଗ କରିଛି । କୋରାପୁଟରେ ୨୭ ତାରିଖ ମଣ୍ଡି ଖୋଲିବାକୁ ଥିଲା ମାତ୍ର ତାହା ଘୁଞ୍ଚାଇ ଦିଆଯାଇଛି ।
ଉଲ୍ଲେଖଥାଉକି, ଧାନ ସଂଗ୍ରହର ପ୍ରକୃତ ଲାଭ ଚାଷୀ ପାଇବା ପାଇଁ ଭୁବନେଶ୍ବରରୁ ଟୋକନ ଜାରି ହେଲା । କିନ୍ତୁ ଏଥିରେ ମଧ୍ୟ ସେହି ଅବସ୍ଥା ହେଉଥିବା ନେଇ ଅଭିଯୋଗ ହେଉଛି । କଟକର ରାଣୀଓଳାରେ ବ୍ୟବସାୟୀଙ୍କୁ ଧାନ ବିକ୍ରି ପାଇଁ ଗୁରୁତ୍ବ ଦିଆଯାଏ । ଏଥିପାଇଁ ରାତି ୧୨ଟା ପରେ ଆଇସ୍କାନ କରାଯାଇ ମିଲକୁ ପଠାଯାଉଥିବା ଅଭିଯୋଗର ସତ୍ୟତା କଟକ ଡିଆରସିଏସଙ୍କ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ ।
