ପଥର ରଖିବା ପାଇଁ କାଟିଦେଲେ ଶତାଧିକ ଗଛ

ପୁରୀ : ‘ଫନି’ ପରେ ଥୁଣ୍ଟା ଗଛରେ ପତ୍ର କଅଁଳିଥିଲା । ଗୋଟିଏ କି ଦୁଇଟି ନୁହେଁ, ଶତାଧିକ ଗଛ ଫନିର ପ୍ରହାର ପରେ ବି ପତ୍ର ଦେଇ ମୁଣ୍ଡ ଟେକିଥିଲେ । କିନ୍ତୁ ପଥର ଷ୍ଟକ୍‌ ରଖିବା ପାଇଁ ଏହି ପୁରୁଣା ଗଛ ସବୁକୁ କାଟି ଦିଆଯାଇଛି । ଏପରି ଗଛ କାଟି ପ୍ରାୟ ୬ ଏକର ଜମିକୁ ସଂପୂର୍ଣ୍ଣ ମରୁଭୂମିରେ ପରିଣତ କରି ଦିଆଯାଇଛି । ଏବେ ବି ଗଛ କଟା ଜାରି ରହିଥିବାବେଳେ ପରିବେଶପ୍ରେମୀଙ୍କୁ ଏହା ଶକ୍ତ ଆଘାତ ଦେଇଛି ।

କାଠପୋଲ ନିକଟରେ ମାଳତୀପାଟପୁର ବସଷ୍ଟାଣ୍ଡ୍‌କୁ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଖଣ୍ଡେଲାଇଟ୍‌ ପଥର ଷ୍ଟକ୍‌ୟାର୍ଡ ତିଆରି କରାଯାଉଛି । ଏଥିପାଇଁ ମାଳତୀପାଟପୁର ବସ୍‌ଷ୍ଟାଣ୍ଡକୁ ଲାଗି ଥିବା ମହାପ୍ରଭୁଙ୍କ ୬ ଏକର ଆମ୍ବ ବଗିଚାରେ ପାଚେରି ବୁଲାଯାଇଛି । ଓବିସିସି ଏହି କାମ କରୁଛି । ପ୍ରାୟ ୧ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ପାଚେରି ବୁଲା ସହ ମାଟି ପୋତାଯାଉଛି । ମାଟି ପକାଇ ସମତୁଲ ପରେ ଏହା ଓଡ଼ିଶା ମାଇନିଂ କର୍ପୋରେସନ୍‌କୁ ହସ୍ତାନ୍ତର କରାଯିବ । ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଆବଶ୍ୟକ ଖଣ୍ଡେଲାଇଟ୍‌ ପଥର ସବୁ ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ଆସି ଏଠାରେ ଗଚ୍ଛିତ ରଖାଯିବ। ଏ ସଂପର୍କରେ ଓବିସିସି-୨ ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରକଳ୍ପ କାମ କେବଳ ଆମକୁ କରିବାକୁ ଦେଇଛି । ବାକି ଗଛ କାଟିବା ଓ ଅନ୍ୟାନ୍ୟ କାମ ଶ୍ରୀମନ୍ଦିର ପ୍ରଶାସନ ବୁଝୁଛି । ଆମ ଦାୟିତ୍ବ କେବଳ ପାଚେରି ବୁଲା, ମାଟି ପକାଇବା ଓ ଏହାକୁ ସମତୁଲ କରିବା । ଏହି ପ୍ରକଳ୍ପ କାମ ସରିବା ପରେ ଓଏମ୍‌ସିକୁ ହସ୍ତାନ୍ତର ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।

Leave a Reply

Your email address will not be published. Required fields are marked *