ବ୍ୟାସନଗର : ବ୍ୟାସନଗର ପୌରସଂସ୍ଥା ନିଜେ ସହରର ପରିବେଶ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ନାଳନର୍ଦ୍ଦମା ସଫେଇ କରି ଜମା ହୋଇଥିବା ବର୍ଜ୍ୟବସ୍ତୁକୁ ରାସ୍ତା କଡ଼ରେ ପକାଇବାରୁ ଏପରି ଅଭିଯୋଗ ହୋଇଛି । ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଖୋଦ୍ ପୌର କର୍ତ୍ତୃପକ୍ଷ ଡ୍ରେନ୍ଗୁଡ଼ିକରୁ ବାହାରିଥିବା ବର୍ଜ୍ୟବସ୍ତୁକୁ ନହକା ବାଇପାସ୍ ରାସ୍ତା କଡ଼ରେ ପକାଉଛନ୍ତି । କିଛିଦିନ ପୂର୍ବରୁ ଏହି ଆବର୍ଜନା ଡ୍ରେନ୍ ଗୁଡ଼ିକରେ ପଡ଼ିରହି ଦୁର୍ଗନ୍ଧ ହେଉଥିଲା । ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ଲୋକମାନେ ଡ୍ରେନ୍ ସଫେଇ ପାଇଁ ଦାବି କରିଥିଲେ ।
ପରେ ପୌର କର୍ତ୍ତୃପକ୍ଷ ଡ୍ରେନ୍ଗୁଡ଼ିକୁ ସଫେଇ କରି ବର୍ଜ୍ୟବସ୍ତୁକୁ ରାସ୍ତା ଉପରେ ପକାଇ ଦେଇଥିଲେ । ଏବେ ସେହି ବର୍ଜ୍ୟବସ୍ତୁକୁ ନହକା ବାଇପାସ୍ ରାସ୍ତା କଡ଼ରେ ପକାଯାଉଛି । ପ୍ରକାଶ ଯେ, ୨୦୧୪ ମସିହାରେ ବ୍ୟାସନଗରକୁ ସ୍ବଚ୍ଛ ସହର କରିବାକୁ ଯୋଜନା କରାଯାଇଥିଲା । ହେଲେ ୮ ବର୍ଷ ପରେ ମଧ୍ୟ ଏହି ଯୋଜନା ସଫଳ ହୋଇନାହିଁ । ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏବେ ପୌର କର୍ତ୍ତୃପକ୍ଷ ସଫେଇ କର୍ମଚାରୀଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରି ହାତ ଝାଡ଼ି ଦେଉଛନ୍ତି । କର୍ମଚାରୀମାନେ ଠିକ ଭାବେ ସଫେଇ କରୁଛନ୍ତି କି ନାହିଁ ଦାୟିତ୍ଵରେ ଥିବା ଅଧିକାରୀ ଦୃଷ୍ଟି ଦେଉନାହାନ୍ତି । ନାଳ ନର୍ଦ୍ଦମାରୁ ବାହାରୁଥିବା ବର୍ଜ୍ୟବସ୍ତୁ ସହରର ପ୍ରବେଶ ପଥ ରାସ୍ତା କଡ଼ରେ ପକାଯାଉଛି । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସହରର ଚାନ୍ଦମା ଓ ଯୋଡ଼ାବର ଠାରେ ଡମ୍ପୟାଡ ନିର୍ମାଣ କରାଯାଇଛି ।
ହେଲେ ବର୍ଜ୍ୟବସ୍ତୁ ସେଠାକୁ ନନେଇ ରାସ୍ତା କଡ଼ରେ କାହିଁକି ପକାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁଢ଼କୁଢ଼ ଆବର୍ଜନା ସାଙ୍ଗକୁ ପନିପରିବା, ମାଛମାଂସ, ହୋଟେଲ ଓ ଜଳଖିଆ ଦୋକାନରୁ ବାହାରୁଥିବା ବର୍ଜ୍ୟବସ୍ତୁ ପଡ଼ି ପରିବେଶ ନଷ୍ଟ ହେଉଛି । ସେହିପରି ଆଖପାଖ ଅଞ୍ଚଳରେ ହେଉଥିବା ବିବାହ, ବ୍ରତ ଭୋଜିରୁ ବାହାରୁଥିବା ଆବର୍ଜନା ମଧ୍ୟ ରାସ୍ତା କଡ଼ରେ ପକାଇ ଦିଆଯାଉଛି । ଏହି ରାସ୍ତାର ଉଭୟ ପାର୍ଶ୍ବରେ ଦୁଇଟି ଆଦିବାସୀ ବସ୍ତି ରହିଛି । ଏଠାରେ ପ୍ରାୟ ୫୦ଟି ପରିବାର ବସବାସ କରୁଛନ୍ତି । ସେହିପରି ସ୍ଥାନୀୟ ଅଞ୍ଚଳରେ ବହୁଲୋକ ନିଜ ଜମିରେ ଘର ନିର୍ମାଣ କରୁଛନ୍ତି । ବର୍ଜ୍ୟବସ୍ତୁ ପଡ଼ିବା ଫଳରେ ଦୁର୍ଗନ୍ଧ ହେବା ସହ ମଶାମାଛି ଉପଦ୍ରବରେ ଏହି ଅଞ୍ଚଳ ବସବାସ ଅନୁପଯୋଗୀ ହୋଇପଡ଼ିଛି । ବସ୍ତିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ବହୁବାର ପୌର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଫଳ ହେଉନାହିଁ । ତୁରନ୍ତ ଏହି ରାସ୍ତା କଡ଼ରୁ ବର୍ଜ୍ୟବସ୍ତୁ ସଫା କରିବା ପାଇଁ ଦାବି ହେଉଛି ।
